
ଆଜି ଏକ ଐତିହାସିକ ଦିନ। ଠିକ୍ ୧୦ ବର୍ଷ ତଳେ ଜୁନ୍ ୧୫ ତାରିଖରେ ସୂଚନା ଅଧିକାର ବିଧେୟକରେ ରାଷ୍ଟ୍ରପତି ମୋହର ମାରି ତାହାକୁ ଆଇନର ମାନ୍ୟତା ଦେଇଥିଲେ। ଏହି ଦିବସକୁ ସ୍ମରଣୀୟ ତଥା ଉପାଦେୟ କରିବା ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଓଡ଼ିଶାର ପ୍ରଥମ ‘ସୂଚନା ଅଧିକାର କ୍ଲିନିକ୍’ ଖୋଲିଛି ଭୁବନେଶ୍ଵରରେ। ଏହାକୁ ଉଦ୍ଘାଟନ କରିଛନ୍ତି ଜଣାଶୁଣା ପ୍ରାକ୍ତନ ଶାସନସଚିବ ଡ. ଅରବିନ୍ଦ ବେହେରା। ତାଙ୍କ ଉଦ୍ଘାଟନୀ ଭାଷଣରେ ସେ କହିଛନ୍ତି ଯେ ପ୍ରାଶାସନିକ କ୍ଷେତ୍ରରେ ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵକୁ ଏହା ତ୍ଵରାନ୍ୱିତ କରିପାରିବ।

ଏଣିକି ଭାଗ୍ୟକୁ ନିନ୍ଦିବା ଅପେକ୍ଷା ନ୍ୟାୟ ପାଇବାକୁ ଏହି କ୍ଲିନିକ୍ରେ ରାଜ୍ୟବାସୀ ଧାଡ଼ି ଲଗାଇ ପାରିବେ। ଫଳରେ ସେମାନଙ୍କ ସୂଚନା ଅଧିକାର ସଂକ୍ରାନ୍ତ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦିଆଯାଇପାରିବ। ସେମାନଙ୍କ ଅନୁଭୂତିକୁ ଦଲିଲବଦ୍ଧ କରାଯାଇପାରିବ। ଅପିଲ କରିବା ପାଇଁ ପରାମର୍ଶ ମିଳିବ। ଅପିଲ କରି ସୁଦ୍ଧା ନିରାଶ ହୋଇଥିଲେ, ତାହାର ପରବର୍ତୀ କାର୍ଯ୍ୟପନ୍ଥା ଉପରେ ପରାମର୍ଶ ଓ ସହଯୋଗ ମିଳିବ। ଗଣତନ୍ତ୍ର ଦିଗରେ ଅଗ୍ରସର ହେବାରେ ଏହି ସୂଚନା ଅଧିକାର କ୍ଲିନିକ୍ ନିଶ୍ଚିତ ରୂପେ ଏକ ମାଇଲଖୁଂଟ ଭଳି କାମ କରିବ।
ଏବେ ସୁଦ୍ଧା ସୂଚନା ଅଧିକାରକୁ ଲୋକପ୍ରିୟ କରାଇବା ପାଇଁ ଯାହାବି କିଛି ହୋଇଛି, ତାହା କେବଳ ସଭ୍ୟନାଗରିକ ସଂଗଠନମାନଙ୍କ ସମ୍ମିଳିତ ଉଦ୍ୟମରେ ହୋଇଛି। ଏଣୁ ଏହାକୁ ଅଧିକ ସକ୍ରିୟ ଓ ଫଳପ୍ରସୂ କରିବାରେ ଏହି କ୍ଲିନିକ୍ ଏକ ସରହଦ ଭଳି କାମ କରିବ। ଭୁବନେଶ୍ଵରର ଏଜିଛକ ପାଖରେ ନେହରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୁଥ ଆଫେୟାର୍ସ (NIYA) ଠାରେ ଏହି କ୍ଲିନିକ୍ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଭାବରେ ପ୍ରତି ମାସର ୧୫ ଓ ୩୦ ତାରିଖରେ ଏହା ଖୋଲା ରହି ସକାଳ ୧୦ଟାରୁ ଶିବିର ଭଳି କାର୍ଯ୍ୟ କରିବ। ଫେବୃଆରି ମାସରେ ୨୮ ତାରିଖରେ ଏହି ଶିବିର ଖୋଲା ରହିବ। ତେବେ ଏଠାରେ ଭିଡ଼କୁ ଲକ୍ଷ୍ୟ କରି ଏହାକୁ ଅଧିକ ଦିନ ଖୋଲା ରଖିବାକୁ ପରେ ନିଷ୍ପତ୍ତି ନିଆଯିବ।
ସୂଚନା ଅଧିକାରକୁ ଦୁର୍ନୀତି ବିରୋଧୀ ଅସ୍ତ୍ର ରୂପେ ବ୍ୟବହାର କରି ଓଡ଼ିଶାର ଅନେକ ନାଗରିକ ମୃତାହତ ହୋଇଛନ୍ତି। ତେଣୁ ସୂଚନା ଅଧିକାରକୁ ଆଧାର କରି ପ୍ରଶାସନ ସହ ଏକ ବଂଧୁତ୍ଵପୂର୍ଣ ପରିବେଶ ଗଢ଼ି ତୋଳିବାକୁ ପ୍ରୟାସ କରାଯିବ। ଯେଉଁଠି ସାଧାରଣ ନାଗରିକ ବେଶି ଉପକୃତ ହେଉଥିବ। ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ମାଗଣାରେ ଆଇନ ସେବା ଯୋଗାଇବାକୁ ଏହି କ୍ଲିନିକ୍ କାର୍ଯ୍ୟ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହାର ଶାଖାମାନ ଖୋଲିବ।
No comments:
Post a Comment