Thursday, February 27, 2025

Write Up on Issues surrounding Information Commission, KIIT, Advocate General and High Court

 

ମହା-ଅଧିବକ୍ତାଙ୍କ ମହା-କେଳଙ୍କାରି

ଚଳିତ ବର୍ଷ ଗତ ୨୭ ଅଗଷ୍ଟରେ ଓଡିଶା ହାଇକୋର୍ଟଙ୍କ ଏକ ଜଣିକିଆ ବେଞ୍ଚ ଦ୍ଵାରା ଓଡିଶା ସୂଚନା କମିଶନଙ୍କ ଏକ ୯୨ ପୃଷ୍ଠା ରାୟର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବାର ଖବର କେବଳ ଆଇନଜ୍ଞ ମହଲ ନୁହେଁ, ବରଂ ରାଜ୍ୟ ଓ ରାଜ୍ୟ ବାହାରର ସଚେତନ ନାଗରିକ ସମାଜକୁ ବିସ୍ମିତ ଓ ବିଚଳିତ କରିଛି କାରଣ, ସେମାନଙ୍କର ପ୍ରଶ୍ନ- ସମ୍ପୃକ୍ତ କେଶ (ରିଟ ଆବେଦନ ସଂଖ୍ୟା ୨୫୯୨୨ /୨୦୨୧) ରେ ରାଜ୍ୟର ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜା କିପରି ରାଜ୍ୟ ସୂଚନା କମିଶନ ଭଳି ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ, ଅର୍ଥପୁଷ୍ଟ ତତ୍ଵ।ବଧାନିତ ଏକ କଳ୍ପନ୍ୟାୟିକ ଜନ-କର୍ତ୍ତୃପକ୍ଷଙ୍କ ସୁବିଚାରିତ ନିଷ୍ପତ୍ତିକୁ ବିରୋଧ କଲେ ଅନ୍ୟପକ୍ଷରେ କିଟ ନାମକ ଏକ ଘରୋଇ ଶିକ୍ଷା-ବ୍ୟବସାୟିକ ସଂସ୍ଥା ସପକ୍ଷରେ ନିଜ ସାମ୍ବିଧାନିକ ପଦବୀର ଗାରିମାକୁ ଜଳାଞ୍ଜଳି ଦେବା ସହିତ ଜଣେ ବରିଷ୍ଠ ଆଡଭୋକେଟର ବ୍ୟକ୍ତିଗତ ପରିଚୟକୁ ବ୍ୟବହାର କରି ଓକିଲାତି କରିପାରିଲେ ତଥା କଳେ-ବଳେ-କୌଶଳେ କିଟ ଚାହୁଁଥିବା ରହିତାଦେଶ ହାଇକୋର୍ଟଙ୍କ ନିକଟରୁ ହାସଲ କରିପାରିଲେ ?

କିଟ ସଂସ୍ଥା ପାଇଁ ଶ୍ରୀ ପରିଜାଙ୍କ ଦ୍ଵାରା ପ୍ରସ୍ତୁତ ପିଟିସନରେ ସେ ୨ଜଣଙ୍କୁ ପ୍ରତିପକ୍ଷ କରିଛନ୍ତି- ଓଡିଶା ସୂଚନା କମିଶନ ଓ ଶ୍ରୀ ପ୍ରଦୀପ ପ୍ରଧାନ ଓଡିଶା ସୂଚନା କମିଶନ ପାର୍ଲିଆମେଣ୍ଟ ଦ୍ଵାରା ପ୍ରଣୀତ ସୂଚନା ଅଧିକାର ଆଇନ ୨୦୦୫ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ, ଅର୍ଥପୁଷ୍ଟ ଓ ତତ୍ତ୍ଵବଧାନିତ ଏକ କଳ୍ପ-ନ୍ୟାୟିକ କର୍ତ୍ତୃପକ୍ଷ ହୋଇଥିବା ସ୍ଥଳେ ଶ୍ରୀ ପ୍ରଦୀପ ପ୍ରଧାନ ବିଗତ ୨୦୦୫ରେ ଗଠିତ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଅଛନ୍ତି ତଥା ସୂଚନା ଅଧିକାର ଓ ଲୋକଯୁକ୍ତ ବ୍ୟବସ୍ଥାକୁ ଉପଯୋଗ କରି ଶାସନର ବିଭିନ୍ନ ସ୍ତରରେ ଘଟୁଥିବା ନାନାଦି ଦୁର୍ନୀତି ଓ  ଭ୍ରଷ୍ଟାଚର ବିରୁଦ୍ଧରେ ସେ ଓ ତାଙ୍କର ସହଯୋଗୀବୃନ୍ଦ ନିଜର ନିରନ୍ତର ଲଢେଇ ଜାରି ରଖି ଆସିଛନ୍ତି ୨୦୧୪ ମସିହାରେ ତାଙ୍କ ଦ୍ଵାରା ଆବେଦିତ କିଟ-ସମ୍ବନ୍ଧୀତ ଏକ ମାମୁଲି ସୂଚନାକୁ ପ୍ରକାଶ କରିବା ପାଇଁ କିଟ କର୍ତ୍ତୃପକ୍ଷ ମନା କରିଦେବାରୁ ସେ ପରବର୍ତ୍ତୀ କାଳରେ କମିଶନଙ୍କ ନିକଟରେ ବିଧିବଦ୍ଧ ଭାବେ ଅପିଲ କରିଥିଲେ ଓ ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନୀଲ କୁମାର ମିଶ୍ର ୨୦୧୭ ମସିହାରୁ ଏହି ଅପିଲ ଉପରେ ଲଗାତାର ଉଭୟ ପକ୍ଷଙ୍କୁ ଶୁଣାଣି କରି ପରିଶେଷରେ ୫ ଅଗଷ୍ଟ ୨୦୨୧ରେ ନିଜର ୯୨-ପୃଷ୍ଠାବ୍ୟାପୀ ଏକ  ସୁଦୀର୍ଘ ରାୟ ପ୍ରକାଶ କରିଥିଲେ, ଯାହାକି ଉଭୟ କିଟ ମାଲିକ ଶ୍ରୀ ଅଚ୍ୟୁତ ସାମନ୍ତ ଓ ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କୁ କ୍ଷୁବ୍ଧ କରିଥିଲା, ଓ ଯେଉଁ କାରଣରୁ ଉଭୟ ବ୍ୟକ୍ତି କମିଶନଙ୍କ ସୁବିଚାରିତ ରାୟକୁ ଅକାମି କରିଦେବା ଉଦ୍ଦେଶ୍ୟରେ ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ

କମିଶନଙ୍କ ସେହି ରାୟରୁ ଜଣାଯାଏ, ଶ୍ରୀ ପ୍ରଧାନ ପ୍ରଥମେ ସୂଚନା ଅଧିକାର ଆଇନ ଅଧୀନରେ କିଟ ସଂସ୍ଥାକୁ ଏକ ମାମୁଲି ସୂଚନା ମାଗିଥିଲେ- କେନ୍ଦ୍ର ରାଜ୍ୟ ସରକାରଙ୍କ ନିଯୁକ୍ତିରୁ ଅବସର ଗ୍ରହଣ କରି କିଟ ସଂସ୍ଥାରେ ନିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କ ନାମ ପଦବୀ କିନ୍ତୁ କିଟ ସଂସ୍ଥା ଏହି ଆବେଦନକୁ ଖାରଜ କରିବା ସହିତ କାରଣ ଦର୍ଶାଇଥିଲେ ଯେ, କିଟ ଏକ ଘରୋଇ ସଂସ୍ଥା (ଏନଜିଓ) ହୋଇଥିବାରୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହଁନ୍ତି ଓ ସେହି କାରଣରୁ ଉକ୍ତ ସୂଚନା ସେମାନେ ଦେଇ ପାରିବେ ନାହିଁ କିନ୍ତୁ ଶ୍ରୀ ପ୍ରଧାନଙ୍କର ପ୍ରତିଯୁକ୍ତି ଥିଲା- କିଟ ଯେହେତୁ ରାଜଧାନୀରେ ବିପୁଳ ପରିମାଣର ସରକାରୀ ଜମି ରିହାତି ଦାମରେ ହାସଲ କରିଛନ୍ତି, କେନ୍ଦ୍ର ରାଜ୍ୟର ସରକାରୀ କର୍ତ୍ତୃପକ୍ଷମାନଙ୍କ ଠାରୁ ବିଭିନ୍ନ ଲାଇସେନ୍ସ ମଞ୍ଜୁରୀପତ୍ର (ଯଥା ଯୁଜିସି ଦ୍ଵାରା ଡ଼ିମଡ଼ ବିଶ୍ୱବିଦ୍ୟାଳୟ ଭାବେ ସ୍ଵୀକୃତି) ପାଇଛନ୍ତି ତଥା ବହୁବିଧ ଟିକସ ରିହାତି ଉପଭୋଗ କରି ଚାଲିଛନ୍ତି, ତେଣୁ ଏହି ସଂସ୍ଥା ଆଇନର ଧାରା ୨(ଏଚ)(୨) ଅଧୀନରେ ସଜ୍ଞାୟିତ ହୋଇଥିବା ଏକ ବହୁଳ-ଅର୍ଥପୁଷ୍ଟ, ଜନ-କର୍ତ୍ତୃପକ୍ଷ-ପ୍ରତିମ ଏନଜିଓ ହୋଇଥିବାରୁ ସେ ସର୍ବସାଧାରଣଙ୍କୁ ସୂଚନା ଯୋଗାଇ ଦେବା ପାଇଁ ବାଧ୍ୟ ଅଟନ୍ତି  ପରିଶେଷରେ କମିଶନ ଶ୍ରୀ ପ୍ରଧାନଙ୍କ ବୟାନକୁ ଗ୍ରହଣ କରିଥିଲେ ତାଙ୍କ ରାୟରେ କିଟକୁ ଏକ ପ୍ରତୀତ ଜନ-କର୍ତ୍ତୃପକ୍ଷ ଭାବେ ଘୋଷଣା କରି ଶ୍ରୀ ପ୍ରଧାନଙ୍କ ଦ୍ଵାରା ଆବେଦିତ ସୂଚନାକୁ ନିର୍ଦ୍ଦିଷ୍ଟ ସମୟ-ସୀମା ଭିତରେ ଯୋଗାଇ ଦେବା ପାଇଁ କିଟକୁ ଆଦେଶ ଦେଇଥିଲେ କମିଶନଙ୍କ ଏହି ଆଦେଶ ଫଳରେ ବ୍ୟଥିତ ହୋଇ କିଟ କର୍ତ୍ତୃପକ୍ଷ ତୁରନ୍ତ ରାଜ୍ୟ ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କ ଆଶ୍ରୟ ଲୋଡିଥିଲେ ଶ୍ରୀ ପରିଜା ତାଙ୍କର ସାମ୍ବିଧାନିକ ପଦବୀ ସୀମାବଦ୍ଧତାକୁ ବେଖାତିର କରି ଘରୋଇ ସଂସ୍ଥା କିଟର ତ୍ରାଣକର୍ତ୍ତା ସାଜିଥିଲେ ସଫଳ ମଧ୍ୟ ହୋଇଥିଲେ

ବର୍ତ୍ତମାନ ପ୍ରଶ୍ନ ଉଠୁଛି, କିଟ ନିଜେ ନିଜକୁ ଏକ ଘରୋଇ ସଂସ୍ଥା ବୋଲି ଦାବୀ କରି ଏହାର ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ର-ଛାତ୍ରୀ, ସ୍ଥାବର ଅସ୍ଥାବର ସମ୍ପତ୍ତି, ସଂଗୃହୀତ ପାଣ୍ଠିର ଉସ୍ଚସମୂହ ଉପଯୋଗ ତଥା ସଂସ୍ଥାର ପରିଚାଳନା ପଦ୍ଧତି ଇତ୍ୟାଦି ସମ୍ବନ୍ଧୀତ ତଥ୍ୟାବଳୀକୁ ଲୋକମାନଙ୍କ ଠାରୁ ସଂଗୁପ୍ତ ରଖିବାର ଅପପ୍ରୟାସ କରି ଆସୁଥିବା ବେଳେ, କେବଳ ରାଜ୍ୟ ସରକାରଙ୍କ ପାଇଁ, ରାଜ୍ୟପାଳଙ୍କ ଦ୍ଵାରା ରାଜକୋଷର ଅର୍ଥବ୍ୟୟରେ ମୁତୟନ ହୋଇଥିବା ଏଜି ଶ୍ରୀ ପରିଜା ସମ୍ବିଧାନର କେଉଁ ସାମ୍ବିଧାନିକ ବା ବୈଧାନିକ ବ୍ୟବସ୍ଥା ବଳରେ କିଟର ଓକିଲ ସାଜିଲେ? ପୁଣି, କିଟକୁ ଅହେତୁକ ସୁରକ୍ଷା ଦେବାକୁ ଯାଇ ପାର୍ଲାମେଣ୍ଟ ପ୍ରଣୀତ ସୂଚନା ଅଧିକାର ଆଇନ ୨୦୦୫ ଧାରା ୧୫, ୧୬, ୧୭, ୨୫ ୨୬ ବଳରେ ଓଡଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ, ଅର୍ଥପୁଷ୍ଟ ତତ୍ତ୍ଵ।ବଧାନିତ ତଥା ବିଧାନସଭା ନିକଟରେ ଉତ୍ତରଦାୟୀ ଏକ ସଂପୂର୍ଣ୍ଣ ସରକାରୀ ସଂସ୍ଥାର ଆଦେଶ ବିରୁଦ୍ଧରେ ସେ ଓକିଲାତି କଲେ କେମିତି? ମନେ ହୁଏ, ଶ୍ରୀ ପରିଜା ସମ୍ବିଧାନର ଯେଉଁ ଧାରା-୧୬୫  ବଳରେ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ହୋଇଛନ୍ତି ନିଜର ପାରିଶ୍ରମିକ ଅର୍ଜ୍ଜନ କରିଥାନ୍ତି, ସେହି ଧାରାର ସାରମର୍ମକୁ ବୁଝିନାହାନ୍ତି ଅଥବା ସମସ୍ତଙ୍କୁ ନିର୍ବୋଧ ମନେ କରି ଜାଣିଶୁଣି ତାହାକୁ ଉଲ୍ଲଂଘନ କରିଛନ୍ତି ଧାରା-୧୬୫ କହୁଛି ଯେ, କେବଳ ରାଜ୍ୟପାଳଙ୍କ ଦ୍ଵାରା ନିର୍ଦେଶିତ ହୋଇ ଏଜି ଯେ କୌଣସି ବୈଧାନିକ ବିଷୟ ଉପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବା ରାଜ୍ୟ ସରକାରଙ୍କ ପାଇଁ ଓକିଲାତି କରିବେ ଏହାଛଡା ସେ କେବଳ ସମ୍ବିଧାନ ବିଭିନ୍ନ ବିଧିବିଧାନରେ ତାଙ୍କ ଉପରେ ଯେଉଁ କର୍ତ୍ତବ୍ୟ ନ୍ୟସ୍ତ ହୋଇଥିବ ତାହା ପାଳନ କରିବେ ପୁଣି, ସମ୍ବିଧାନର ଧାରା ୧୭୭ ଅନୁଯାୟୀ ଏଜି ରାଜ୍ୟର ଜଣେ ମନ୍ତ୍ରୀ ଭଳି ବିଧାନସଭା ଏହାର କୌଣସି କମିଟିର ଆଲୋଚନାରେ ଭାଗ ନେଇପାରିବେ, ଯଦିଓ କ୍ଷେତ୍ରରେ ତାଙ୍କର ଭୋଟ ଅଧିକାର ନାହିଁ ଏଠାରେ ଉଲ୍ଲେଖନୀୟ ଯେ, ସମ୍ବିଧାନର ଧାରା ୭୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ଭାରତର ଆଟର୍ଣ୍ଣୀ ଜେନେରାଲ ଦେଶର ଯେ କୌଣସି କୋର୍ଟରେ ଯେ କୌଣସି କେଶରେ ନିଜର ବକ୍ତବ୍ୟ ରଖିପାରିବେ, କିନ୍ତୁ ଧାରା ୧୬୫ ଅଧୀନରେ ରାଜ୍ୟପାଳଙ୍କ ଦ୍ଵାରା ରାଜ୍ୟର ସ୍ଵାର୍ଥ ସୁରକ୍ଷା ପାଇଁ ନିୟୋଜିତ ଆଡଭୋକେଟ ଜେନେରାଲ ରାଜ୍ୟର ଯେ କୌଣସି ଅଦାଲତରେ ନିଜର ମର୍ଜ୍ଜି ମତେ ଅଂଶଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ନୁହନ୍ତି ଏକଦା ଅଲ ଇଣ୍ଡିଆ ବାର କାଉନ୍ସିଲ ତଥା ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଥିବା ଶ୍ରୀ ଅଶୋକ ପରିଜା ଏହି ସାମ୍ବିଧାନିକ କଟକଣା ବିଷୟରେ ଭଲ ଭାବେ ଅବଗତ ଥିବେ ସୁତରାଂ ପ୍ରଶ୍ନ ଉଠୁଛି, ରାଜ୍ୟର କେଉଁ ସ୍ଵାର୍ଥର ତାଗିଦରେ କେଉଁ ସରକାରୀ କର୍ତ୍ତୃପକ୍ଷଙ୍କ ନିର୍ଦେଶନାରେ ସେ କିଟ ଭଳି ଏକ ଘରୋଇ ଶିକ୍ଷା-ବ୍ୟବସାୟିକ ସଂସ୍ଥା ସପକ୍ଷରେ ରାଜ୍ୟର ଏକ ସଂପୂର୍ଣ୍ଣ ସରକାରୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଓକିଲାତି କଲେ?           

ଶ୍ରୀ ପରିଜା ଯେଉଁଦିନ ଏଜି ପଦବୀ ଗ୍ରହଣ କଲେ, ସେଦିନ କହିଥିଲେ, ମୁଁ ପ୍ରଥମେ ଜଣେ ଆଡଭୋକେଟ, ପରେ ଆଡଭୋକେଟ ଜେନେରାଲ ସେହି ଦୃଷ୍ଟିରୁ ବିଚାର କଲେ, ଆଡଭୋକେଟ ମାନଙ୍କ ପାଇଁ ଭାରତର ବାର କାଉନ୍ସିଲଙ୍କ ଦ୍ଵାରା ପ୍ରସ୍ତୁତ ଆଚରଣ-ବିଧିକୁ ମଧ୍ୟ ସେ ଉଲ୍ଲଂଘନ କରିଛନ୍ତି କାରଣ ସେଥିରେ କୁହାଯାଇଛି, ଜଣେ ଆଡଭୋକେଟ ସବୁ ପରିସ୍ଥିତିରେ କେବଳ ତାଙ୍କର ମହକିଲଙ୍କ ସ୍ଵାର୍ଥ ସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବେ ଏଜି ଭାବେ ଶ୍ରୀ ପରିଜାଙ୍କର ମହକିଲ ହେଉଛନ୍ତି ସମଗ୍ର ଓଡିଶା ସରକାର ଏହାର ସମସ୍ଥାସମୂହ କିନ୍ତୁ ଦେଖାଗଲା, ସେ କିଟ ଭଳି ଏକ ଘରୋଇ ବ୍ୟବସାୟିକ ସଂସ୍ଥାର ପାଲରେ ପଡି ତାଙ୍କର ମହାନ ମହକିଲ (ଓଡିଶା ସରକାର)ଙ୍କ ଆଯତ୍ତାଧୀନ ଏକ ବୈଧାନିକ ସଂସ୍ଥା (ସୂଚନା କମିଶନ)ଙ୍କୁ ଅପଦସ୍ଥ କରିବା ପାଇଁ ଓଡିଶା ହାଇକୋର୍ଟଙ୍କ ସମ୍ମୁଖରେ ନିଜର ପଦବୀକୁ ମଧ୍ୟ ଲୁଚାଇବାକୁ ପଛାଇଲେ ନାହିଁ ଏଜି ପଦବୀରୁ ଇସ୍ତଫା ଦେଇ ସେ ଉକ୍ତ ଘରୋଇ ସଂସ୍ଥା ପାଇଁ ଓକିଲାତି କରିଥିଲେ, କାହାର କିଛି ଆପତ୍ତି ନଥାନ୍ତା କିନ୍ତୁ ଗୋଟିଏ ପଟରେ ସରକାରଙ୍କ ମହା-ଅଧିବକ୍ତା ଥାଇ ଅନ୍ୟ ପଟରେ ବେସରକାରୀ ସଂସ୍ଥା ଠାରୁ ବ୍ରିଫ ନେବା ତାହା ପୁଣି ରାଜ୍ୟର ଏକ ସୁପ୍ରତିଷ୍ଠିତ ସରକାରୀ ସଂସ୍ଥା ବିରୁଦ୍ଧରେ- ଶ୍ରୀ ପରିଜାଙ୍କର ଏଭଳି ଦୋମୁଣ୍ଡିଆ କେଳଙ୍କାରି ଉପରେ କଣ କିଛି ପ୍ରତିବିଧାନ ନ।ହିଁ ? Chitta Ranjan Behera, Advocate Orissa High Court (BCE No. O- 419/1995), Dt 01.10.2021, Mobile No. 9437577546      

 

 

ସୂଚନା କମିଶନଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ପ୍ରସଙ୍ଗ:                                          ଭଲକରି ଚିହ୍ନି ରଖ ତିନି ଭ୍ରାତାଙ୍କ ବଦନ

ପ୍ରସଙ୍ଗଟି ହେଉଛି- ଓଡିଶା ସୂଚନା କମିଶନ ୨୦୧୫ରୁ ଦୀର୍ଘ ୬ ବର୍ଷ ଧରି ପ୍ରଦୀପ ପ୍ରଧାନ ବନାମ କିଟ, ଭୁବନେଶ୍ଵର ଅପିଲ          କେଶକୁ ଶୁଣାଣି କରି ଗତ ୫ ଅଗଷ୍ଟ, ୨୦୨୧ରେ ୯୨ ପୃଷ୍ଠାର ଏକ ସୁବିସ୍ତୃତ ଆଦେଶ ଜାରି କରିଥିଲେ, ଯେଉଥିରେ ଘରୋଇ ଶିକ୍ଷା-ବ୍ୟବସାୟିକ ସଂସ୍ଥା କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ଏବଂ ଜନଗଣଙ୍କୁ ସୂଚନା ବିତରଣ ପାଇଁ ଉତ୍ତରଦାୟୀ ବୋଲି ଦର୍ଶିତ ହୋଇଥିଲା କିନ୍ତୁ କିଟ ସଂସ୍ଥା କମିଶନଙ୍କ ଏହି ଆଦେଶକୁ ଓଡିଶା ହାଇକୋର୍ଟରେ ଏକ ରିଟ ଆବେଦନ (ସଂଖ୍ୟା ୨୫୯୨୨/୨୦୨୧) ମାଧ୍ୟମରେ ଚାଲେଞ୍ଜ କରିଥିଲେ ଓଡିଶାର ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜା ନିଜର ସାମ୍ବିଧାନିକ ପଦବୀକୁ ପ୍ରଚ୍ଛନ୍ନ ରଖି ଜଣେ ବରିଷ୍ଠ ଆଡଭୋକେଟ ଭାବେ କିଟ ସପକ୍ଷରେ ଲଢିଥିଲେ ଜଷ୍ଟିସ ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ହାଇକୋର୍ଟର ଏକ ଜଣିକିଆ ବିଚାରପୀଠ ସମଗ୍ର କେଶଟିକୁ ଶୁଣାଣି ନକରି କେବଳ ଶ୍ରୀ ପରିଜାଙ୍କ ପ୍ରାର୍ଥନା କ୍ରମେ ସୂଚନା କମିଶନଙ୍କ ଆଦେଶର କାର୍ଯୀକାରିତା ଉପରେ ତା ୨୭ ଅଗଷ୍ଟରେ ଅନିର୍ଦିଷ୍ଟ କାଳ ପାଇଁ ଏକ ସ୍ଥଗିତାଦେଶ ଜାରି କରିଥିଲେ କିଟ ଭଳି ଏକ ଘରୋଇ ସଂସ୍ଥା ସପକ୍ଷରେ ଶ୍ରୀ ପରିଜାଙ୍କ ଛଦ୍ମବେଶୀ ଓକିଲାତି ଜଷ୍ଟିସ ରଥଙ୍କ ତରବାରିଆ ସ୍ଥଗିତାଦେଶ ହିଁ ପରବର୍ତ୍ତୀ ସମୟରେ ଜନମାନସରେ ପ୍ରଥମେ ଚାପା ଗୁଞ୍ଜରଣ ପରେ ବିବଦମାନତା ସୃଷ୍ଟି କରିଥିଲା ବର୍ତ୍ତମାନର ଏହି ଆଲେଖ୍ୟ ହାଇକୋର୍ଟଙ୍କ ସେହି ବିବଦମାନ ସ୍ଥଗିତାଦେଶର ଏକ ବସ୍ତୁନିଷ୍ଠ ବ୍ୟବଚ୍ଛେଦ ଦିଗରେ ଏକ ପ୍ରାଥମିକ ନମ୍ର ଅଭିପ୍ରୟାସ ମାତ୍ର

ପ୍ରଥମେ ଆମେ ଜାଣିବା, ସୂଚନା କମିଶନଙ୍କ ୯୨- ପୃଷ୍ଠା ଆଦେଶର ସାରମର୍ମ କଣ ଥିଲା ? କମିଶନଙ୍କ ଓଏବସାଇଟ http://orissasoochanacommission.nic.inରେ ସାର୍ବଜନୀନ ହୋଇଥିବା ଆଦେଶ (S.A. No. 228/ 2015 filed by Pradip Pradhan decided on 05/08/2021) ର ଶେଷ ଦୁଇଟି ପାରା (୧୨.୩ ଏବଂ ୧୩ )ରେ କୁହାଯାଇଛି ଯେ, କିଟ ସଂସ୍ଥା ବିଭିନ୍ନ ସରକାରୀ ସୂତ୍ରରୁ ପ୍ରଭୂତ ମାତ୍ରାରେ ରିହାତି ମୂଲ୍ୟର ଜମି, ଅର୍ଥମଞ୍ଜୁରୀ ଓ ଟିକସ ରିହାତି ଇତ୍ୟାଦି ଭଳି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ବଳ ଯୋଗାଡ କରି ମୂଳରୁ ଏଯାବତ ନିଜର କାୟାବୃଦ୍ଧି କରିଆସିଛି, ଯାହାକୁ ପ୍ରତ୍ୟାହାର କରିନେଲେ ସେ ନିଜର ସେହି ସ୍ଥିତିକୁ ବଜାୟ ରଖିବା ଅସମ୍ଭବ ହେବ ଏହାଛଡା କିଟ ବିଭିନ୍ନ କ୍ଷେତ୍ରରେ ଏକ ସର୍ବସାଧାରଣ ସଂସ୍ଥା ଭଳି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏସବୁ ତଥ୍ୟାବଳୀକୁ ଦୃଷ୍ଟିରେ ରଖି ତଥା ଘରୋଇ ସଂସ୍ଥାମାନେ କେଉଁ ସ୍ଥିତିରେ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇପାରିବେ, ସେ ସଙ୍କ୍ରାନ୍ତରେ ସୁପ୍ରିମ କୋର୍ଟ ତଥା ଓଡିଶା ହାଇକୋର୍ଟଙ୍କ ସମେତ ବିଭିନ୍ନ ହାଇକୋର୍ଟଙ୍କ ରାୟ ତର୍ଜମା ଆଧାରରେ କମିଶନ କିଟକୁ ସୂଚନା ଅଧିକାର ଆଇନ ୨୦୦୫ର ଧାରା (ଏଚ)(ଡି)() ଅଧୀନରେ ଏକ ଜନ-କର୍ତ୍ତୃପକ୍ଷ ଭାବେ ଘୋଷଣା କରିଥିଲେ ସମ୍ପୃକ୍ତ ଆବେଦକଙ୍କୁ ବିଧିମତେ ସୂଚନା ପ୍ରଦାନ ପାଇଁ ଆଦେଶ ଦେଇଥିଲେ ଏଠାରେ ଉଲ୍ଲେଖନୀୟ ଯେ, କମିଶନ ଏଭଳି ଆଦେଶ ଜାରି କରିବା ପଛରେ ବିଗତ ୨୦୧୪ରେ ଖୋଦ ଜଷ୍ଟିସ ବିଶ୍ଵନାଥ ରଥ କିଟ ସମ୍ବନ୍ଧିତ ଏକ କେସରେ ଜାରି କରିଥିବା ରାୟ (https://indiankanoon.org/doc/121103760 ) ଅନ୍ୟତମ ପଥପ୍ରଦର୍ଶକ ରୂପେ କାର୍ଯ୍ୟ କରିଛି ବୋଲି କମିଶନ ତାଙ୍କ ଆଦେଶର ପାରା-୯ରେ ସୁଚାଇଛନ୍ତି           

ବର୍ତ୍ତମାନ ଆମେ ଆସିବା ଏଜି ମହାଶୟଙ୍କ ଭୂମିକା ଉପରକୁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ରାଜ୍ୟର ଏହି ସର୍ବୋଚ୍ଚ ବିଧି ଅଧିକାରୀ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ହୋଇଥାନ୍ତି ଓ ତାଙ୍କର କାର୍ଯ୍ୟକାଳ ଓ ପାରିଶ୍ରମିକ ରାଜ୍ୟପାଳଙ୍କ ଉପରେ ହିଁ ପୂରାପୂରି ନିର୍ଭର କରିଥାଏ ଏହାଛଡା କୌଣସି ବୈଧାନିକ ବ୍ୟାପାରରେ ତାଙ୍କର ନିଜସ୍ଵ କିଛି ସ୍ଵାଧୀନତା ବା ପସନ୍ଦ ନଥାଏ; କେବଳ ରାଜ୍ୟପାଳଙ୍କ ନିର୍ଦ୍ଦେଶ ମତେ, ରାଜ୍ୟର ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେ ସରକାରଙ୍କୁ କୌଣସି ବୈଧାନିକ ପରାମର୍ଶ ଦେଇପାରିବେ ବା ପଦକ୍ଷେପ ନେଇପାରିବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ନିଜର ସାମ୍ବିଧାନିକ ପଦବୀକୁ ପ୍ରଚ୍ଛନ୍ନ ରଖି ତଥା ଜଣେ ବରିଷ୍ଠ ଓକିଲର ପରିଚୟ ଦେଇ କିଟ ଭଳି ଏକ ଘରୋଇ ଶିକ୍ଷା-ବ୍ୟବସାୟିକ ସଂସ୍ଥା ସପକ୍ଷରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ, ଅର୍ଥପୁଷ୍ଟ ତତ୍ତ୍ଵାବଧାରିତ ଅର୍ଦ୍ଧ-ନ୍ୟାୟିକ ସଂସ୍ଥା ଓଡିଶା ସୂଚନା କମିଶନଙ୍କ ଆଦେଶ ବିରୁଦ୍ଧରେ ଓକିଲାତି କରିବା ପାଇଁ ରାଜ୍ୟପାଳ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ କି? ଏହାଛଡା,  ରାଜ୍ୟର ସର୍ବୋଚ୍ଚ ଓକିଲ ଭାବେ ସେ ଏକଥା ଜାଣିଥିବେ ଯେ, ବିଗତ ୨୦୧୪ ମସିହାରେ ଓଡିଶା ହାଇକୋର୍ଟର ଜଷ୍ଟିସ ବିଶ୍ଵନାଥ ରଥ ତାଙ୍କ ରାୟରେ କିଟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ଆଦେଶ ଦେଇସାରିଛନ୍ତି ତେଣୁ, ସେ ବରଂ କିଟ ବିରୁଦ୍ଧରେ ଅଦାଲତ ଅବମାନନାର କେସ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରିଥାନ୍ତେ ପ୍ରଶ୍ନ ଉଠୁଛି, କିଟ ଉପରେ ହାଇକୋର୍ଟଙ୍କ ଏହି ରାୟର ସମୀକ୍ଷା ନକରାଇ ସେ କିପରି ସୂଚନା କମିଶନଙ୍କର ଏକ ଅନୁରୂପ ଆଦେଶ ବିରୁଦ୍ଧରେ ଓକିଲାତି କଲେ କିଟର ସ୍ଵାର୍ଥସାଧନ ପାଇଁ କମିଶନଙ୍କ ରାୟ ଉପରେ ସ୍ଥଗିତାଦେଶ ଆଣିପାରିଲେ? ଶ୍ରୀ ପରିଜା ଏକଦା ଭାରତୀୟ ବାର କାଉନ୍ସିଲର ଅଧ୍ୟକ୍ଷ ଥିଲେ ଏବଂ ଆଡଭୋକେଟ ମାନଙ୍କ ପାଇଁ କାଉନ୍ସିଲ ପ୍ରସ୍ତୁତ କରିଥିବା ଆଚରଣ ସଂହିତାର ଏହି ମୌଳିକ ଶିକ୍ଷା ବିଷୟରେ ସେ ଭଲ ଭାବେ ଜାଣିଥିବେ- ଜଣେ ଓକିଲ କେବେ ହେଲେ ତାର ମହକିଲ ବିରୁଦ୍ଧରେ ଯାଇ ପାରିବ ନାହିଂ ଏଜି ଭାବେ ତାଙ୍କର ମହକିଲ ହେଉଛନ୍ତି, ସମଗ୍ର ଓଡିଶା ସରକାର ତାହାର ସମସ୍ଥାସମୂହ ପ୍ରଶ୍ନ ଉଠୁଛି, ସେ କିଟ ଭଳି ଏକ ଘରୋଇ ସଂସ୍ଥାର ସ୍ଵାର୍ଥସାଧନ ପାଇଁ କିପରି ତାଙ୍କର ମହାନ ମହକିଲ-ଓଡିଶା ସରକାରଙ୍କ ଏକ ସୁପ୍ରତିଷ୍ଠିତ କର୍ତ୍ତୃପକ୍ଷ ଓଡିଶା ସୂଚନା କମିଶନଙ୍କ ଆଦେଶର ବିରୁଦ୍ଧାଚରଣ କଲେ?

ଏବେ ଆମେ ଆସିବା ଜଷ୍ଟିସ ବିଶ୍ଵନାଥ ରଥଙ୍କ ଭୂମିକାକୁ ସେ ଭଲ ରୂପେ ଜାଣିଛନ୍ତି, ତାଙ୍କୁ ନେଇ ଗଠିତ ଏକ ଜଣିକିଆ ବିଚାରପୀଠ ଡକ୍ଟର ଉତ୍ତମ କୁମାର ସାମନ୍ତ ବନାମ କିଟ ବିଶ୍ୱବିଦ୍ୟାଳୟ ଶୀର୍ଷକ ଏକ ରିଟ ଆବେଦନ (ସଂଖ୍ୟା ୧୭୧୭୧/୨୦୧୧) ଶୁଣାଣି କରି ବିଗତ ୨୯.୦୯.୨୦୧୪ରେ ଜାରି କରିଥିବା ରାୟର ଉପସଂହାର (ପାରା-୨୭)ରେ ସୂଚାଇଥିଲେ ଯେ, ତାଙ୍କୁ ପ୍ରତୀତ ହେଉଛି, କିଟ ବିଶ୍ୱବିଦ୍ୟାଳୟ ନିଜକୁ ସୂଚନା ଅଧିକାର ଆଇନ ୨୦୦୫ ଏବଂ ଓଡିଶା ସୂଚନା ଅଧିକାର ନିଯମାବଳୀ ୨୦୦୫ ଅଧୀନରେ ପରିସରଭୁକ୍ତ କରିସାରିଛି ତେଣୁ ସମ୍ପୃକ୍ତ ପିଟିସନର ବ୍ୟକ୍ତି କିଟ ନିକଟରୁ ତାଙ୍କ ଆଦେଦିତ ସୂଚନାବଳୀକୁ ହାସଲ ପାଇଁ ଏହି ଆଇନର ଆଶ୍ରୟ ନେଇପାରନ୍ତି ଏଠାରେ ଉଲ୍ଲେଖନୀୟ ଯେ, ଜଷ୍ଟିସ ରଥଙ୍କ ଏହି ରାୟ ପରେ କିଟ ସୂଚନା ଅଧିକାରକୁ ନେଇ ଓଡିଶା ହାଇକୋର୍ଟରେ ଆଉ କୌଣସି ରାୟ ପ୍ରକାଶ ପାଇନାହିଂ ଏବଂ ବସ୍ତୁତ: ଆଜିକାର ସ୍ଥିତିରେ ଓଡିଶା ହାଇକୋର୍ଟଙ୍କ ସୁବିଚାରିତ ଅବସ୍ଥାନ ହେଉଛି - କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇଥିବା ଏକ ଘରୋଇ ସଂସ୍ଥା କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, କିଟକୁ ସୂଚନା ଅଧିକାର ପରିସରଭୁକ୍ତ ବୋଲି ଘୋଷଣା କରି ଓଡିଶା ସୂଚନା କମିଶନ ଯେତେବେଳେ ଏକ ସୁବିଚାରିତ, ସୁବିସ୍ତୃତ ଅନୁରୂପ ଆଦେଶ ଜାରି କଲେ ଏବଂ ଏହାକୁ ଚାଲେଞ୍ଜ କରି କିଟ ମାଲିକ ତଥା ରାଜନେତା-ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ଯେତେବେଳେ ଏଜି ଶ୍ରୀ ପରିଜାଙ୍କୁ ନିଜର ବ୍ୟକ୍ତିଗତ ଓକିଲ ଭାବେ ଠିଆ କରାଇଲେ, ଜଷ୍ଟିସ ରଥ ସେତେବେଳେ ନିଜର ୨୦୧୪ ରାୟକୁ ପୂରାପୂରି ଭୁଲିଗଲେ ପ୍ରତିପକ୍ଷମାନଙ୍କ ଉପସ୍ଥିତିରେ ସମଗ୍ର ବିଷୟକୁ ସମୀକ୍ଷା ନକରି ବୈଦ୍ୟୁତିକ ବେଗରେ ଉଭୟ କିଟ ମାଲିକ ତାଙ୍କ ଓକିଲ ଶ୍ରୀ ପରିଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ କମିଶନଙ୍କ ଆଦେଶର କାର୍ୟ୍ୟକାରିତା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାଡିକିଆ ସ୍ଥଗିତାଦେଶ ଜାରି କଲେ ପୁଣି ମନେ ହୁଏ, ଶ୍ରୀ ରଥ ସ୍ଥଗିତାଦେଶ ଜାରି କରିବା ପୂର୍ବରୁ କମିଶନଙ୍କ ଆଦେଶକୁ ଆଦୌ ପଢିନାହାନ୍ତି, ନଚେତ ଏହି ଆଦେଶର ବିଭିନ୍ନ ସ୍ଥାନରେ ବିଶେଷ କରି ପାରା-୯ରେ ସେ ନିଜକୁ ଭେଟଣା କରିଥାନ୍ତେ ତା ଫଳରେ ହୁଏତ ସମଗ୍ର ବିଷୟର ଏକ ସାମଗ୍ରୀକ ସମୀକ୍ଷା ପାଇଁ ଅଧିକ ସମୟ ନେଇଥାନ୍ତେ ଅଥବା ନୈତିକତା ଦୃଷ୍ଟିରୁ ନିଜକୁ ଏହି କେସ ଶୁଣ।ଣିରୁ ପୂରାପୂରି ଓହରାଇ ନେଇଥାନ୍ତେ ଓଡିଶା ସୂଚନା କମିଶନଙ୍କ ସମ୍ବନ୍ଧୀତ କେଶ ଶୁଣାଣୀରୁ ନିଜକୁ ଓହରାଇ ନେବାର ଆଉ ଏକ ବଳିଷ୍ଠ ସଫେଇ ମଧ୍ୟ ସେ ଦର୍ଶାଇ ପାରିଥାନ୍ତେ, ତାହା ହେଲାଶ୍ରୀ ବିଶ୍ଵନାଥ ରଥ ଏକଦା ଓଡିଶା ସୂଚନା କମିଶନଙ୍କ କର୍ମଚାରୀ ଥିଲେ

ପରିଶେଷରେ ପ୍ରଶ୍ନ ଉଠେ, କିଟ ହେଉଛି ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ୨୦୧୪ରେ ଓଡିଶା ହାଇକୋର୍ଟଙ୍କ ରାୟକୁ କିଟ ସଂସ୍ଥାର ସେକ୍ରେଟାରୀ ଶ୍ରୀ ଅଚ୍ୟୁତ ସାମନ୍ତ ଏତେବର୍ଷ ଧରି ଉଲ୍ଲଂଘନ କରି ଚାଲିଲେ କେମିତି? ମନେ ହୁଏ, ହାଇକୋର୍ଟଙ୍କ ଆଦେଶ ପ୍ରତି ଶ୍ରୀ ସାମନ୍ତଙ୍କ ଭଳି ଜଣେ ରାଜନେତା-ଶିକ୍ଷା ବ୍ୟବସାୟୀଙ୍କ ଏହି ବେପରୁଆ ମତିଗତିକୁ ଢିରା ଦେବା ପାଇଁ ଓଡିଶାର ଚଳନ୍ତି ନ୍ୟାୟ-ବ୍ୟବସ୍ଥା ଭିତରେ ମହାଧିବକ୍ତା ଶ୍ରୀ ଅଶୋକ ପରିଜା ନ୍ୟାୟମୂର୍ତ୍ତି ଶ୍ରୀ ବିଶ୍ଵନାଥ ରଥଙ୍କ ଭଳି କେହି ନା କେହି ବଡଭାଇ ସବୁବେଳେ ଜୁଟିଥିବେ

Chitta Ranjan Behera, Advocate Orissa High Court (BCE No. O- 419/1995), Dt 15.10.2021, Mobile No. 9437577546             

ସୂଚନା କମିଶନଙ୍କ କିଟ-ନିଷ୍ପତ୍ତିକୁ ଭଣ୍ଡୁର କରିବା ପାଇଁ ଓଡିଶା ହାଇକୋର୍ଟରେ ତ୍ରିନାଥ ମେଳା

ନିକଟରେ ସୁପ୍ରିମ କୋର୍ଟର ଜଣେ ବିଶିଷ୍ଟ ଆଡଭୋକେଟ ଶ୍ରୀଯୁକ୍ତ ଅକ୍ଷୟ ପଣ୍ଡା ଉପରୋକ୍ତ ପ୍ରସଙ୍ଗରେ ମୋର ବକ୍ତବ୍ୟକୁ ନେଇ କେତେକ ଯଥାର୍ଥ ପ୍ରଶ୍ନ ଊତଥାପନ କରିଛନ୍ତି, ଯେଉଁଥିପାଇଁ ମୁଁ କୃତଜ୍ଞ; କାରଣ ସେହି ପ୍ରଶ୍ନଗୁଡିକ ଆହୁରି ଅନେକ ବନ୍ଧୁମାନଙ୍କ ମନରେ ଉଙ୍କି ମାରିଥିବ, ଯଦିଓ ସେମାନେ ତାହା ପ୍ରକାଶ କରିନାହାନ୍ତି ଶ୍ରୀ ପଣ୍ଡାଙ୍କ ପ୍ରଥମ ପ୍ରଶ୍ନ ହେଲା, 2014ରେ ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଓଡିଶା ହାଇକୋର୍ଟଙ୍କ ଜଣକିଆ ବେଞ୍ଚ କିଟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ଏକ ଚୂଡାନ୍ତ ଘୋଷଣା କରିଥିବା ସତ୍ତ୍ୱେ କିଟ ଯଦି ଏହାକୁ ଅମାନ୍ୟ କରି ଚାଲିଲେ, ତେବେ କିଟ ବିରୁଦ୍ଧରେ ଅଦାଲତ ଅବମାନନାର କେଶ ଏତେ ବର୍ଷ ମଧ୍ୟରେ ରୁଜୁ ହେଲା ନାହିଂ କାହିଁକି ? ତାଙ୍କର ଦ୍ଵିତୀୟ ପ୍ରଶ୍ନ ହେଉଛି, ଓଡିଶା ସୂଚନା କମିଶନ 5ଅଗଷ୍ଟ 2021ରେ କିଟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ଏକ ଜନ କର୍ତ୍ତୃପକ୍ଷ ରୂପେ ଘୋଷଣା କରି ଯେଉଁ ନିଷ୍ପତ୍ତି ପ୍ରଦାନ କଲେ, ଏବଂ ତାହା ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ କିଟ ସଂସ୍ଥା ତା 26 ଅଗଷ୍ଟରେ ଓଡିଶା ହାଇକୋର୍ଟଙ୍କ ନିକଟରେ ଅନ୍ତର୍ବର୍ତ୍ତୀ ଦରଖାସ୍ତ (ଆଇ) ପେଶ କଲେ, ଏବଂ ଠିକ ପରଦିନ ଅର୍ଥାତ ତା 27 ଅଗଷ୍ଟରେ ହାଇକୋର୍ଟ କିଟଙ୍କ ପ୍ରାର୍ଥନା ମତେ ସ୍ଥଗିତ।ଦେଶ ଜାରି କଲେ, ସେତେବେଳେ 2014 ରାୟ ଉପରେ ଚର୍ଚ୍ଚା ହୋଇନଥିଲା ? ତାଙ୍କର ତୃତୀୟ ପ୍ରଶ୍ନ, ବରଂ ଜିଜ୍ଞାସା ଥିଲା, କିଟ ନିଜର ଅନ୍ତର୍ବର୍ତ୍ତୀ ଦରଖାସ୍ତ ସହିତ ନିଶ୍ଚିତ ରୂପେ ଏକ ରିଟ ଦରଖାସ୍ତ ଦାଖଲ କରିଥିବେ; ସେହି ଦରଖାସ୍ତ ଉପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି ହୋଇନି କି?

ଯେହେତୁ ପ୍ରଶ୍ନଗୁଡିକ ପରସ୍ପର ଓତୋପ୍ରୋତ ଭାବେ ଜଡିତ, ତେଣୁ ମନେହୁଏ ସେଗୁଡିକର ସାମଗ୍ରିକ ଉତ୍ତର ଖୋଜିବା ସମୀଚୀନ ହେବ, ଏବଂ ତାହା ଭିତରେ ଶ୍ରୀ ପଣ୍ଡାଙ୍କ ବିଶେଷ ବିଶେଷ ପ୍ରଶ୍ନର ଉତ୍ତର ସମାହିତ ହୋଇଥିବା ବାଞ୍ଛନୀୟ ଏହା ଏକ ବିଡମ୍ବନା ଯେ, କିଟ ସଂସ୍ଥା ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ଓଡିଶା ହାଇକୋର୍ଟ ଯେଉଁ ତାରିଖରେ ରିଟ ଆବେଦନ ସଂଖ୍ୟା 17171/2011 (ଡକ୍ଟର ଉତ୍ତମ କୁମାର ସାମନ୍ତ ବନାମ କିଟ ବିଶ୍ବବିଦ୍ୟାଳୟ ଅନ୍ୟମାନେ) ଉପରେ ନିଜ ରାୟର ପାରା-27ରେ ଘୋଷଣା କରିଥିଲେ, ଠିକ ସେହି ତାରିଖ, ଅର୍ଥାତ ତା 29.09.2014ରେ କିଟ ସଂସ୍ଥାର ଜନସୂଚନା ଅଧିକାରୀ ଆରଟିଆଇ ଆବେଦକ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ତାଙ୍କ ଦରଖାସ୍ତକୁ ଫର୍ମ-ସି ରେ ଖାରଜ କରିବା ସହିତ ଜଣାଇଥିଲେ ଯେ, ତାଙ୍କ ସଂସ୍ଥା ଆରଟିଆଇ ଅଧୀନରେ ସୂଚନା ଦେବା ପାଇଁ ବାଧ୍ୟ ନୁହନ୍ତି (ଦ୍ରଷ୍ଟବ୍ୟ ପ୍ରଦୀପ ପ୍ରଧାନ ବନାମ କିଟ ଦ୍ଵିତୀୟ ଅପିଲ କେଶ ନମ୍ବର 228/2015ରେ ଓଡିଶା ସୂଚନା କମିଶନଙ୍କ ନିଷ୍ପତ୍ତି ତା 05.08.2021 ପାରା-9)ଉକ୍ତ କେଶର ଶୁଣାଣି ପ୍ରକ୍ରିୟାରେ କମିଶନ କିଟଙ୍କୁ ପଚାରିଥିଲେ, ଆପଣ ହାଇକୋର୍ଟଙ୍କ ଉକ୍ତ ରାୟକୁ ଚାଲେଞ୍ଜ କରିଥିଲେ କି? କିନ୍ତୁ କିଟ ଏହାର ସିଧାସଳଖ ଉତ୍ତର ନଦେଇ କହିଥିଲେ ଯେ, ହାଇକୋର୍ଟଙ୍କ ସେହି ଉକ୍ତି କେବଳ ଏକ ପାର୍ଶ୍ଵ ମନ୍ତବ୍ୟ ଥିଲା ସୁତରାଂ, ଏହିଭଳି କିଟ ହାଇକୋର୍ଟଙ୍କ ରାୟକୁ ମାନିବେ କଣ, ସେ ନିଜେ ମୂଳରୁ ହିଁ ଏହି ରାୟ ପ୍ରତି କଟାକ୍ଷପାତ କରି କମିଶନଙ୍କ ଭଳି ଏକ ବୈଧାନିକ କର୍ତ୍ତୃପକ୍ଷଙ୍କ ନିକଟରେ ମନମୁଖୀ ବେମାନିଆ ଯୁକ୍ତି ବାଢିଚାଲିଲେ ଅନ୍ୟ ପକ୍ଷରେ କମିଶନଙ୍କ ନିକଟରେ ଅପିଲକର୍ତ୍ତା ଶ୍ରୀ ପ୍ରଦୀପ ପ୍ରଧାନ କିଭଳି ପ୍ରତିପକ୍ଷ କିଟକୁ ସୂଚନା ଅଧିକାର ଆଇନ ଅଧୀନସ୍ଥ ଏକ ଜନକର୍ତ୍ତୃପକ୍ଷ ସୂଚନା ପ୍ରଦାନ ପାଇଁ ଦାୟିତ୍ଵବଦ୍ଧ ବୋଲି ସାବ୍ୟସ୍ତ କରିପାରିବେ, ସେହି ପ୍ରୟାସରେ ନିରନ୍ତର ନିଯୋଜିତ ହୋଇରହିଲେ (ଦ୍ରଷ୍ଟବ୍ୟ- କମିଶନଙ୍କ ନିଷ୍ପତ୍ତି ତା ୦୫.୦୮.୨୦୨୧)  

ଏଠାରେ ସୂଚନା-ଯୋଗ୍ୟ, ଆମର ସାମ୍ବିଧାନିକ ବ୍ୟବସ୍ଥାରେ କେବଳ ଊର୍ଦ୍ଧ୍ଵତନ ନ୍ୟାୟାଳୟ, ଯଥା ସୁପ୍ରିମ କୋର୍ଟ (ଧାରା 129) ହାଇକୋର୍ଟ (ଧାରା 2015)ଙ୍କୁ କୋର୍ଟ ଅଫ ରେକର୍ଡର ମାନ୍ୟତା ତଥା ସେମାନଙ୍କୁ ଅବମାନନା କରୁଥିବା କୌଣସି ବ୍ୟକ୍ତି ବା ସଂସ୍ଥାକୁ ଦଣ୍ଡିତ କରିବାର କ୍ଷମତା ଅର୍ପଣ କରାଯାଇଛି ଏହାର ସରଳାର୍ଥ ହେଲା, ଏହି ଦୁଇଟି ଉଚ୍ଚତନ ଅଦାଲତ ଜାଣନ୍ତି, ସେମାନେ କେଉଁ ବ୍ୟାପାରରେ କି ରାୟ ଦେଲେ ସମ୍ପୃକ୍ତ ପକ୍ଷ ତାହାକୁ ଅନୁପାଳନ କଲେ କି ନାହି ତେଣୁ କୌଣସି ବ୍ୟକ୍ତି ସୂଚାଇଲେ ମଧ୍ୟ ଏହି ଦୁଇଟି ଉଚ୍ଚତନ ଅଦାଲତ ନିଜ ପ୍ରତି ଅବମାନନା କାରଣରୁ ସ୍ଵୟଂଚାଳିତ ହୋଇ ଅବମାନନାକାରୀଙ୍କୁ ଦଣ୍ଡିତ କରିପାରନ୍ତି [ଦ୍ରଷ୍ଟବ୍ୟ- ପ୍ରଶାନ୍ତଭୂଷଣ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ସୁପ୍ରିମ କୋର୍ଟଙ୍କ ସ୍ଵୟଂଚ।ଳିତ ଅବମାନନା କେଶ (ଫୋଜଦାରି) ନମ୍ବର 1/2021 ଉପରେ ଜଷ୍ଟିସ ଅରୁଣ ମିଶ୍ର, ଜିଆର ଗଭଇ ଓ କ୍ରୀଷ୍ଣା ମୁରାରୀଙ୍କ ରାୟ ୩୧.୦୮.୨୦୨୦] ସୁତରାଂ, ସମ୍ବିଧାନର ଧାରା ୨୧୫ ଅନୁଯାୟୀ ହାଇକୋର୍ଟଙ୍କ ୨୦୧୪ ରାୟକୁ ଉଲ୍ଲଂଘନ କରିଥିବା କିଟ ସଂସ୍ଥା ବିରୁଦ୍ଧରେ ଅଦାଲତ ଅବମାନନା ପାଇଁ ଦଣ୍ଡବିଧାନ କରିବା ଓଡିଶା ହାଇକୋର୍ଟ ବିଶେଷ କରି ରାୟପ୍ରଦାନକାରୀ ଜଷ୍ଟିସ ବିଶ୍ଵନାଥ ରଥଙ୍କ ସଂପୂର୍ଣ୍ଣ ଦାୟବଦ୍ଧତା ଥିଲା, ଏଥିରେ ତିଳେମାତ୍ର ସନ୍ଦେହ ନ।ହିଁ କିନ୍ତୁ ନିଜେ ବାଡ ଯଦି କ୍ଷେତ ଖାଏ, ତେବେ ଆମେ ଏହାର କି ପ୍ରତିକାର କରିପାରିବା?   

ବର୍ତ୍ତମାନ ଆମେ ଫେରିବା ଗତ ତା ୨୭.୦୮.୨୦୨୧ରେ ଓଡିଶା ହାଇକୋର୍ଟର ଜଷ୍ଟିସ ବିଶ୍ଵନାଥ ରଥଙ୍କୁ ନେଇ ଜଣକିଆ ବେଞ୍ଚ ଫଇସଲା କରିଥିବା କିଟର ଅନ୍ତର୍ବର୍ତ୍ତୀ ବେଦନ ପ୍ରତିପକ୍ଷମାନଙ୍କୁ ଶୁଣାଣି ନକରି କେବଳ ସେହି ଆବେଦନ ଅନୁଯାୟୀ ସୂଚନା କମିଶନଙ୍କ ଅଗଷ୍ଟ ନିଷ୍ପତ୍ତି ଉପରେ ଜାରି କରିଥିବା ସ୍ଥଗିତାଦେଶ ଉପରକୁ ଏହା ଏକ ସ୍ଵତସିଦ୍ଧ ସତ୍ୟ ଯେ, ଆଉ କେହି ଜାଣିଥାନ୍ତୁ ବା ନ।ହିଁ, ସ୍ଵୟଂ ଜଷ୍ଟିସ ରଥ ଜାଣିଥିଲେ, ସେ ନିଜେ ୨୦୧୪ ମସିହାରେ କିଟ ସୂଚନା ଅଧିକାର ଆଇନ ରାଜ୍ୟ ନିଯମାବଳୀ ୨୦୦୫ର ପରିସରଭୁକ୍ତ ବୋଲି ରାୟ ଦେଇସାରିଛନ୍ତି ସୁତରାଂ, ଜଷ୍ଟିସ ରଥ ପ୍ରଥମେ ପ୍ରଶ୍ନ ଉଠାଇଥାନ୍ତେ, ୨୦୧୪ରେ ଜାରି ହୋଇଥିବା ହାଇକୋର୍ଟଙ୍କ ରାୟକୁ କିଟ କେଉଁଥିପାଇଁ ପାଳନ କରିନାହିଁ ସେହି କାରଣରୁ କିଟ ଉପରେ ହାଇକୋର୍ଟ ଅବମାନନା କେଶ କାହିଁକି କରାଯିବନି ? ପୁଣି, ସେ ଏହି କାରଣରୁ କିଟ ଦ୍ଵାରା ଆଗତ ଉଭୟ ରିଟ ଅନ୍ତର୍ବର୍ତ୍ତୀ ଆବେଦନକୁ ସମୂଳେ ଖାରଜ କରିଥାନ୍ତେ ଆହୁରି ବିସ୍ମୟର କଥା, କମିଶନଙ୍କ ୯୨ପୃଷ୍ଠା ବ୍ୟାପୀ ନିଷ୍ପତ୍ତି ଭିତରେ ହାଇକୋର୍ଟଙ୍କ ୨୦୧୪ ରାୟକୁ କେନ୍ଦ୍ରକରି ବାରମ୍ବାର ବିଭିନ୍ନ ତଥ୍ୟାବଳୀ ସୂଚୀତ ହୋଇଛି ତାକୁ ପଢିଥିଲେ, ସେ ହୁଏତ ଏତେ ବ୍ୟଗ୍ରତା ସହିତ କିଟର ଅବାଞ୍ଛିତ ପ୍ରାର୍ଥନାକୁ ମଞ୍ଜୁର କରିନଥାନ୍ତେ ଯେତେଦୂର ମନେ ହୁଏ, ସେ ଏହା ପଢିନାହାନ୍ତି କିଟର ଓକିଲ ଭାବେ ଠିଆ ହୋଇଥିବା ରାଜ୍ୟର ସର୍ବୋଚ୍ଚ ବିଧି ଅଧିକାରୀ ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କ ଉପସ୍ଥିତିରେ ବିହ୍ଵଳିତ ହୋଇ ନିଜେ ମଧ୍ୟ କିଟ-ମୁଖ୍ୟ ଶ୍ରୀ ଅଚ୍ୟୁତ ସାମନ୍ତଙ୍କ ଠାରୁ ସାବାସି ଆଶା କରି ନିଜର 2014 ରାୟକୁ ନେପଥ୍ୟକୁ ଟାଣିନେଲେ କୌଣସି ଶୁଣାଣି ନକରି କମିଶନଙ୍କ ନିଷ୍ପତ୍ତି ଉପରେ ଅବିଳମ୍ବେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ସ୍ଥଗିତାଦେଶ ଘୋଷଣା କଲେ ଆଉ ଏକ ଦୃଷ୍ଟିରୁ ବିଚାର କଲେ, ବିଚାରକମାନଙ୍କ ପାଇଁ ବାଙ୍ଗାଲୋର ଆଚରଣ ସଂହିତା (2006) ଅନୁଯାୟୀ ଜଷ୍ଟିସ ରଥ କିଟ ଦ୍ଵାରା ଆଗତ ରିଟ ଅନ୍ତର୍ବର୍ତ୍ତୀ ଆବେଦନକୁ ଆଦୌ ଶୁଣିବ। ବାଞ୍ଛନୀୟ ନଥିଲା, କାରଣ ସେ ମାମଲାଟିର ଉଭୟ ପକ୍ଷଙ୍କୁ ଘନିଷ୍ଠ ଭାବେ ଜାଣିଥିଲେ ସେ ଜଜ ହେବା ପୂର୍ବରୁ ଏକଦା ରାଜ୍ୟ ସୂଚନା କମିଶନଙ୍କ ଓକିଲ ଥିଲେ ଜଜ ହେବା ପରେ 2014ରେ କିଟ ଉପରେ ଆଗତ ରିଟ ଆବେଦନର ଶୁଣାଣି କରି ରାୟ ପ୍ରଦାନ କରିଥିଲେ ଚଳିତ ବର୍ଷ ଜୁନ ମାସରେ ସୁପ୍ରିମ କୋର୍ଟର ଦୁଇଜଣ ନ୍ୟାୟାଧୀଶ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଜଷ୍ଟିସ ଅନିରୁଦ୍ଧ ବୋଷ ପଶ୍ଚିମ-ବଂଗର ନିର୍ବାଚନ-ପରବର୍ତ୍ତୀ ହିଂସା-ସମ୍ବନ୍ଧୀତ କେଶ ଶୁଣାଣିରୁ ନିଜକୁ ପ୍ରତ୍ୟାହାର (ରିକୁଜ) କରିଥିଲେ; କାରଣ ଥିଲା, ସେମାନେ ଆଗରୁ କୋଲକାତା ହାଇକୋର୍ଟରେ ସମ୍ପୃକ୍ତ ପକ୍ଷମାନଙ୍କୁ ନେଇ ସମଦୃଶ ପ୍ରସଙ୍ଗରେ ଶୁଣାଣି କରିସାରିଛନ୍ତି; ପୁଣି ନୂଆ ଶୁଣାଣିରେ ଜଡିତ ହେଲେ ସେମାନଙ୍କ ଦ୍ଵାରା ସ୍ଵାର୍ଥର ସଙ୍ଘାତ ଘଟିପାରେ ଜଷ୍ଟିସ ରଥ ସେମାନଙ୍କ ପଦାଙ୍କ ଅନୁସରଣ କରି କିଟ ବନାମ ସୂଚନା କମିଶନ କେଶରୁ ନିଜକୁ ପ୍ରତ୍ୟାହାର କରିବା ବାଞ୍ଛନୀୟ ଥିଲା ଯାହାହେଉନା କାହିଁକି, ଭୟ ବା ପକ୍ଷପାତିତା, ଅଥବା ପ୍ରିୟାପ୍ରୀତି ବା ବିଦ୍ଵେଷତାର ଉର୍ଦ୍ଧରେ ରହି ସମ୍ବିଧାନର ଗାରିମାକୁ ବଜାୟ ରଖିବେ ବୋଲି ହାଇକୋର୍ଟର ନ୍ୟାୟାମୂର୍ତ୍ତି ପଦଗ୍ରହଣ ବେଳେ ଜଷ୍ଟିସ ରଥ ଯେଉଁ ଶପଥ ପାଠ କରିଥିବେ, ତାଙ୍କର ଏତାଦୃଶ ଅସଦାଚରଣ ସେହି ପବିତ୍ର ଶପଥପତ୍ରକୁ ଯେ ନଗ୍ନ ଭାବେ ଉଲ୍ଲଂଘନ କରିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ

ବର୍ତ୍ତମାନ ଆମେ ଆସିବା ଅନ୍ୟତମ ସ।ମ୍ବିଧାନିକ ପଦାଧିକାରୀ ରାଜ୍ୟର ମହାଧିବକ୍ତା ଶ୍ରୀ ଅଶୋକ ପରିଜାଙ୍କ ଭୂମିକା ଉପରକୁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ପାରିତୋଷିକ-ପୁଷ୍ଟ ମହାଧିବକ୍ତା କେବଳ ରାଜ୍ୟ ସ୍ଵାର୍ଥରେ ହିଁ ସେହିସବୁ କେଶ ପରିଚାଳନା କରିବେ ବା ସେହିସବୁ ପ୍ରସଙ୍ଗରେ ବୈଧାନିକ ପରାମର୍ଶ ଦେବେ, ଯାହାକି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟପାଳ ତାଙ୍କୁ ନିର୍ଦ୍ଦେଶିତ କରିଥିବେ ଅବଶ୍ୟ ପରମ୍ପରା ଅନୁଯାୟୀ, ସେ ଗୋଟିଏ ଘରୋଇ ପକ୍ଷଙ୍କ ପାଇଁ ଆଉ ଗୋଟିଏ ଘରୋଇ ପକ୍ଷ ବିରୁଦ୍ଧରେ ଏବଂ ଓଡିଶାର ରାଜ୍ୟ-ପକ୍ଷ ବ୍ୟତିରେକ ଆଉ ଏକ ଅଣ-ଓଡିଶା ରାଜ୍ୟ ପକ୍ଷ ବିରୁଦ୍ଧରେ ସେ କେଶ ଲଢିପାରିବେ; କିନ୍ତୁ ସେ ଏକ ଘରୋଇ ପକ୍ଷ ପାଇଁ ଓଡିଶାର ଏକ ରାଜ୍ୟ-ପକ୍ଷ ବିରୁଦ୍ଧରେ କେଶ ଲଢିବା କଦାପି ବିଧିମନ୍ୟ ହେବ ନ।ହିଁ ଅଥଚ ଶ୍ରୀ ପରିଜା ଓଡିଶା ସୂଚନା କମିଶନଙ୍କ ଭଳି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଅର୍ଥପୁଷ୍ଟ ରାଜ୍ୟ-ସଂସ୍ଥା ବିରୁଦ୍ଧରେ କିଟ ଭଳି ଏକ ଘରୋଇ ସଂସ୍ଥା ସପକ୍ଷରେ ଓକିଲ ସାଜି ଏହି ସାମ୍ବିଧାନିକ ଲକ୍ଷ୍ମଣ-ଗାରକୁ ନିମିଷିକ ମଧ୍ୟରେ ପୋଛି ଦେବାର ଅପସାହାସ ଦେଖାଇପାରିଲେ କେବଳ ସେତିକି ନୁହେଁ, ସେ ନିଜର ସାମ୍ବିଧାନିକ ପଦବୀ (ଆଡଭୋକେଟ ଜେନେରାଲ)କୁ ବ୍ୟବହାର ନକରି, ନିଜର ବ୍ୟକ୍ତିଗତ ପରିଚୟ ବରିଷ୍ଠ ଆଡଭୋକେଟ ଆଢୁଆଳରେ କିଟର ଓକିଲ ଭାବେ ଠିଆ ହେଲେ, ଯାହାକି ଓଡିଆ ଢଗ ଲୁଚିଛି ନା ଗୋଡ ଦିଟା ଦିଶୁଛି ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ପୁଣି ମନେହୁଏ, ସୂଚନା କମିଶନଙ୍କ ଯେଉଁ ନିଷ୍ପତ୍ତିକୁ ରବ୍ଦ ସ୍ଥଗିତ।ଦେଶ ପାଇଁ ସେ କିଟ ସପକ୍ଷରେ ରିଟ ଅନ୍ତର୍ବର୍ତ୍ତୀ ଆବେଦନ ପେଶ କରିଛନ୍ତି, ତାକୁ ସେ ଆଦୌ ପଢିନାହାନ୍ତି; ନଚେତ ସେ ସେଥିରେ ବାରମ୍ବାର ଭେଟଣ। ହୋଇଥାନ୍ତେ ହାଇକୋର୍ଟଙ୍କ ୨୦୧୪ ରାୟ ସହିତ, ଯେଉଁଥିରେ ଜଷ୍ଟିସ ରଥ କିଟକୁ ଆର.ଟିଆଇ. ପରିସରଭୁକ୍ତ ଏକ ରାଜ୍ୟ-ସଂସ୍ଥା ବୋଲି ସାତ ବର୍ଷ ତଳେ ଚୁଡାନ୍ତ ଘୋଷଣା କରିସାରିଛନ୍ତି ଅସୀମ ଧୂର୍ତ୍ତତା ବା ଚରମ ଅଜ୍ଞତା ଅଥବା ନେଇଆଣି ଥୋଇପାରିବାରେ ଷୋଳପଣ ଅପାରଗତା, ଯାହାବି କାରଣ ହେଉ, ମହାଧିବକ୍ତା ମହୋଦୟ ନିଜର ସାମ୍ବିଧାନିକ ପଦମର୍ଯାଦାକୁ ନିଜେହିଁ ପଦାଘାତ କରିଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନ।ହିଁ ଏହାଛଡା ମହାଧିବକ୍ତା ମହାଶୟ ଗୋଟିଏ ପଟରେ ଘରୋଇ ଶିକ୍ଷା-ବ୍ୟବସାୟିକ ସଂସ୍ଥା କିଟର ମୁଖ୍ୟ ତଥା ସାଂସଦ-ରାଜନେତା ଶ୍ରୀ ଅଚ୍ୟୁତ ସାମନ୍ତଙ୍କ ପ୍ରତି ତାଙ୍କର ଅହେତୁକ ଅନୁକମ୍ପା ଏବଂ ଅନ୍ୟପଟରେ ଶ୍ରୀ ସାମନ୍ତଙ୍କ ଦ୍ଵାରା ଶତ୍ରୁ ବିବେଚିତ ହେଉଥିବା ଓଡିଶା ସୂଚନା କମିଶନ (ପ୍ରତିପକ୍ଷ ନମ୍ବର-1) ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର ପ୍ରବକ୍ତା ଶ୍ରୀ ପ୍ରଦୀପ ପ୍ରଧାନ (ପ୍ରତିପକ୍ଷ ନମ୍ବର-2)ଙ୍କ ପ୍ରତି ତୀବ୍ର ବିଦ୍ଵେଷିତା କାରଣରୁ ସେ ତାଙ୍କର ସାମ୍ବିଧାନିକ ପଦବୀରେ ତିଷ୍ଠି ରହିବାର ବୈଧାନିକ ଯୋଗ୍ୟତା ସଂପୂର୍ଣ୍ଣ ଭାବେ ହରାଇ ବସିଛନ୍ତି

ଏବେ ଆମେ ଆସିବା ଯେଉଁ ଘରୋଇ ସଂସ୍ଥା କିଟଙ୍କ ସାତଖୁଣ ମାଫ କରି ଉଭୟ ଜଷ୍ଟିସ ଶ୍ରୀ ରଥ ମହାଧିବକ୍ତା ଶ୍ରୀ ପରିଜା କିଟର ମାଲିକ ଶ୍ରୀ ଅଚ୍ୟୁତ ସାମନ୍ତଙ୍କ ମନୋବାଞ୍ଛା ପୂରଣ କଲେ, ତାଙ୍କର ଭୂମିକା ଉପରକୁ କିଟ ମାଲିକ ଶ୍ରୀ ସାମନ୍ତ କେବଳ ଜଣେ ବୃହତ ଶିକ୍ଷା-ବ୍ୟବସାୟୀ ନୁହନ୍ତି, ସେ ରାଜ୍ୟର ଶାସକ-ଦଳ ତରଫରୁ ନିର୍ବାଚିତ ହୋଇଥିବା ଜଣେ ଲୋକସଭା ସାଂସଦ ମଧ୍ୟ ବଡ ବିସ୍ମୟର କଥା, ହାଇକୋର୍ଟଙ୍କ 2014 ରାୟକୁ ସେ ନିସଙ୍କୋଚ୍ଚ ଉଲ୍ଲଂଘନ କରି ସୂଚନା କମିଶନଙ୍କ ସମ୍ମୁଖରେ ସେହି ରାୟକୁ ଏକ ପାର୍ଶ୍ଵ-ମନ୍ତବ୍ୟ ବୋଲି ପରିହାସ କରିପାରିଲେ ପୁଣି, କମିଶନ କିଟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି 2021ରେ ନିଷ୍ପତ୍ତି ଘୋଷଣା କଲାପରେ ହାଇକୋର୍ଟଙ୍କ 2014 ରାୟକୁ ସଂଗୁପ୍ତ ରଖି କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରିଲେ ଏଥିପାଇଁ ରାୟପ୍ରଦାନକାରୀ ଜଷ୍ଟିସ ବିଶ୍ଵନାଥ ରଥ କିଟ ବିରୁଦ୍ଧରେ ଅଦାଲତ ଅବମାନନାର ପ୍ରୋସିଡିଙ୍ଗ ଆରମ୍ଭ କରିବା ଉଚିତ ନଥିଲା କି? ଶ୍ରୀ ସାମନ୍ତ କେବଳ ଜଣେ ଘରୋଇ ଶିକ୍ଷା-ବ୍ୟବସାୟୀ ନୁହନ୍ତି, ସେ ମଧ୍ୟ ଜଣେ ସାଂସଦ ଭାବେ ସମ୍ବିଧାନ ପ୍ରତି ବିଶ୍ଵାସ ଆନୁଗତ୍ୟର ଶପଥ ନେଇଛନ୍ତି କିନ୍ତୁ ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଯେବେ ଯେବେ ହାଇକୋର୍ଟ ସୂଚନା କମିଶନ ତାଙ୍କୁ ତାଗିଦ କରିଛନ୍ତି, ସେ କୌଣସି ନା କୌଣସି ଆଳରେ ଏହି ଆଇନର ଜାଲରେ ନପଡିବା ପାଇଁ କୌଣସି ନା କୌଣସି ବାହାନା ବାହାର କରିଛନ୍ତି, ଏବଂ ଏହା ଫଳରେ ସେ କୋର୍ଟ କମିଶନଙ୍କ ସାମନାରେ ନିଜକୁ ଜଣେ ଚିଡାଣକାରୀ ମାମଲାଖୋର (ଭେକ୍ସେସିଅସ ଲିଟିଗାଣ୍ଟ) ଭାବେ ପରିଚୟ ଦେଇସାରିଛନ୍ତି କିନ୍ତୁ ବିଡମ୍ବନା ଏହିକି ଯେ, ଜଷ୍ଟିସ ବିଶ୍ଵନାଥ ରଥ ମହାଧିବକ୍ତା ଅଶୋକ ପରିଜାଙ୍କ ଭଳି ସମ୍ବିଧାନ ପ୍ରତି ବିଶ୍ଵାସଘାତ କରୁଥିବା ଅଥଚ ସାମ୍ବିଧାନିକ ପଦବୀରେ କ୍ଷମତାସୀନ ଥିବା ଦ୍ଵୈତ ଚରିତ୍ରମାନେ କାକତାଳୀୟ ନ୍ୟାୟରେ ତାଙ୍କ ସହିତ ଯୁଟିଯାଇ ତାଙ୍କର ସଙ୍କଟ ମୋଚନ କରିଆସିଛନ୍ତି ଏହିଭାବେ ହିଁ ସେମାନଙ୍କର ତ୍ରିନାଥ ମେଳା ଚାଲୁ ରହିଛି, ଏବଂ ଚାଲୁ ରହିବ ଯେପର୍ଯ୍ୟନ୍ତ ସମ୍ବିଧାନର ଅସଲ ନିର୍ମାତା ଆମେ ଜନଗଣ ବିପଦଗ୍ରସ୍ଥ ସମ୍ବିଧାନର ତ୍ରାଣକର୍ତ୍ତା ନହୋଇଛୁ

Chitta Ranjan Behera, Advocate, Orissa High Court (BCE No. O- 419/1995), Dt 14.11.2021, Mobile No. 9437577546, Email: chittabehera1@gmail.com

 

ସୂଚନା କମିଶନଙ୍କ କିଟ-ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଦ୍ଵାରା ସ୍ଥଗିତାଦେଶ ପ୍ରସଙ୍ଗ:                                               ମହାବଳୀ ସାଆନ୍ତ ଦୁଇ କରିତକର୍ମା ଗୁମାସ୍ତା

ଅତୀତରେ ଜମିଦାରୀ ବ୍ୟବସ୍ଥା ଥିବାବେଳେ ଗାଁର ଜମିଦାରମାନଙ୍କୁ ଲୋକେ ସାଆନ୍ତେ ବୋଲି ଡାକୁଥିଲେ ତାଙ୍କର ହିସାବପତ୍ର ମାଲିମୋକଦ୍ଦମା ବୁଝିବା ପାଇଁ କିଛି ବିଚକ୍ଷଣ ଅଥଚ ଧୂର୍ତ ବ୍ୟକ୍ତି ଗୁମାସ୍ତା ଭାବେ କାର୍ଯ୍ୟ କରୁଥିଲେ  ସାଆନ୍ତଙ୍କର କାମ ଥିଲା, କିପରି ଏହି ଗୁମାସ୍ତାମାନଙ୍କ ସାହାଯ୍ୟରେ ଯେନତେନ ପ୍ରକାରେଣ ଗାଁ ଲୋକଙ୍କ ଜମି ହଡପ କରିବା ସେମାନଙ୍କ ଦ୍ଵାରା ଅମଳ ହେଉଥିବା ଫସଲକୁ ନିଜ ଅମାରରେ ଭର୍ତ୍ତି କରିବା ଏଥିପାଇଁ ସେମାନେ ମହାଜନି କାରବାର କରୁଥିଲେ ଅଭାବୀ ପ୍ରଜାମାନଙ୍କୁ ନିଅଣ୍ଟିଆ ସମୟରେ ଋଣ ଦେଉଥିଲେ; ଋଣ ଶୁଝି ପାରୁନଥିବା ଲୋକଙ୍କ ଜମିହଡପ କରୁଥିଲେ ପୁଣି ସେହି ଜମିରେ ସେମାନଙ୍କୁ ଖଟେଇ ଅମଳ ହେଉଥିବା ଫସଲକୁ ଋଣ-ପରିଶୋଧ ନାଁରେ ନିଜ ଅମାରକୁ ବୋହି ଆଣୁଥିଲେ ଏହି ପ୍ରକାରେ ସାଆନ୍ତଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତି ବହୁଗୁଣିତ ହେଉଥିଲା ଅନ୍ୟପଟରେ ପ୍ରଜାମାନେ ସର୍ବସ୍ଵାନ୍ତ ହେଉଥିଲେ ସେମାନଙ୍କ ବିରୁଦ୍ଧରେ କେହି ଲୋକ ପାଟି ଫିଟାଇଲେ ସେମମାନଙ୍କୁ କଳେବଳେକୌଶଳେ ଜବତ କରିବା ପାଇଁ ଏକ ଲାଠିଆଳ ବାହିନୀ ସହିତ ମାମଲତକାରମାନଙ୍କୁ ହାତରେ ରଖିଥିଲେ ପୁଣି ସ୍ଥଳ ବିଶେଷରେ ଖଳବୁଦ୍ଧି ଗୁମାସ୍ତାମାନଙ୍କ ସାହାଯ୍ୟରେ ପୋଲିସ, ଅମଲା, ଓକିଲ ହାକିମମାନଙ୍କୁ ହାତ କରି ଅମାନିଆ ପ୍ରଜାମାନଙ୍କୁ ନାନାଦି ମିଥ୍ୟା ମାମଲାରେ ଛନ୍ଦି ଅକଥନୀୟ ହୀନସ୍ଥା କରୁଥିଲେ କିନ୍ତୁ ଅନ୍ୟପଟରେ ଲୋକମାନଙ୍କ ପାଖରେ ନିଜର ଦୟାବତାର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ବେଳେ ବେଳେ ମନ୍ଦିର ତୋଳାଉଥିଲେ, ଅଷ୍ଟପ୍ରହରୀ ଯଜ୍ଞ କରାଉଥିଲେ ଚାଟଶାଳୀ ମଧ୍ୟ ବସାଉଥିଲେ, ଇତ୍ୟାଦି, ଇତ୍ୟାଦି ଝିଣ୍ଟିକା ମାରି ବଣି ପୋଷୁଥିବା ଏଭଳି ଜଣେ ସାଆନ୍ତ-ଜମିଦାରଙ୍କ ନିଖୁଣ ଚିତ୍ର ବ୍ୟାସକବି ଫକୀରମୋହନଙ୍କ ଚ୍ଛମାଣ ଆଠଗୁଣ୍ଠରେ ଆମେ ଦେଖିବାକୁ ପାଇଥାଉ ସ୍ଵାଧୀନତା ପରେ ଜମିଦାରୀ ଉଚ୍ଛେଦ ମହାଜନି ନିୟନ୍ତ୍ରଣ ଆଇନ ଲାଗୁ ହେବା ପରେ ଏହି ଦୃଶ୍ୟପଟ ବଦଳିଛି ସତ, କିନ୍ତୁ ଥୋକେ ଚତୁର ବ୍ୟକ୍ତି ଆଇନର ଶାସନରେ ନିହିତ ଥିବା ଛିଦ୍ରଗୁଡିକର ସୁଯୋଗ ନେଇ ନବ୍ୟ-ମହାଜନ ଅବତାରରେ ଉଭା ହୋଇଛନ୍ତି ସେମାନେ ଏକାବେଳେ ସରକାର, ପୋଲିସ, ପ୍ରଶାସନ, ବ୍ୟାଙ୍କ, ବିଧାୟକ, ସାଂସଦ, ମନ୍ତ୍ରୀ ଅଦାଲତକୁ ନିଜ ହାତମୁଠାରେ ରଖି ସେମାନଙ୍କୁ ହିଁ ଗୁମାସ୍ତା କରି ସ୍ପଷ୍ଟ ଦିବାଲୋକରେ ସର୍ବସାଧାରଣ ସମ୍ପତ୍ତି ସରକାରୀ ରାଜକୋଷକୁ ଲୁଟ କରି ନିଜର କଳା-ସାମ୍ରାଜ୍ୟ ବଢାଇ ଚାଲିଛନ୍ତି ଏବଂ ଏହାର ସଂପୂର୍ଣ୍ଣ ସୁରକ୍ଷା ଅବାଧ ସଂପ୍ରସାରଣ ପାଇଁ ନିଜେ ମଧ୍ୟ କ୍ଷମତାସୀନ ଦଳର ରାଜନେତା   ସାଂସଦ ବନୁଛନ୍ତି ଆମ ସମୟର ଏଭଳି ଜଣେ ମହାବଳୀ ନବ୍ୟ-ସାଆନ୍ତଙ୍କୁ ଆମେ ଭେଟୁ ଓଡିଶା ସୂଚନା କମିଶନଙ୍କ ଦ୍ଵାରା ଗତ 5 ଅଗଷ୍ଟ 2021ରେ ଜାରି ହୋଇଥିବା 92-ପୃଷ୍ଠାର ଆଦେଶନାମାରେ, ଯାହାକି କିଟ ବନାମ ପ୍ରଦୀପ ପ୍ରଧାନ ମାମଲାର ଦୀର୍ଘ 7ବର୍ଷ-ବ୍ୟାପୀ ଶୁଣାଣି ପରେ ଆତ୍ମପ୍ରକାଶ କରିଛି କହିବା ବାହୁଲ୍ୟ, ତାଙ୍କର ଅଭୂତପୂର୍ବ କାରନାମାର ସୂତ୍ରପାତ ଯଦିଓ ବହୁ ପୂର୍ବରୁ ଘଟିସାରିଥିଲା, କିନ୍ତୁ ସୂଚନା ଅଧିକାର ଆଇନ 2005, ଓଡିଶା ସୂଚନା କମିଶନ, ମୁଖ୍ୟ କମିଶନର ଶ୍ରୀ ସୁନୀଲ ମିଶ୍ର, କତିପୟ ସଚ୍ଚୋଟ ସରକାରୀ ଅଧିକାରୀ ସର୍ବୋପରି ଶ୍ରୀ ପ୍ରଦୀପ ପ୍ରଧାନଙ୍କ ଭଳି ଜଣେ ଅଙ୍ଗୀକାରବଦ୍ଧ ସୂଚନା ଅଧିକାର ଯୋଦ୍ଧା ନଥିଲେ ତାହାର ଧାରାବାହିକ ଦସ୍ତାବିଜ ଏବେସୁଦ୍ଧା ଲୋକଲୋଚନକୁ ଆସିପାରିନଥାନ୍ତା ସେହି ମହାବଳୀ ସାଆନ୍ତେ ଆଉ କେହି ନୁହନ୍ତି, ସେ ଅଟନ୍ତି ଏକ ଘରୋଇ ଶିକ୍ଷା-ବ୍ୟବସାୟୀ ସଂସ୍ଥା କିଟ ଭୁବନେଶ୍ଵରର ଅବିସମ୍ବାଦିତ ସର୍ବେସର୍ବା ତଥା ରାଜ୍ୟ ଶାସକ ଦଳର ଅନ୍ୟତମ ପ୍ରଭାବଶାଳୀ ରାଜନେତା ମାନ୍ୟବର ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ

ଏହା ଅତ୍ୟୁକ୍ତି ହେବନାହିଁ- ଆୟତନ, ଭିତ୍ତିଭୂମି, ସମ୍ବଳ, ଛାତ୍ର ଶିକ୍ଷକମାନଙ୍କ ସଂଖ୍ୟା ଦୃଷ୍ଟିରୁ କିଟ ହେଉଛି କେବଳ ଓଡିଶା ନୁହେଁ, ଦେଶର ମଧ୍ୟ ଏକ ବିଶିଷ୍ଟ ଶିକ୍ଷାୟତନ, ଯାହାକି ରାଜଧାନୀ ଭୁବନେଶ୍ୱରର ଶତାଧିକ ଏକର ପରିମିତ ଏକ ସୁବିସ୍ତୀର୍ଣ୍ଣ ଅଥଚ ଅଖଣ୍ଡିତ ପରିସରରେ ବିଦ୍ୟମାନ କିଟର ନିଜସ୍ଵ ତଥ୍ୟାବଳୀ ଅନୁଯାୟୀ 1992ରେ ମାତ୍ର 5ହଜାର ଟଙ୍କାର ପୁଞ୍ଜିରୁ ଏକ ଭଡାଘରେ 12ଜଣ ପ୍ରଶିକ୍ଷାର୍ଥୀ ଦୁଇଜଣ ପ୍ରଶିକ୍ଷକଙ୍କୁ ନେଇ ଆରମ୍ଭ ହୋଇଥିବା ଏକ କ୍ଷୁଦ୍ର ବୈଷୟିକ ତାଲିମ କେନ୍ଦ୍ରରୁ ଏହାର କାୟାବୃଦ୍ଧି ଘଟି ବର୍ତ୍ତମାନ ଦେଶ-ବିଦେଶର 30ହଜାର ଉଚ୍ଚ-ଶିକ୍ଷାର୍ଥୀ ଅଢେଇ ହଜାର ଅଧ୍ୟାପକ-ଅଧ୍ୟାପିକାଙ୍କୁ ନେଇ 100ଟି ଅଲଗା ଅଲଗା ଶିକ୍ଷା ଗବେଷଣା କେନ୍ଦ୍ର ପରିଚାଳିତ ହେଉଛି ଏସବୁ ଦୃଷ୍ଟିରୁ ବିଚାର କଲେ କିଟ ଏକ ବିଶାଳ ସର୍ବସାଧାରଣ ଶିକ୍ଷା-ସଂସ୍ଥାରେ ପରିଣତ ହୋଇସାରିଛି ଏବଂ ଏହାର ପରିଚାଳନା, କାର୍ଯ୍ୟକଳାପ ତଥା ସଫଳତାର ରହସ୍ୟ ବିଷୟରେ ତଥ୍ୟାବଳୀ ଜାଣିବା ପାଇଁ ସର୍ବସାଧାରଣଙ୍କ ଭିତରେ ସ୍ଵାଭାବିକ ଉସ୍ଚୁକତା ବଢିଛି କିନ୍ତୁ ବିଡମ୍ବନା ହେଉଛି, କିଟ ଉଦଘୋଷିତ ମୂଳମନ୍ତ୍ର ଯା ବିଦ୍ୟା ସା ବିମୁକ୍ତୟେ (ବିଦ୍ୟା ହିଁ ମୁକ୍ତ କରେ) ହୋଇଥିବା ବେଳେ, କିଟ ମୁଖ୍ୟ ଶ୍ରୀ ସାମନ୍ତ ଠିକ ଏହାର ବିପରୀତ ମୂଳମନ୍ତ୍ରକୁ ପାଥେୟ କରିଆସିଛନ୍ତି, ଅର୍ଥାତ କିଟ ସ୍ଥାବର-ଅସ୍ଥାବର ସମ୍ପତ୍ତି, ପରିଚାଳନା, ଶିକ୍ଷଣ ପଦ୍ଧତି, ଅଧ୍ୟାପକ ମଣ୍ଡଳୀ, ପୃଷ୍ଠପୋଷକ ସର୍ବୋପରି ଏହାର ସଫଳତାର ରହସ୍ୟ ସମ୍ବନ୍ଧରେ ଯେମିତି କେହି କିଛି ନଜାଣନ୍ତୁ

ତାଙ୍କର ଏହି ଦୋମୁହାଁ ଆଚରଣ ଏକାଧିକ ବାର ଧରାପଡିଛି ଉଦାହରଣ ସ୍ୱରୂପ, କିଟ ଜଣେ ପୂର୍ବତନ ପ୍ରଫେସର ଡକ୍ଟର ଉତ୍ତମ କୁମାର ସାମନ୍ତଙ୍କୁ କିଟ ମନମୁଖୀ ଭାବେ ବହିଷ୍କାର କରିବା ପରେ ସେ ଓଡିଶା ହାଇକୋର୍ଟରେ ତାହାକୁ ଚାଲେଞ୍ଜ କରି ତଥା ତାଙ୍କୁ କିଟ ସୂଚନା ଅଧିକାର ଆଇନ ଅନୁଯାୟୀ ଆବଶ୍ୟକ ତଥ୍ୟାବଳୀ ଦେଉ ବୋଲି ଦାବୀ କରି 2011ରେ ଏକ ରିଟ ଆବେଦନ ଦାଖଲ କରିଥିଲେ ହାଇକୋର୍ଟରେ ଏହି ମାମଲାର ବିସ୍ତାରିତ ଶୁଣାଣି ହେବା ପରେ, କିଟର ଅନିଚ୍ଛା ସତ୍ତ୍ୱେ ଜଷ୍ଟିସ ବିଶ୍ଵନାଥ ରଥ 2014ରେ କିଟ ସୂଚନା ଅଧିକାର ଆଇନ ଏବଂ ଓଡିଶା ନିୟମାବଳୀ 2005 ପରିସରଭୁକ୍ତ ବୋଲି ରାୟ ଦେଇଥିଲେ କିନ୍ତୁ କିଟ ଏହାକୁ ଅନୁପାଳନ କରିବା ଦୂରର କଥା, ବରଂ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ଦ୍ଵାରା 2014ରେ ସୂଚନା ଅଧିକାର ଆଇନ ଅଧୀନରେ କିଟ ଠାରୁ ମଗା ଯାଇଥିବା ଏକ ମାମୁଲି ସୂଚନା- ଯଥା କେନ୍ଦ୍ର ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ବରୁ କାର୍ଯ୍ୟରତ ଥିବା କେଉଁ ବ୍ୟକ୍ତିମାନଙ୍କୁ କିଟରେ ନିଯୁକ୍ତ କରାଯାଇଛି, ସେମାନଙ୍କ ବିଷୟରେ ସବିଶେଷ ବିବରଣୀ- ଦରଖାସ୍ତକୁ ଖାରଜ କରିବା ସହିତ ରୋକଠୋକ ଜଣାଇଥିଲେ ଯେ, କିଟ ଏକ ଘରୋଇ ସଂସ୍ଥା ହୋଇଥିବାରୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ କିଟଙ୍କ ଏହି ଖାରଜ ଆଦେଶ ବିରୁଦ୍ଧରେ ଶ୍ରୀ ପ୍ରଧାନ ପରିଶେଷରେ ଓଡିଶା ସୂଚନା କମିଶନଙ୍କ ନିକଟରେ 2015ରେ 2 ଅପିଲ କରିଥିଲେ ଏହାକୁ କେନ୍ଦ୍ର କରି କମିଶନ 2017ରୁ ଦୀର୍ଘ ସାଢେ 4ବର୍ଷ ଧରି ଉଭୟ ପକ୍ଷଙ୍କୁ ଶୁଣାଣି କଲାପରେ କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ଗତ 5ଅଗଷ୍ଟ 2021ରେ ନିଜର ନିଷ୍ପତ୍ତି ଘୋଷଣା କରିଥିଲେ କିନ୍ତୁ କମିଶନଙ୍କ ଏହି ନିଷ୍ପତ୍ତିକୁ କିଟ ଆଦୌ ବରଦାସ୍ତ କରି ନପାରି ତା 26 ଅଗଷ୍ଟରେ ଏହା ବିରୁଦ୍ଧରେ ହାଇକୋର୍ଟର ଦ୍ଵାରସ୍ଥ ହେଲେ ଶ୍ରୀ ସାମନ୍ତଙ୍କ ଅସାଧାରଣ ଯୋଗାଡିପଣ ଯୋଗୁ ଠିକ ପରଦିନ ରାଜ୍ୟର ଆଡଭୋକେଟ-ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କୁ ତାଙ୍କର ଓକିଲ ଭାବେ ଠିଆ କରେଇ ଜଷ୍ଟିସ ବିଶ୍ଵନାଥ ରଥଙ୍କ ଠାରୁ କମିଶନଙ୍କ ରାୟ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ।ଦେଶ ହାସଲ କରିପାରିଲେ

ବିନା ବିଚାରଣାରେ ବୈଦ୍ୟୁତିକ ବେଗରେ ହାଇକୋର୍ଟଙ୍କ ଦ୍ଵାରା କମିଶନଙ୍କ ଆଦେଶ ଉପରେ ଜାରି ହୋଇଥିବା ଏହି ଅଚାନକ ସ୍ଥଗିତାଦେଶ କେବଳ ରାଜ୍ୟର ଆଇନଜ୍ଞ ମହଲ ନୁହେଁ, ବରଂ ସୂଚନା ଅଧିକାର ସହ ଜଡିତ ଥିବା ଦେଶର ସମଗ୍ର ବୁଦ୍ଧିଜୀବି ବର୍ଗ ମଧ୍ୟରେ ଅସୀମ ବିସ୍ମୟ ଗଭୀର କ୍ଷୋଭ ସୃଷ୍ଟି କରିଛି ମହାଧିବକ୍ତା ଶ୍ରୀ ପରିଜା ନ୍ୟାୟାମୂର୍ତ୍ତି ଶ୍ରୀ ରଥ କିପରି ଶୁଣ୍ଢୀ ସାକ୍ଷୀ ମାତାଲ ଭଳି ଶ୍ରୀ ଅଚ୍ୟୁତ ସାମନ୍ତଙ୍କ କଥାରେ ତାଳ ଦେଲେ, ତାହା ଆମେ ଟିକେ ପରେ ଆଲୋଚନା କରିବା; କିନ୍ତୁ ପ୍ରଥମେ ଆମେ ଜାଣିବା, କିଟ ପ୍ରଭୁ ଶ୍ରୀ ସାମନ୍ତ ରାଜ୍ୟ ଶାସକ-ଦଳର ଜନୈକ ପ୍ରଭାବଶାଳୀ ରାଜନେତା ତଥା ପାର୍ଲିଆମେଣ୍ଟର ସଭ୍ୟ ହୋଇ ଖୋଦ ପାର୍ଲିଆମେଣ୍ଟ ଦ୍ଵାରା ପ୍ରଣୀତ ସୂଚନା ଅଧିକାର ଆଇନ 2005, ଓଡିଶା ସରକାରଙ୍କ ଦ୍ଵାରା ପ୍ରବର୍ତ୍ତୀତ ସୂଚନା ଅଧିକାର ନିୟମାବଳୀ 2005 ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଅର୍ଥପୁଷ୍ଟ ରାଜ୍ୟ ସୂଚନା କମିଶନଙ୍କ ପ୍ରତି ଏତେ ଘୃଣା ବିଦ୍ଵେଷ ପୋଷଣ କରନ୍ତି କାହିଁକି? ଏହାର ସଂକ୍ଷିପ୍ତତମ ଉତ୍ତର ହେଲା, ଯଦି କମିଶନଙ୍କ ଆଦେଶ ଅନୁଯାୟୀ କିଟ ସୂଚନା ଅଧିକାର ଆଇନ ଅଧୀନରେ ଆବେଦକମାନଙ୍କୁ ସୂଚନା ଦେଇଚାଲେ ତେବେ କିଟକୁ କେନ୍ଦ୍ର କରି ଶ୍ରୀ ସାମନ୍ତଙ୍କ ଯାବତୀୟ କଳା-କାରନାମା ପଦାରେ ପଡିଯିବ, ଯାହା ଫଳରେ କିଟ ହୁଏତ ଭୁଷୁଡି ପଡିବନି, କିନ୍ତୁ କିଟ ଉପରେ ଶ୍ରୀ ସାମନ୍ତଙ୍କ ଅଖଣ୍ଡ ପ୍ରଭୁତ୍ଵ କିଟକୁ ଥୋପ କରି ପ୍ରଶାସନିକ ରାଜନୈତିକ କ୍ଷେତ୍ରରେ ଗଢି ଉଠିଥିବା ତାଙ୍କର ବିଶାଳ ପ୍ରଭାବ-ବଳୟ ମୂହୁର୍ତ୍ତକ ଭିତରେ ଭୁଷୁଡି ପଡିବ ଏହାଛଡା, ଖୋଦ କିଟ ସୂତ୍ରରୁ ପ୍ରାପ୍ତ ତଥ୍ୟାବଳୀ ଆଧାରରେ କମିଶନ ତାଙ୍କ ରାୟ ଭିତରେ ଯେଉଁସବୁ ବିସ୍ପୋରକ ଦସ୍ତାବିଜ ପରିବେଷଣ କରିଛନ୍ତି, ତାହା ଶ୍ରୀ ସାମନ୍ତଙ୍କ ଶଠତା, ପ୍ରବଞ୍ଚନା, ମିଥ୍ୟାବାଦିତା ଦ୍ଵେତାଚାର ସମେତ ସମୁଦାୟ କଳା-କାରନାମାର କିୟଦଂଶ ହେଲେ ହେଁ, କେବଳ ସାଧାରଣ ଜନତା ନୁହନ୍ତି, ସରକାର, ପ୍ରଶାସନ, ଅଦାଲତ ରାଜନେତାମାନଙ୍କ ମଧ୍ୟରେ ବି ତଦ୍ୱାରା ଶ୍ରୀ ସାମନ୍ତଙ୍କ ତଥାକଥିତ ଶିକ୍ଷାନୁରାଗ ଆଦିବାସୀ-ପ୍ରୀତି ପଛରେ ଲୁକ୍କାୟିତ ଥିବା ଅସଲ ରହସ୍ୟ ପଦାରେ ପଡିଯିବ, ଏଥିରେ ତିଳେମାତ୍ର ସନ୍ଦେହ ନ।ହିଁ ଏହାହିଁ ମୂଳ କାରଣ, ଯେଉଁଥି ପାଇଁ ଶ୍ରୀ ସାମନ୍ତ ଚାହିଁଲେ, ସ୍ଥଗିତାଦେଶ ବଳରେ କମିଶନଙ୍କ ଆଦେଶକୁ ଇତିହାସର ଅଳିଆଗଦାକୁ ସେ ଫିଙ୍ଗିଦେବେ, ଯାହାଫଳରେ ନଥିବ ବାଉଁଶ, ବାଜିବ ବଇଁଶୀ

ବର୍ତ୍ତମାନ ଆମେ କିଟର ଯୁକ୍ତିଧାରା କୀର୍ତ୍ତିକଳାପ ଉପରେ କମିଶନଙ୍କ ମୂଳ ଟିପ୍ପଣୀକୁ ଆସିବା କିଟଙ୍କ ଯୁକ୍ତି ଥିଲା, ସେ ଏକ ଘରୋଇ ସଂସ୍ଥା କୌଣସି ସରକାରୀ ସହାୟତା, ଅନୁଦାନ କି ରିହାତି ନନେଇ ସମସ୍ତ ଜମି, ଗୃହ ଅନ୍ୟ ସମ୍ବଳକୁ ନିଜ ଅର୍ଥ ବଳରେ ହାସଲ କରିଛନ୍ତି; ତେଣୁ ସୂଚନା ଅଧିକାର ଆଇନର ଧାରା (2)(h)(d)(ii)ରେ ଜନ-କର୍ତ୍ତୃପକ୍ଷ ଭାବେ ସଜ୍ଞାୟିତ ହୋଇଥିବା ପ୍ରଭୂତ ସରକାରୀ ପାଣ୍ଠି-ପୁଷ୍ଟ ବେସରକାରୀ ସଂଗଠନ ରୂପେ ସେ ବିବେଚିତ ହେବେ ନ।ହିଁ, ଏବଂ ସେହି କାରଣରୁ ସେ ଏହି ଆଇନ ଅଧୀନରେ କାହାକୁ ସୂଚନା ଦେଇ ପାରିବେ ନ।ହିଁ କିନ୍ତୁ ସ୍ଵୟଂ କିଟ ଏବଂ ସମ୍ପୃକ୍ତ ସରକାରୀ ସୂତ୍ରଗୁଡ଼ିକରୁ ସଂଗୃହୀତ ତଥ୍ୟାବଳୀ ତଥା ସୁପ୍ରିମ କୋର୍ଟ, ଦିଲ୍ଲୀ, ପଞ୍ଜାବ ହରିୟାନା, ମାଡ୍ରାସ ଏବଂ ଓଡିଶା ହାଇକୋର୍ଟ ତଥା କେନ୍ଦ୍ରୀୟ ସୂଚନା କମିଶନଙ୍କ ରାୟଗୁଡିକର ଟିକିନିଖି ତର୍ଜମା ଆଧାରରେ କମିଶନ ଦର୍ଶାଇଛନ୍ତି ଯେ, କିଟ ବର୍ତ୍ତମାନ ଯେଉଁ ବିଶାଳକାୟ ସ୍ଥିତିରେ ପହଞ୍ଚିଛି, ତାହାର ସିଂହଭାଗ କେବଳ ସମ୍ଭବ ହୋଇପାରିଛି ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ବିପୁଳ ପ୍ରତ୍ୟକ୍ଷ ପରୋକ୍ଷ ପାଣ୍ଠି ଯୋଗାଣ ଯୋଗୁଁ, ଏବଂ ଏହା ଭିତରେ ଅଛି ଅତିରିକ୍ତ ରିହାତି ମୂଲ୍ୟରେ ପ୍ରାପ୍ତ ବିସ୍ତ୍ରୁତ ଭୂସମ୍ପଦ, ଉଭୟ ଜଙ୍ଗଲ ରାଜସ୍ୱ ଜମିକୁ ଜବର-ଦଖଲ ପରେ ନିୟମିତୀକରଣ, ବିଭିନ୍ନ ସୂତ୍ରରୁ ବ୍ୟାପକ ଅନୁଦାନ, କ୍ରମବର୍ଦ୍ଧିଷ୍ଣୁ ବ୍ୟାଙ୍କଋଣ ପ୍ରଚୁର ଟିକସ ରିହାତି ସରକାରଙ୍କ ଠାରୁ ପ୍ରତ୍ୟକ୍ଷ ପରୋକ୍ଷ ପ୍ରଭୂତ ପାଣ୍ଠି ଯୋଗାଣ ଉପରେ ସୁପ୍ରିମ କୋର୍ଟଙ୍କ ବ୍ୟାଖ୍ୟାକୁ ଆଧାର କରି କମିଶନ କହିଛନ୍ତି, ଯଦି ସରକାର କିଟ ଠାରୁ ଏହିସବୁ ସମ୍ବଳକୁ ପ୍ରତ୍ୟାହାର କରିନିଅନ୍ତି, ତେବେ କିଟ ପୂନର୍ମୂଷିକ ଭବ ସ୍ଥିତିକୁ ଫେରିଯିବ ସୁତରାଂ କମିଶନଙ୍କ ମତରେ ଏହି କାରଣରୁ କିଟ ନିଜକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରିବା ଅବଶ୍ୟମ୍ଭାବୀ ଅଟେ

କମିଶନଙ୍କ ରାୟରୁ ପୁଣି ଜଣାପଡେ, କିଟ ରାଜଧାନୀ ଭୁବନେଶ୍ଵରରେ ମୋଟ 120.708 ଏକର ସରକାରୀ ଜମି ହାତେଇ ପାରିଛି, ଯାହା ଭିତରେ ଅଛି ଇଡକୋ ମାଧ୍ୟମରେ ଲିଜ ଭାବେ ପଟିଆ, ପଥରଗାଡିଆ ଚନ୍ଦକା ଶିଳ୍ପାଞ୍ଚଳରେ 91.07 ଏକର ସରକାରୀ ଜମି, ଭୂମିହୀନମାନଙ୍କୁ ଆବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିବା ଉଦବୃତ୍ତ ଜଙ୍ଗଲ କିସମ ଜମି 18 ଏକର ଉପରେ ଜବରଦଖଲ, ଏବଂ ପୁଣି ପ୍ରଥମେ ଜବରଦଖଲ କରି ପରେ ସାଧାରଣ ପ୍ରଶାସନ ବିଭାଗରୁ ନିୟମିତୀକରଣ କରାଯାଇଥିବା 11.538 ଏକର ଅନାବାଦୀ ଜମି ଏସବୁ ତୁଳନାରେ, କିଟ କିଣିଥିବା ଘରୋଇ ଜମିର ପରିମାଣ ମାତ୍ର 11.304 ଏକର, ଯାହାକି କିଟ ମାଲିକାନାରେ ଥିବା ମୋଟ ଜମିର ପ୍ରାୟ ଶତକଡା 10 ମାତ୍ର, ଅର୍ଥାତ କିଟ ଶତକଡା 90 ଭାଗରୁ ଅଧିକ ଜମି ସରକାରୀ ସୂତ୍ରରୁ ହାସଲ କରିପାରିଛି ପୁଣି ଏହି ସମସ୍ତ ସରକାରୀ ଜମିକୁ କିଟ ଅତିରିକ୍ତ ରିହାତି ଦରରେ ଲିଜ ନେଇଛି ଉଦାହରଣ ସ୍ୱରୂପ, ଭୁବନେଶ୍ଵର ଶିଳ୍ପାଞ୍ଚଳରେ ଜମିର ମୂଲ୍ୟ ଏକର ପିଛା 12କୋଟି ଟଙ୍କା ଥିବା ବେଳେ କିଟକୁ ଦିଆଯାଇଛି ସ୍ଥଳ ବିଶେଷରେ ମାତ୍ର 18 ଲକ୍ଷ, 22ଲକ୍ଷ ବା 25ଲକ୍ଷ ଟଙ୍କାରେ ପୁଣି, କିଟର ଆଉ ଏକ ଜଘନ୍ୟ ପଲିସି ଥିଲା, ପ୍ରଥମେ ସରକାରୀ, ସର୍ବସାଧାରଣ ଜଙ୍ଗଲ ଜମିକୁ ମାଡିବସି ଘରଦ୍ଵାର ଠିଆ କରେଇଦିଅ, ତାପରେ ତାକୁ ଯେନତେନପ୍ରକାରେଣ ହାସଲ କର   କମିଶନଙ୍କ ରାୟରୁ ପୁଣି ଜଣାପଡେ, ଭାରତ ସରକାରଙ୍କ କମ୍ପଟ୍ରଲର ଏଣ୍ଡ ଅଡିଟର ଜେନେରାଲ ତାଙ୍କର ତା 24.1.2013 ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଯଦିଓ କିଟକୁ ମାତ୍ର 7.083 ଏକର ଜମି ଇଡକୋ ଦ୍ଵାରା ପ୍ରତ୍ୟକ୍ଷ ଭାବେ ଯୋଗାହୋଇଛି, କିନ୍ତୁ ବିଭିନ୍ନ ଅସଦ ଉପାୟରେ କିଟ ଅବଶିଷ୍ଟ 82.087 ଏକର ସରକାରୀ ଜମି ହାତେଇ ପାରିଛି ଏହାଫଳରେ ସରକାରୀ ରାଜକୋଷ 252.54 କୋଟି ଟଙ୍କାର କ୍ଷତି ସହିଛି ପୁଣି କମିଶନଙ୍କ ମତରେ ଲିଜ ଜମିସମୂହ ତାହା ଉପରେ ନିର୍ମିତ ବିଲଡିଙ୍ଗକୁ ବନ୍ଧକ ରଖି କିଟ ଉଭୟ ରାଷ୍ଟ୍ରାୟତ ଘରୋଇ ବ୍ୟାଙ୍କମାନଙ୍କରୁ ବିପୁଳ ପରିମାଣର ଅର୍ଥରୁଣ ପ୍ରତିବର୍ଷ ନେଇଚାଲିଛି ତଦ୍ୱାରା ନିଜ ପୁଞ୍ଜିର ସାମ୍ରାଜ୍ୟ ବଢାଇ ଚାଲିଛି ଏହାଛଡା, ଦେଶ ବିଦେଶର ବିଭିନ୍ନ ସଂସ୍ଥାଠାରୁ କିଟ 2005ରୁ 2010 ଭିତରେ ଯଥାକ୍ରମେ 3କୋଟି 89 ଲକ୍ଷ ଏବଂ 4 କୋଟି ଟଙ୍କାର ଅନୁଦାନ ଲାଭ କରିଛି ସର୍ବୋପରି, କିଟ ନିଜକୁ ଏକ ସର୍ବସାଧାରଣ-ସେବା ପ୍ରଦାନକାରୀ ସଂସ୍ଥା ରୂପେ ଆୟକର ଆଇନ 1961 ଧାରା 80G ଅଧୀନରେ ନିଜକୁ ପଞ୍ଜୀକୃତ କରି ବିପୁଳ ଟିକସ ରିହାତି ହାସଲ କରିଛି ପୁଣି, ଅଧିକରୁ ଅଧିକ ଟିକସ ରିହାତି ପାଇବା ପାଇଁ କିଟ ନିଜର ଭଗ୍ନୀ ସଂସ୍ଥା କିସକୁ ବିପୁଳ ପରିମାଣର ଅର୍ଥରାଶି ଚାନ୍ଦା ଆକାରରେ ପ୍ରଦାନ କରିଛି ଏସବୁ କାରସାଦିର ଭିତିରି ଉଦ୍ଦେଶ୍ୟ ହେଉଛି, ବାର୍ଷିକ ବାଲାନ୍ସ-ସିଟରେ ଉଦବୃତ୍ତ ଅର୍ଥରାଶିର ପରିମାଣକୁ କୃତ୍ରିମ ଭାବେ ବଢାଇଦେବା, ଯାହାଫଳରେ ବ୍ୟାଙ୍କମାନଙ୍କରୁ ବିପୁଳ ପରିମାଣର ଦୀର୍ଘମିଆଦି ଋଣ ମିଳିପାରିବ କିଟର ମାଲିକ ତାକୁ ମନମୁଖୀ ଭାବେ ଖର୍ଚ୍ଚ କରିପାରିବେ ଏହିଭଳି କିଟ ଗୋଟିଏ ପଟରେ ସରକାର ବ୍ୟାଙ୍କଗୁଡିକ ଠାରୁ ବିଭିନ୍ନ ପ୍ରକାର ରିହାତି ସୁବିଧା ହାସଲ ପାଇଁ ନିଜକୁ ଏକ ସର୍ବସାଧାରଣ ସେବାପ୍ରଦାନକାରୀ ସଂସ୍ଥା ଭାବେ ଚିତ୍ରଣ କରିଥାଏ, କିନ୍ତୁ ଅନ୍ୟପଟରେ ନିଜର କାରବାର କାରସାଦିଗୁଡିକୁ ଲୋକଦୃଷ୍ଟିରୁ ଲୁକ୍କାୟିତ ରଖିବା ପାଇଁ ନିଜକୁ ଏକ ସଂପୂର୍ଣ୍ଣ ବେସରକାରୀ ଘରୋଇ ଅନୁଷ୍ଠାନ ଭାବେ ହାଇକୋର୍ଟ ସୂଚନା କମିଶନ ସମ୍ମୁଖରେ ପେଶ କରିଥାଏ ଏବଂ ସେହି ଆଳ ଦେଖାଇ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହେଁ ବୋଲି ଦାବୀ କରିଥାଏ ଏହାହିଁ କିଟ ଏହାର ମୁଖ୍ୟ ଶ୍ରୀ ସାମନ୍ତଙ୍କ ଦୋମୁହଁ। ଚରିତ୍ର

