Tuesday, April 18, 2023

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ଅନ୍ତରାଳେ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତତ୍କାଳୀନ ପ୍ରମୁଖ ଶାସନସଚିବ ତଥା ଏବେକାର କଂଗ୍ରେସ ନେତା ଶ୍ରୀ ବିଜୟ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ବିଜେଡି ଓ ବିଜେପିର ମିଳିତ ସରକାର ବେଦାନ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ସମସ୍ତ ଆଇନଗତ ବ୍ୟବସ୍ଥାକୁ ମୋଡିମକଚି ଦେଇ ପୁରୀ ଜିଲ୍ଲାର ଗରିବ ଚାଷୀଙ୍କ ହଜାର ହଜାର ଏକର ମୂଲ୍ୟବାନ ଜମି ତଥା ଜଗନ୍ନାଥଙ୍କ ଜମିକୁ ଦେଦାନ୍ତ କମ୍ପାନୀ ହାତକୁ ଟେକି ଦେଇଥିଲେ । କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ସମେତ ଚାଷୀମାନଙ୍କର ଲଢେଇ ଏବଂ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଆଜି ଏହି ତଥ୍ୟ ଲୋକଲୋଚନକୁ ଆସିଛି। ଉଭୟ ବିଜେଡି ଓ ବିଜେପି ଦଳର ନେତାମାନେ କିଭଳି କମ୍ପାନୀମାନଙ୍କ ଠାରୁ ପ୍ରଚୁର ଅର୍ଥ ନେଇ ଓଡିଶାର ସମ୍ପଦକୁ ଲୁଟ୍‌ ପାଇଁ ସମଗ୍ର ପ୍ରଶାସନକୁ ସେମାନଙ୍କ ପାଇଁ ବ୍ୟବହାର କରନ୍ତି, ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ଓ ବିଶ୍ୱବିଦ୍ୟାଳୟ ନଥାଇ ବିଧାନସଭାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ। 

ଗୋଟିଏ କମ୍ପାନୀର ସ୍ୱାର୍ଥ ପାଇଁ ନବୀନ ବାବୁଙ୍କ ସରକାରଙ୍କ ବ୍ୟଗ୍ରତା ଓ ବେଆଇନ କାର୍ଯ୍ୟ ଓଡିଶା ଇତିହାସରେ ବିରଳ। ଏହା କେବଳ ଗୋଟିଏ ଘଟଣା ନୁହେଁ ଶହ ଶହ ବେଆଇନ ଘଟଣା ମଧ୍ୟରୁ ଅନ୍ୟତମ। ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ସହାୟତାରେ ବିଜେଡି ସରକାରର କୁଶାସନ, ଲୁଟତରାଜ, ଓ କମ୍ପାନି ପ୍ରୀତି କିପରି ରାଜ୍ୟକୁ ବରବାଦ କରୁଛନ୍ତି , ଏହାକୁ ଏକ ଉଦାହରଣ ଭାବେ ନିଆଯାଇପାରେ। ୨୦୨୩ ର ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି ଓଡିଶାକୁ ଲୁଟ କରିବାରେ ଯେଉଁ ବ୍ୟୁରୋକ୍ରାଟ୍‌  ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେଲେ, ସେହି ବ୍ୟକ୍ତି ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଓଡ଼ିଶାର ବିକାଶ ପାଇଁ। ବିଜୟ ପଟ୍ଟନାୟକ ଙ୍କ ଯୋଗଦାନ ଦିନ କେଂଗ୍ରେସ ଦଳର ନେତାମାନେ ଯେପରି କୁତୁକୁତୁ ହେଉଥିଲେ, ତାହା ମଧ୍ୟ କଂଗ୍ରେସ ଦଳର ଇତିହାସରେ ଏକ ବିରଳ ଘଟଣା। ସେଥିପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ଦଳ ଯେପରି ରାଜନୈତିକ କାର୍ଯ୍ୟକ୍ରମ କରିବା କଥା, ସେପରି କିଛି କରୁନାହିଁ ଏବଂ କରିବ ମଧ୍ୟ ନାହିଁ । ବିଜେପି ଦଳର ମଧ୍ୟ ସେହି ଦଶା। ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ କୁ ବିଜେପି ଦଳର ମନ୍ତ୍ରୀ ମାନେ ସମସ୍ତ ସହଯୋଗ କରିଥିଲେ। ବିଜେପି ମଧ୍ୟ ବିରୋଧ କରିନଥିଲା। କାରଣ ବେଦାନ୍ତ ଉଭୟ ଦଳକୁ ପ୍ରଚୁର ଟଙ୍କା ଦେଇଥିଲା।

ବେଦାନ୍ତ କମ୍ପାନୀ ପାଇଁ ବିଜେଡି-ବିଜେପି ସରକାର କିପରି ମାତ୍ରାଧିକ ଅହେତୁକ ଅନୁକମ୍ପା ଦେଖାଇଥିଲେ, ତାହା ଏଠାରେ ଉପସ୍ଥାପନା କରାଗଲା।
୧. ନାମଲେଖାଠାରୁ ଆରମ୍ଭ କରି ଫିସ ଆଦାୟ, ଶିକ୍ଷକ ନିଯୁକ୍ତି, ପାଠପଢା ପାଇଁ Curriculum ପ୍ରସ୍ତୁତି ଏବଂ ସମସ୍ତ ପ୍ରଶାସନିକ କ୍ଷମତା ବେଦାନ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ । ଅର୍ଥାତ ରାଜ୍ୟ ସରକାର କୌଣସି କ୍ଷେତ୍ରରେ ହସ୍ତକ୍ଷେପ କରିବେ ନାହିଁ । 

୨. ସରକାରଙ୍କ କୌଣସି ସଂରକ୍ଷଣ ନୀତି (Reservation Policy) ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହେବ ନାହିଁ ।

୩. UGC, AICTE ରୁ ଶୀଘ୍ର Regulatory Approval ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିବେ । 
 
୪. ରାଜ୍ୟ ସରକାର ନିଜ ଅର୍ଥରେ ଭୁବନେଶ୍ୱରରୁ ପୁରୀ-କୋଣାର୍କ ସମୁଦ୍ରତଟରେ ନିର୍ମାଣ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ୪-ଥାକିଆ (4 Lane) ରାସ୍ତା ନିର୍ମାଣ କରିବେ । 

୫. ରାଜ୍ୟ ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବା ଆରମ୍ଭରୁ ସମସ୍ତ ପ୍ରକାର ଟିକସ ଯଥା VAT, Works Contract Tax, Stamp duty, Entry Tax, Educational Aids, Lab Equipment and Tools, Construction Materials ଇତ୍ୟାଦି ସମ୍ପୂର୍ଣ୍ଣ ଛାଡ଼ କରିବେ । ଏହାଦ୍ୱାରା ଶହ ଶହ କୋଟି ଟଙ୍କାର benefit ବେଦାନ୍ତ ପାଇବ । 

୬. ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ NOC ଆଣିବାରେ ସାହାଯ୍ୟ କରିବେ । 

୭. ବିଶ୍ୱବିଦ୍ୟାଳୟ ପାଇଁ ଯେତେ ପାଣି ଓ ବିଜୁଳି ଆବଶ୍ୟକ, ସରକାର ଯୋଗାଇ ଦେବେ । 

ତା ୨୩.୬.୨୦୦୬ ରିଖରେ A.T. Kearney Limited ନାମକ ଏକ ବେସରକାରୀ ସଂସ୍ଥା ର ପ୍ରିନ୍ସିପାଲ ମୋହିତ କୁମାର ରଣା ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖି ଦର୍ଶାଇ ଲେଯେ , Vedanta Resources Limited ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ କରିବ । ବେଦାନ୍ତର ଏକ ଟିମ ଓଡିଶା ବୁଲି ଦେଖିବା ପରେ Puri - Konark Marine Drive ଅଂଚଳ ସର୍ବୋକୃଷ୍ଟ ସ୍ଥାନ ନିରୂପଣ କରି ବିଶ୍ୱବିଦ୍ୟାଳୟ ପାଇଁ ୧୫,୦୦୦ ଏକର ଜମି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ । ମୁଖ୍ୟମନ୍ତ୍ରୀ କାଳ ବିଳମ୍ବ ନକରି ୧୯.୭.୨୦୦୬ ରେ ବେଦାନ୍ତ କମ୍ପାନୀର Vedanta Foundation ନାମରେ ଗଠିତ ଏକ ପ୍ରାଇଭେଟ୍‌ କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ଏକ ଚୁକ୍ତିନାମା କରାଇନେଲ। ମୁଖ୍ୟମନ୍ତ୍ରୀ ନିଜେ ବିଭିନ୍ନ ବିଭାଗର ସଚିବ ମାନଙ୍କର ବୈଠକ ଡାକି ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ଠାରୁ ଅନ୍ୟାନ୍ୟ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ । ବେଦାନ୍ତକୁ କିପରି ଜମି ଶୀଘ୍ର ଦିଆଯିବ, ଏହାର ମୁଖ୍ୟ ସୂତ୍ରଧର ଥିଲେ ବିଜୟ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସେ ଏକ ସରକାରୀ ଅଧିକାରୀ ଥିଲେ ମଧ୍ୟ, ବେଦାନ୍ତ କମ୍ପାନୀର ଏକ ବଡ଼ ଦଲାଲ ଭାବେ କାମ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କମ୍ପାନୀ ଠାରୁ ସେ ବହୁ ଫାଇଦା ମଧ୍ୟ ହାତେଇଥିଲେ। 

