रविवार, 10 अप्रैल 2016

ଖାଦ୍ୟ ବିଭାଗର ଲୋକପରାମର୍ଶ ନାଟକ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୀତ ହେଲା ୨୦୧୩ରେ । ଅକ୍ଟୋବର ୨୦୧୫ରେ ସୂଚନା କମିସନ୍ଙ୍କୁ ଖାଦ୍ୟ କମିସନ୍ ଦାୟିତ୍ୱ ଦିଆଗଲା । ଏହି ଆଇନ ଅନୁଯାୟୀ ଓଡିଶା ସରକାର ୨୦୧୫ ନଭେମ୍ବର ପହିଲା ତାରିଖରୁ ୧୪ଟି ଜିଲ୍ଲାରେ ଏବଂ ଡିସେମ୍ବର ପହିଲା ତାରିଖରୁ ଅବଶିଷ୍ଟ ୧୬ଟି ଜିଲ୍ଲାରେ ଖାଦ୍ୟ ଶସ୍ୟ ବିତରଣ ଆରମ୍ଭ  କଲେ । ଏହି ବିତରଣ ହେବା ମାତ୍ରେ  ହିତାଧିକାରୀ ଚୟନର ସମସ୍ତ ପ୍ରକାର ଦୁର୍ନୀତି ପଦାକୁ ଆସିଲା । ଯିଏ ରେସନ କାର୍ଡ ପାଇବା କଥା ସେ ପାଇଲାନି ଏବଂ ଯେଉଁମାନେ ନପାଇବା କଥା ସେମାନେ ପାଇଲେ। ଏସବୁ ଦୁର୍ନୀତିରେ ଦୋଷୀ କିଏ, ଅନେକ ଅଭିଯୋଗ ସତ୍ୱେ, ତାହା ସରକାର ଗୋପନରେ ରଖିଲେ । ପୁଣି ସୂଚନା କମିଶନରଙ୍କୁ ଖାଦ୍ୟ କମିଶନର କରି ଦାୟିତ୍ୱ ଦେଲେ। ସୂଚନା କମିଶନଙ୍କ ପାଖରେ ୬୦୦୦ରୁ ଅଧିକ ଅପିଲ ପଡିରହିଥିବା ବେଳେ ସେ କିପରି ପୁଣି ଆଉ ଏକ ଗୁରୁ ଦାୟିତ୍ୱ ନେଇ ତୁଲାଇବେ, ତାହା ଭାବିଲେ ନାହିଁ। କେବଳ ଲୋକେ ଜାଣିବାକୁ ଫୁଡ କମିଶନ ନିