Saturday, May 20, 2023

Buru Sahi- An epitome of Poverty, malnutrition and hunger

 ବୁରୁ ସାହି: କ୍ଷୁଧା,ଅନାହାର, କୁପୁଷ୍ଟି ଓ ଦାରିଦ୍ର୍ୟ ର ପ୍ରତିଛବି 


ଯାଜପୁର ଜିଲ୍ଲାରେ ବହୁବିକାଶମୂଳକ  ଯୋଜନା ଯଥା mini Secretariat ନିର୍ମାଣ, ମେଡ଼ିକାଲ କଲେଜ ନିର୍ମାଣ (୬୦୦ କୋଟି ବ୍ୟୟ ଅଟକଳ), କୁଡୁମା ପୋଖରୀ (୩୦କୋଟି ଖର୍ଚ୍ଚ) ସମେତ ବିଭିନ୍ନ ବଡ ବଡ଼ ପ୍ରକଳ୍ପ ନିର୍ମାଣ ଚାଲିବା  ଏବଂ  ଶାସକ ଦଳ ର ନେତା ପ୍ରଣବ ପ୍ରକାଶ ଦାସର ପ୍ରଚାର  ବ୍ୟାପକ ପ୍ରଚାର ହେଉଥିଲାବେଳେ , ସେହି ଜିଲ୍ଲାରେ  ସେହି ଶାସକ ଦଳର ନେତା ମାନଙ୍କ  ଦ୍ୱାରା ହଜାର ହଜାର କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟର  ଲୁଟ  ହୋଇଚାଲିଛି ।  ତଥାକଥିତ ବିକାଶମୂଳକ ଯୋଜନାର ଲାଭାଂଶ ବାହାର ରାଜ୍ୟର ଠିକାଦାର ଓ ବିଜେଡି ନେତା ମାନେ ପାଉଥିଲାବେଳେ , ଖଣିଜପଦାର୍ଥ ଚୋରି ର ଅର୍ଥ  ଶାସକ ଦଳର ନେତା ଓ ତାଙ୍କର ଦଳୀୟ ମାଫିଆ ମାନଙ୍କ ପାଖକୁ ଯାଉଛି ।  

ବିକାଶ ମୂଳକ ଯୋଜନା ନାମରେ ଲୁଟ , ଜିଲ୍ଲାର ଖଣିଜ ଦ୍ରବ୍ୟର ଲୁଟ - ଏହି ଦୁଇ ଲୁଟ ରେ ବଳି ପଡିଛନ୍ତି ସାଧାରଣ ଜନତା ମୁଖ୍ୟତଃ ନିରୀହ ଆଦିବାସୀ।
ଯେଉଁ ଧର୍ମଶାଳା ଖଣିଜ ଦ୍ରବ୍ୟରେ ଭରପୁର ଏବଂ ଶାସକ ଦଳର ନେତା , ଅମଲା ମାନେ ହଜାର କୋଟି ଟଙ୍କାର ଖଣିଜ ପଥର , ବାଲି ଲୁଟ କରନ୍ତି , ସେହି ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଅନାହାର , କୁପୁଷ୍ଟି ଭରପୁର ।

ଧର୍ମଶାଳା ତହସିଲ ଅନ୍ତର୍ଗତ ଚଣ୍ଡିଖୋଲ ଠାରୁ ୨୨ କିମି ଦୂର ରେ ପଡିବ ବୁରୁସାହି । ପ୍ରାୟ ୩୦ ଟି ଆଦିବାସୀ ପରିବାରକୁ ନେଇ ଏହିପଡା ( ରାଜସ୍ୱ ଗ୍ରାମ ନୁହେଁ) ଗଠିତ । ସମସ୍ତେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର। 

ଆମ୍ଭେ ତିନିଜଣ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ , ସର୍ବେଶ୍ୱର ବେହୁରା ଓ କାଳନ୍ଦୀ ମଲ୍ଲିକ ଗତ ୧୭.୫.୨୩ ରେ ଉକ୍ତ ଗ୍ରାମ ପରିଦର୍ଶନ କରିଥିଲୁ ।ଉଦ୍ଧେଶ୍ୟ ଥିଲା ଲୋକଙ୍କର ଅର୍ଥନୌତିକ ସ୍ଥିତି ଓ ସମସ୍ୟା, ସେମାନଙ୍କର ଖାଦ୍ୟ ସୁରକ୍ଷା ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ।  ଏଠାରେ ସୁଚେଇ ଦେଉଛିଯେ , ଆମ୍ଭେ ତିନି ଜଣ ୨୦୧୭ ମସିହାରେ ଏହି ଗ୍ରାମ ପରିଦର୍ଶନ କରି , ଲୋକଙ୍କର ଦାରିଦ୍ର୍ୟ, ପିଲାଙ୍କର କୁପୁଷ୍ଟି ,ସରକାରୀ ଯୋଜନାରେ ହରିଲୁଟ ତଥ୍ୟ ସଂଗ୍ରହ କରି ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲୁ ।କମିଶନଙ୍କ ଲଗାତାର ନୋଟିସ ପରେ ପ୍ରଶାସନର କିଛି ମାତ୍ରାରେ ତପ୍ତରତା ପ୍ରକାଶ ପାଇଥିଲା । ବୁରୁସାହି  ଲୋକଙ୍କୁ ୪ ଡ଼ିସିମିଲ ପଟ୍ଟା ଘର ଡିହ, ଅଙ୍ଗନବାଡି କେନ୍ଦ୍ର ଖୋଲିବା , ରେସନ କାର୍ଡ ଆବଣ୍ଟନ ଇତ୍ୟାଦି ହୋଇଥିଲା ।

ଏହି ପରି ଦର୍ଶନରେ ଆମ୍ଭେ ଗ୍ରାମର ଦୟନୀୟ ସ୍ଥିତି ଓ ଲୋକଙ୍କ ବିକଳ ଚେହେରା ଦେଖିବାକୁ ପାଇଥିଲୁ ।  ୧୨ ଟା  ସମୟରେ କାହାଘରେ ଚୁଲି ଜଳୁ ନଥିଲା । 

୧. କାହାର ଭଲ ଘର ଖଣ୍ଡେ ନାହିଁ। କଳା ଜାରି ଆଉ କିଛି ଚାଳ ଘର କରି ରହୁଛନ୍ତି। ସମସ୍ତ ସରକାରୀ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ କୌଣସି ଗୋଟିଏ ପରିବାରକୁ ଆବାସ ଯୋଜନାରେ ଘର ମିଳିନାହିଁ । 
୨. ଏହି ଗ୍ରାମର  ସମସ୍ତେ ଭୂମିହୀନ ଓ ଦିନମଜୁରିଆ ।କାମ ମିଳିଲେ  ଖାଇବାକୁ ପାଳାନ୍ତି , କାମ ନମିଳିଲେ ଉପାସ ।  ଏନ.ଆର.ଇ.ଜି.ଏ କାମ ଦୁଇ ବର୍ଷ ହେଲା କିଛି ହୋଇ ନାହିଁ ।
୩. ୨୫ ଟି ପରିବାର କୁ ରେସନ କାର୍ଡ ମିଳିଛି । କିନ୍ତୁ କୌଣସି ଛୋଟ ପିଲାଙ୍କୁ ଚାଉଳ ମିଳୁ ନାହିଁ ବୋଲି ଗ୍ରାମବାସୀ ମାନେ କହିଲେ । ଏହାର କାରଣ ସମ୍ପର୍କରେ ସେମାନେ କହିଲେଯେ , ଯେହେତୁ ପିଲାଙ୍କର ଆଧାର linkage ହୋଇ ନାହିଁ , ତେଣୁ ସେମାନଙ୍କୁ ଡିଲର ଚାଉଳ ଦେଉ ନାହିଁ । ତେଣୁ ପ୍ରାୟ ୭୦ ଜଣ ଛୋଟ ପିଲା  ବର୍ଷ ବର୍ଷ ଧରି ଚାଉଳ ପାଉ ନାହାଁନ୍ତି ।
୪.ଆଧାର କାର୍ଡ linkage କାହିଁକି କରେଇ  ନାହାନ୍ତି ପଚାରିବାରୁ ସେମାନେ କହିଲେଯେ ଆମ୍ଭେ ଆଧାର କାର୍ଡ ପାଇଁ ଯାଇଥିଲୁ। କିନ୍ତୁ ଜଣ କ ପିଛା ୨୦୦ ଟଙ୍କା ମାଗିବାରୁ ଆମ୍ଭେ ଦେଇ ପାରିଲୁ ନାହିଁ ।ତେଣୁ କାର୍ଡ  କରି ପାରିଲୁ ନାହିଁ ।
୫.ପିଇବା ପାଣି ର ଅତି ଉତ୍କଟ  ସମସ୍ୟା । ଆମ୍ଭମାନଙ୍କ ୨୦୧୭ ମସିହା କେଶ ଉପରେ କମିଶନଙ୍କ ନିର୍ଦ୍ଧେଶ ଉପରେ ଗାଁରେ ଦୁଇଟି ନଳକୂପ ବସିଛି ।କିନ୍ତୁ ଦୁଇଟି ଯାକ ଅଚଳ । ଲୋକମାନେ ଏକ ଛୋଟିଆ ଗଡ଼ିଆ ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି ।
୬. ସେମାନେ କହିବା ଅନୁଯାୟୀ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ହୋଇଥିଲା । କିନ୍ତୁ ବିଦ୍ୟୁତ ବିଭାଗ ଲାଇନ କାଟି ଦେଇଛି ।ତାର ନାହିଁ ଖାଲି ଖୁଣ୍ଟି ଅଛି ।
୭.ଅଙ୍ଗନବାଡି କେନ୍ଦ୍ର ଖୋଲା ହୋଇଛି । ଦୀର୍ଘ ତିନି ବର୍ଷ ଧରି ଅଙ୍ଗନବାଡି ଘର ନିର୍ମାଣ ଶେଷ ହେଉ ନାହିଁ । ପିଲା ମାନେ ଗଛ ତଳେ ପଢୁଛନ୍ତି । ଅଙ୍ଗନ ବାଡ଼ି କର୍ମୀ ନିୟମିତ ଆସେ ନାହିଁ ବୋଲି ଗ୍ରାମବାସୀ କହିଥିଲେ  । 
୮. ପ୍ରାୟ ସବୁ ପିଲା  ପୁଷ୍ଟିହୀନତାର ଶିକାର ।  ଅନେକ ବିଭିନ୍ନ ରୋଗର ଶିକାର ।ନିକଟରେ ମେଡ଼ିକାଲ ନାହିଁ।ଅଙ୍ଗନବାଡି କୌଣସି ଔଷଧ ଦିଏ ନାହିଁ। 
୯. ଧର୍ମଶାଳା ତହସିଲ ତରଫରୁ  ସମସ୍ତ ପରିବାରକୁ ୪ ଡ଼ିସିମିଲ ଘରଡିହ ପଟ୍ଟା ଦିଆଯାଇଛି।  ସେମାନେ ସମସ୍ତେ ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର । କିନ୍ତୁ ଉକ୍ତ ପଟ୍ଟାରେ  ଜାତିରେ " ଶହର " ଲେଖାଯାଇଛି  ଯାହାକି ଅନୁସନ୍ଧାନ ସାପେକ୍ଷ ।
ଏହି   ହେଉଛି ଯାଜପୁର ଜିଲ୍ଲାର ବିକାଶ ପୁରୁଷଙ୍କ  ବିକାଶ ଓ ବିଜୁ  ଜନତା ଦଳର ବିକାଶର ମାନଦଣ୍ଡ ।
ଏହା ଉପରେ ଆମ୍ଭମାନଙ୍କର ପଦକ୍ଷେପ ଖୁବ ଶ୍ରୀଘ୍ର ।
ପ୍ରଦୀପ ପ୍ରଧାନ
ମୋ- 9937843482 
ତା- ୧୯.୫.୨୩

No comments:

Post a Comment