ପୁରୀ-କୋଣାର୍କ ବେଳାଭୂମିରେ ବେଦାନ୍ତ ମାଗିଥିବା ଜମି ଦେବା କେତେ ଦୂର ଠିକ୍‌ ହେବ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟ ପାଇଁ ଏକା ଥରକେ ୧୫୦୦୦ ଏକର ଜମି କଣ ଦରକାର, ଏହାର ତର୍ଜମା ରାଜ୍ୟ ସରକାର ନକରି ଅଳ୍ପ ଦିନ ମଧ୍ୟରେ ସରକାର ୮୦୦୦ଏକର ଜମି ଦିଆଯାଇପାରିବ ବୋଲି ବେଦାନ୍ତ ଫାଉଣ୍ଡେସନକୁ ଜଣାଇଥିଲେ । ଏହି ସବୁ କାର୍ଯ୍ୟ ଅତ୍ୟନ୍ତ କ୍ଷିପ୍ର ଗତିରେ ଚାଲୁଥିଲା । ସମସ୍ତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଓ ବିଜୟ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ତଦାରଖ କରୁଥିଲେ ।

ସରକାରୀ ସ୍ତରରେ ନିଷ୍ପତ୍ତି ହେଉ ହେଉ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳଙ୍କୁ ତୁରନ୍ତ ଜମି ଅଧିଗ୍ରହଣ ପାଇଁ ନିର୍ଦେଶ ଦେଇଥିଲେ । ଜମି ଅଧିଗ୍ରହଣ ଆଇନ (Land Acquisition Act) ର ସମସ୍ତ ବିଧି ବ୍ୟବସ୍ଥାକୁ ବେଖାତିର କରି ସମ୍ପୂର୍ଣ ବେଆଇନ ଭାବେ ଜମି ଅଧିଗ୍ରହଣ କରାଗଲା। କ୍ଷତିଗ୍ରସ୍ତ ଚାଷୀଙ୍କ ମତାମତ ନିଆଗଲା ନାହିଁ । ମୂଲ୍ୟବାନ ସରକାରୀ ଜମି, ନୂଆନଈକୁ ମଧ୍ୟ ବେଦାନ୍ତ କମ୍ପାନୀକୁ ଦେବାକୁ ନିଷ୍ପତ୍ତି ନେଲେ । ବେଦାନ୍ତ ଫାଉଣ୍ଡେସନ ଏକ ପ୍ରାଇଭେଟ୍‌ କମ୍ପାନି ବୋଲି ଜାଣି ମଧ୍ୟ ଆଇନ ବିଭାଗର ପରାମର୍ଶକୁ ବେଖାତିର କରି ଏହି ଜମି ଅଧିଗ୍ରହଣ କରାଗଲା । ଆଇନ ଅନୁଯାୟୀ, କେବଳ Public Purpose ପାଇଁ ଜମି ଅଧିଗ୍ରହଣ କରାଯିବ। ବେଦାନ୍ତ କମ୍ପାନୀ ପୁଣି ବେଦାନ୍ତ ଫାଇଣ୍ଡେସନ ନାମକୁ ପରିବର୍ତ୍ତନ କରି Anil Agrawal Foundation ନାମରେ public company ଭାବେ ପଞ୍ଜିକୃତ କରାଇଲେ । ସେତେବେଳକୁ ଜମି ଅଧିଗ୍ରହଣ ସରିଥିଲା । ଏକ fake Company ପାଇଁ ତଥାକଥିତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର କିପରି ଅହେତୁକ ଅନୁକମ୍ପା ଦେଖାଉଥିଲେ, ଏହା ସ୍ପଷ୍ଟ ଅନୁମେୟ । 

ଏଠାରେ ସୂଚନାଯୋଗ୍ୟ ଯେ ବେଦାନ୍ତ କମ୍ପାନୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ହଜାର ଏକର ଜମି ମାଗିଥିଲେ । ଏତେ ପରିମାଣ ଜମିର ଆବଶ୍ୟକତା ସମ୍ପର୍କରେ ରାଜ୍ୟ ସରକାର କୌଣସି ପ୍ରଶ୍ନ କରି ନଥିଲେ। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଶ୍ରୀ ପ୍ରଶାନ୍ତ ଭୂଷଣ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୮୧୦୦ ଏକର ବିଶିଷ୍ଟ। ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କିପରି, କେଉଁ ଆଧାରରେ ଏତେ ଜମି ଆବଶ୍ୟକ, ଏ ସମ୍ପର୍କରେ ରାଜ୍ୟ ସରକାର କୌଣସି ପ୍ରଶ୍ନ କରି ନଥିଲେ ବା କମ୍ପାନୀ ଠାରୁ Justification ମାଗି ନ ଥିଲେ। ସେହିପରି ବିଶ୍ୱବିଦ୍ୟାଳୟ ନଥାଇ, ଏହାର କୌଣସି ସ୍ଥିତି ନଥାଇ ସରକାର କିପରି ବିଶ୍ୱବିଦ୍ୟାଳୟ ଆଇନ ବିଧାନସଭାରେ ପାରିତ କରେଇଲେ, ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସି ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଇନ ପାରିତ ହୋଇଥିଲା । ବେଦାନ୍ତ କମ୍ପାନୀଠାରୁ ପ୍ରଚୁର ଟଙ୍କା ଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମିଳିତ ବିଜେପି-ବିଜେଡି ସରକାର କିପରି ମୂଲ୍ୟବାନ ଜମିକୁ ଏକ ବେସରକାରୀ ସଂସ୍ଥାକୁ ନାମମାତ୍ର ଦରରେ ଦେଉଥିଲେ, ଏହା ତାର ନଗ୍ନ ଉଦାହରଣ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ ଲୋକପାଳ ରିପୋର୍ଟ ଦେଇଥିଲେ। ରାଜ୍ୟ ସରକାର ଲୋକପାଳଙ୍କ ରିପୋର୍ଟକୁ ଗ୍ରହଣ କରି ନଥିଲେ। ଏହାପରେ କ୍ଷତିଗ୍ରସ୍ତ ଚାଷୀଗଣ ଏବଂ କଂଗ୍ରେସ ନେତା ଉମାବଲ୍ଲଭ ରଥ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ୧୬.୧୧.୨୦୧୦ରେ ହାଇକୋର୍ଟ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ ଅଧିଗୃହିତ ଜମି ଲୋକଙ୍କୁ ଫେରାଇବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କୋର୍ଟ ଦର୍ଶାଇଥିଲେ ଯେ ଜମି ଅଧିଗ୍ରହଣ ଆଇନକୁ ଅଣଦେଖା କରି ରାଜ୍ୟ ପ୍ରଶାସନ ଏହି ଜମି ବଳପୂର୍ବକ ଲୋକମାନଙ୍କ ଠାରୁ ନେଇଛନ୍ତି। ଏହି ବିଶ୍ୱବିଦ୍ୟାଳୟ ହେଲେ, ପୁରୀ- କୋଣାର୍କ ବେଳାଭୂମି ସ୍ଥିତ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ଏହାର ପର୍ଯ୍ୟାବରଣ ପ୍ରଭାବିତ ହେବ। ନୂଆନଈକୁ କିପରି ସରକାର ଉକ୍ତ କମ୍ପାନୀକୁ ଦେଇଛନ୍ତି, କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବେଦାନ୍ତର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ କିପରି ବ୍ୟସ୍ତ ଓ ବ୍ୟଗ୍ର ଥିଲେ, ଏଥିରୁ ପାଠକେ ବୁଝିପାରୁଥିବେ। ହାଇକୋର୍ଟ ଅର୍ଡରକୁ ବେଦାନ୍ତ କମ୍ପାନୀ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। Civil Appeal No. 1144-1146/2011 ର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ବେଆଇନ ଦର୍ଶାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜମି ଫେରାଇଦେବା, ସରକାରୀ ଜମି ସରକାରୀ ଖାତାକୁ ଫେରାଇନେବା ପାଇଁ ନିର୍ଦ୍ଦେଶ ଦେବା ସହ ବେଦାନ୍ତ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଯେଉଁମାନେ ସ୍ୱେଚ୍ଛାଚାରୀ ନବୀନ ପଟ୍ଟନାୟକଙ୍କ ସରକାରର ବେଦାନ୍ତ ପ୍ରୀତି ବିରୁଦ୍ଧରେ ଲଢ଼ିଥିଲେ, ମୁଖ୍ୟତଃ ଉମାବଲ୍ଲଭ ରଥ ଏହାର ନେତୃତ୍ୱ ନେଇ ଏହି ଆନ୍ଦୋଳନକୁ ସଫଳତାର ସହ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ଅସଲ ଚରିତ୍ର ଲୋକଲୋଚନକୁ ଆଣିଛନ୍ତି, ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହୋଇ ଓଡିଶା ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । 

ରାଜ୍ୟରେ ଲୋକଙ୍କ ସମ୍ପଦ, ପ୍ରାକୃତିକ ସମ୍ପଦ ଲୁଟ କରି କମ୍ପାନୀମାନଙ୍କ ହାତକୁ ଟେକି ଦେବା, ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ଲୁଟ କରି ଖାଇବା ଇତ୍ୟାଦି କାର୍ଯ୍ୟରେ ବିଜୁ ଜନତା ଦଳ ସରକାର ବ୍ୟସ୍ତ। ଏହି ସବୁ ଲୁଟ୍‌ତରାଜକୁ ଲୋକଙ୍କ ଠାରୁ ଲୁଚେଇ ରଖିବା ପାଇଁ ଗଣମାଧ୍ୟମକୁ ଲଗେଇ ପ୍ରବଳ ମିଛ ପ୍ରଚାର କରାଯାଉଛି। ଲୋକଙ୍କୁ ଭୂତେଇବା ପାଇଁ ସାମାନ୍ୟ କିଛି ସହାୟତା ଦେଇ ସେମାନଙ୍କୁ ଭୋଟ ଦେବା ପାଇଁ ବଞ୍ଚେଇ ରଖିବା ପାଇଁ ବିଭିନ୍ନ ତଥାକଥିତ ଯୋଜନା ଯଥା କାଳିଆ, ଛତା, ସାଇକେଲ ବଣ୍ଟନ, ଭାତ ଡାଲମା, ମାଗଣା ଚାଉଳ ଇତ୍ୟାଦି ବଣ୍ଟାଯାଉଛି। ଏହି ସବୁ ଯୋଜନାରେ ନା ରାଜ୍ୟର ବିକାଶ ହେଉଛି ନା ଲୋକଙ୍କର ସାମାଜିକ ଅର୍ଥନୈତିକ ବିକାଶ ହେଉଛି । କେବଳ ବିଜେଡି ଦଳର ନେତା, ଠିକାଦାର, କମ୍ପାନୀ ଏବଂ ବିଜେପି ଓ କଂଗ୍ରେସର ଦଲାଲ ନେତାମାନେ ଉପକୃତ ହେଉଛନ୍ତି । 

ପ୍ରଦୀପ ପ୍ରଧାନ, ୧୮.୦୪.୨୦୨୩,  ମୋ- ୯୯୩୭୮୪୩୪୮୨

1 comment:

  1. ବିଜେଡି ସରକାରର ଶାସନ ଯେତେ ବର୍ଷ ବଢ଼ି ବଢ଼ି ଯିବ ଓଡ଼ିଶାର ବିକାଶ ସେହି ଅନୁପାତରେ ନିମ୍ନକୁ ଚାଲି ଚାଲି ଯିବ।

    ReplyDelete