ସାଆନ୍ତେଙ୍କ ଏହି ଦୋମୁହାଁ ନୀତି ବିଷୟରେ ସାରା ଓଡିଶା ଅବଗତ, ବିଶେଷ କରି 2011ରେ ଓଡିଶା ହାଇକୋର୍ଟରେ କିଟ ପ୍ରଫେସର ଡକ୍ଟର ଉତ୍ତମ ସାମନ୍ତ କିଟ ବିରୁଦ୍ଧରେ ରିଟ ଆବେଦନ କରିବା ଠାରୁ କିନ୍ତୁ ବିଡମ୍ବନାର ବିଷୟ, ଏହି ରିଟ ଆବେଦନକୁ 2014ରେ ଯେଉଁ ଜଷ୍ଟିସ ବିଶ୍ଵନାଥ ରଥ ଫଇସଲା କରି କିଟକୁ ସମ୍ବିଧାନର ଧାରା 12 ଅଧୀନସ୍ଥ ଏକ ଷ୍ଟେଟ ଏବଂ ଅଥରୀଟି ଭାବେ ସୂଚାଇବା ସହିତ ସୂଚନା ଅଧିକାର ଆଇନର ପରିସରଭୁକ୍ତ ବୋଲି ଘୋଷଣା କରିଥିଲେ, ସେ ଗତ 27 ଅଗଷ୍ଟରେ ସାନ୍ତେଙ୍କ ମନୋବାଞ୍ଛା ପୂରଣ ପାଇଁ ଠିକ ଓଲଟା ଆଦେଶ ଦେଲେ, ଅର୍ଥାତ ସୂଚନା କମିଶନ କିଟକୁ ସୂଚନା ଅଧିକାର ପରିସରଭୁକ୍ତ ବୋଲି 5 ଅଗଷ୍ଟରେ ଯେଉଁ ନିଷ୍ପତି ଶୁଣାଇଥିଲେ, ତାହା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତାଦେଶ ଜାରି କଲେ କେବଳ ସେତିକି ନୁହେଁ, ସାନ୍ତେଙ୍କୁ ଖୁସି କରିବା ପାଇଁ ସେ ପ୍ରତ୍ୟାହାର ବୋଲି ଏକ ମହାନ ବିଚାର-ବିଭାଗୀୟ ପରମ୍ପରାକୁ ଭୁଲିଗଲେ ଏହି ପରମ୍ପରା ଅନୁଯାୟୀ, ଯେଉଁ ଜଜ ପୂର୍ବରୁ କୌଣସି ପକ୍ଷର ଓକିଲ ଥିବେ ଅଥବା ସମ୍ପୃକ୍ତ ପକ୍ଷମାନଙ୍କର କେଶ ଶୁଣାଣି କରିଥିବେ, ସେହି ପକ୍ଷମାନଙ୍କର କୌଣସି କେଶ ଆସିଲେ, ସେ ଆପେ ଆପେ ତହିଁର  ଶୁଣାଣିରୁ ନିଜକୁ ଓହରାଇନେବେ (ଦ୍ରଷ୍ଟବ୍ୟ- ବାଙ୍ଗାଲୋର ନୀତିସମୂହ-2006) ଜଷ୍ଟିସ ରଥ ନିଜେ ଭଲ ରୂପେ ଜାଣିଥିଲେ, ସେ ଏକଦା ସୂଚନା କମିଶନଙ୍କ ଓକିଲ ଥିଲେ ପୁଣି 2014ରେ କିଟ ପ୍ରତିପକ୍ଷ ଥିବା ଏକ କେଶର ଫଇସଲା କରିଥିଲେ ଏହାଛଡା, ସେ ମଧ୍ୟ ଭୁଲିଗଲେ, କିପରି ସ୍ଥଗିତାଦେଶ ଲେଖାଯାଏ କିଟ ଯଦି କମିଶନଙ୍କ ରାୟ ମାନି ସୂଚନା ଅଧିକାର ଆଇନ ଅଧୀନରେ ସର୍ବସାଧାରଣଙ୍କୁ ସୂଚନା ଦିଅନ୍ତି, ତେବେ ତଦ୍ୱାରା କି ପ୍ରକାର ବିପର୍ଯ୍ୟୟ ବା ଜରୁରୀ ପରିସ୍ଥିତି ସୃଷ୍ଟି ହେବ, ଯେଉଁଥି ପାଇଁ ପ୍ରତିପକ୍ଷମାନଙ୍କୁ ଶୁଣାଣି ନକରି କମିଶନଙ୍କ ଆଦେଶର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବା ଅନିବାର୍ଯ୍ୟ ହୋଇପଡିଛି- ଏକଥା ଜଷ୍ଟିସ ରଥ ତାଙ୍କ ଆଦେଶରେ ଲେଖିବାକୁ ଭୁଲି ଯାଇଛନ୍ତି, ଯାହାକି ଦେବାନୀ ସଂହିତାର ଅର୍ଡର 39 ରୁଲ 3 ସର।ସରି ଉଲ୍ଲଂଘନ କେବଳ ସେତିକି ନୁହେଁ, ସ୍ଥଗିତାଦେଶ ସହିତ ଆବେଦକଙ୍କ ରିଟ ଦରଖାସ୍ତ କୋର୍ଟ ନୋଟିସକୁ ଶୁଣାଣିର ସୁଯୋଗରୁ ବଞ୍ଚିତ ପ୍ରତିପକ୍ଷମାନଙ୍କ ପାଖକୁ ତୁରନ୍ତ ପ୍ରେରଣ କରିବା ଯେମିତି ହେଲେ ସ୍ଥଗିତାଦେଶ ତାରିଖ ଠାରୁ 30ଦିନ ଭିତରେ କେଶଟିକୁ ଚୂଡାନ୍ତ ଫଇସଲା କରିବା ହେଉଛି ସମ୍ପୃକ୍ତ କୋର୍ଟ ବା ଜଜଙ୍କ ଉତ୍ତରଦାୟିତ୍ଵ ଏବଂ ଯଦି ତାହା ସମ୍ଭବ ନହୁଏ ତେବେ ସମ୍ପୃକ୍ତ ଜଜ ତାହାର କାରଣ ଲିପିବଦ୍ଧ କରିବେ (ଦ୍ରଷ୍ଟବ୍ୟ- ଦେବାନୀ ସଂହିତାର ଅର୍ଡର 39 ରୁଲ 3-)- ଯାହାକୁ ମଧ୍ୟ ଜଷ୍ଟିସ ରଥ ସରସରି ଉଲ୍ଲଂଘନ କରିଛନ୍ତି ଏହାର ଅକାଟ୍ୟ ପ୍ରମାଣ ହେଲା, ସମଗ୍ର କେଶର 2 ପ୍ରତିପକ୍ଷ ଶ୍ରୀ ପ୍ରଦୀପ ପ୍ରଧାନ ସ୍ଥଗିତାଦେଶ ଜାରିହେବାର 3ମାସ ବିତିଗଲା ପରେ ବି କୋର୍ଟ ଠାରୁ ଏପର୍ଯନ୍ତ ନୋଟିସ ପାଇନାହାନ୍ତି ମନେହୁଏ, ଜଜ ବିଶ୍ଵନାଥ ରଥ, ରିଟ ଆବେଦକ ଅଚ୍ୟୁତ ସାମନ୍ତ ତାଙ୍କ ଓକିଲ ଆଡଭୋକେଟ ଜେନେରାଲ ଶ୍ରୀ ପରିଜା ନିଜ ଭିତରେ ସଲାସୁତୁରା କରି ହାଇକୋର୍ଟର ରେଜିଷ୍ଟ୍ରି ସହିତ ଖେଳୁଆଡ କରିଛନ୍ତି ନୋଟିସକୁ ନିଜେ ଗାଏବ କରିଦେଇଛନ୍ତି ସେହି ଏକା ଉଦ୍ଦେଶ୍ୟ- ନଥିବ ବାଉଁଶ, ନବାଜିବ ବଇଁଶି, ଅର୍ଥାତ 2 ପ୍ରତିପକ୍ଷ ଶ୍ରୀ ପ୍ରଦୀପ ପ୍ରଧାନ ନୋଟିସ ପାଇଲେ ସିନା ସ୍ଥଗିତାଦେଶ ଉଠାଇବା ପାଇଁ କୋର୍ଟରେ ଗୁହାରି କରିବେ ! ଏହିଭଳି ଏହି ତ୍ରିମୂର୍ତ୍ତି ଏକ ଅନ୍ତର୍ବର୍ତ୍ତୀ ସ୍ଥଗିତାଦେଶକୁ ନିରନ୍ତର ରୂପ ଦେଇ ସବୁଦିନ ସକାଶେ ସାଆନ୍ତେଙ୍କୁ ଆରଟିଆଇ କୋକୁଆଭୟରୁ ମୁକ୍ତ ରଖିବା ପାଇଁ ଚାହାନ୍ତି ଅନ୍ୟଥା, କୌଣସି ଭିନ୍ନ କାରଣ ନଜରକୁ ଆସୁନ।ହିଁ

ସାନ୍ତେଙ୍କ ଅନ୍ୟ ଗୁମାସ୍ତା ଜଣକ ଆଉ କେହି ନୁହନ୍ତି; ଓଡିଶା ସରକାରଙ୍କ ମହାଧିବକ୍ତା ଶ୍ରୀ ଅଶୋକ ପରିଜା, ଯାହାଙ୍କର କେବଳ ବିଚାରବିଭାଗ ନୁହେଁ, ରାଜ୍ୟ ପ୍ରଶାସନ ଉପରେ ଅଖଣ୍ଡ ଆଧିପତ୍ୟ ରହିଛି ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ଜଷ୍ଟିସ ବିଶ୍ଵନାଥ ରଥଙ୍କ ଭଳି ସେ ମଧ୍ୟ ଜଣେ ସାମ୍ବିଧାନିକ କର୍ମକର୍ତ୍ତା ସମ୍ବିଧାନର ଧାରା 165 ଅଧୀନରେ ରାଜ୍ୟ ସରକାରଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ବେତନ-ପୁଷ୍ଟ ଏହି ବିଶିଷ୍ଟ ପଦାଧିକାରୀଙ୍କ ପ୍ରମୁଖ କର୍ତ୍ତବ୍ୟ ହେଲା, ରାଜ୍ୟପାଳଙ୍କ ନିର୍ଦ୍ଦେଶନା କ୍ରମେ କେବଳ ରାଜ୍ୟର ସ୍ଵାର୍ଥରେ ସୁପ୍ରିମ କୋର୍ଟ ଠାରୁ ଆରମ୍ଭ କରି ଯେ କୌଣସି ଅଦାଲତରେ କେଶ ପରିଚାଳନା କରିବା ପରମ୍ପରା ଅନୁଯାୟୀ, ସେ ହୁଏତ ଏକ ଘରୋଇ ପକ୍ଷ ପାଇଁ ଠିଆ ହୋଇପାରନ୍ତି, କିନ୍ତୁ ତାହାଦ୍ୱାରା ଯେପରି ରାଜ୍ୟ ପକ୍ଷର କୌଣସି ସ୍ଵାର୍ଥ-ହାନି ଘଟୁନଥିବ କିନ୍ତୁ କିଟ ବନାମ ଓଡିଶା ସୂଚନା କମିଶନ ଅନ୍ୟଜଣେ କେଶରେ ଶ୍ରୀ ପରିଜା ଏହି ପରମ୍ପରାର ଉଲ୍ଲଂଘନ କରି କିଟ ଭଳି ଏକ ଘରୋଇ ସଂସ୍ଥାର ଓକିଲ ଭାବେ ଠିଆ ହୋଇ କମିଶନ ଭଳି ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ, ଅର୍ଥପୁଷ୍ଟ ତତ୍ତ୍ଵାବଧାରିତ ରାଜ୍ୟ ସଂସ୍ଥାର ବିରୁଦ୍ଧତା କଲେ, ଯାହାକି ମହାଧିବକ୍ତାଙ୍କ ଉପରେ ନ୍ୟସ୍ତ ସାମ୍ବିଧାନିକ ଉତ୍ତରଦାୟିତ୍ଵର ସରାସରି ଉଲ୍ଲଂଘନ ପୁଣି, ଶ୍ରୀ ପରିଜା ତାଙ୍କ ପ୍ରତି ସମ୍ଭାବ୍ୟ ସମାଲୋଚନାକୁ ଦୃଷ୍ଟିରେ ରଖି  ନିଜର ସାମ୍ବିଧାନିକ ପଦବୀ ଆଡଭୋକେଟ ଜେନେରାଲକୁ ବ୍ୟବହାର ନକରି ନିଜର ବ୍ୟକ୍ତିଗତ ପରିଚୟ ବରିଷ୍ଠ ଆଡଭୋକେଟ ପଦବୀ ବ୍ୟବହାର କଲେ କିନ୍ତୁ, ଓଡିଆ ଢଗ, ଲୁଚିଛି ନା ଗୋଡ ଦିଟା ଦିଶୁଛି ଭଳି ତାଙ୍କର ଏହି ଦୋମୁହାଁ ଆଚରଣ ଆଡଭୋକେଟ ଜେନେରାଲ ଭଳି ସାମ୍ବିଧାନିକ ପଦବୀକୁ ଯେ କାଳିମାଲିପ୍ତ କରିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ପୁଣି, ରାଜ୍ୟର ସର୍ବୋଚ୍ଚ ବିଧି-ଅଧିକାରୀ ଭାବେ ଶ୍ରୀ ପରିଜାହିଁ କୋର୍ଟଙ୍କୁ ଅବଗତ କରାଇବାର ଥିଲା ଯେ, ହାଇକୋର୍ଟଙ୍କ 2014ରାୟ ଅନୁଯାୟୀ କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇସାରିଛି; ତେଣୁ ସେହି ରାୟର ସମୀକ୍ଷା କରାନଯାଇ ସୂଚନା କମିଶନ ଜାରିକରିଥିବା ତାଦୃଶ ଆଦେଶ ଉପରେ ରୋକ ଲଗାନଯାଉ କିନ୍ତୁ ମନେ ହୁଏ, ଶ୍ରୀ ପରିଜା 2014 କିଟ-ସମ୍ପର୍କୀତ ହାଇକୋର୍ଟଙ୍କ ରାୟକୁ ପଢିନାହାନ୍ତି ପୁଣି ମନେହୁଏ, ସେ ମଧ୍ୟ କିଟଙ୍କ ଦ୍ଵାରା 26 ଅଗଷ୍ଟ 2021ରେ ଆଗତ ରିଟ ଦରଖାସ୍ତକୁ ପଢିନାହାନ୍ତି, ଯଦିଓ ସେ ଏହାର ଓକିଲ ସାଜି ହାଇକୋର୍ଟରୁ ସ୍ଥଗିତାଦେଶ ନେଇପାରିଲେ କାରଣ, ସେହି ରିଟ ଦରଖାସ୍ତରେ ଓଡିଶା ସୂଚନ। କମିଶନକୁ ସମ୍ବିଧାନର ଧାରା 12 ଅର୍ଥରେ ଏକ ଷ୍ଟେଟ ବୋଲି ବର୍ଣ୍ଣନା କରାଯାଇଛି ଅଥଚ, ସେ ଗୋଟିଏ ଆର.ଟି.ଆଇ. ଦରଖାସ୍ତର ଜବାବରେ ଦୃଢୋକ୍ତି କରିଛନ୍ତି, କିଟ କିମ୍ବା କମିଶନ, କେହି ଷ୍ଟେଟ ନୁହନ୍ତି ନିର୍ଘାତ ଅଜ୍ଞତା, ଚରମ ସ୍ଵବିରୋଧୀତା ପରମ ସୁବିଧାବାଦରେ ଆକ୍ରାନ୍ତ ଏଭଳି ବ୍ୟକ୍ତି କିପରି ଏକ ସାମ୍ବିଧାନିକ ପଦବୀକୁ ମଣ୍ଡନ କରିପାରିଲେ, ତାହା ବର୍ତ୍ତମାନ ମୁହୂର୍ତ୍ତର ଏକ ଜଟିଳ ପ୍ରଶ୍ନବାଚୀ ସେ ଯାହା ହେଉନା କାହିଁକି, ମହାବଳୀ ସାଆନ୍ତେଙ୍କ ସହ ଏମନ୍ତ ଦୁଇ କରିତକର୍ମା ଗୁମାସ୍ତା ମେଣ୍ଟ ବାନ୍ଧିଲେ, ସେମାନେ ଯଦି କେବେ ଓଡିଶା ସରକାର, ଏପରିକି ଓଡିଶା ହାଇକୋର୍ଟକୁ କୌଣସି କର୍ପୋରେଟ ସଂସ୍ଥାକୁ ବିକିଦିଅନ୍ତି, ତାହା ବିସ୍ମୟକର ହେବନି     

Chitta Ranjan Behera, Advocate, Orissa High Court (BCE No. O- 419/1995), Dt 30.11.2021, Mobile No. 9437577546, Email: chittabehera1@gmail.com   

                 

  

 

No comments:

Post a Comment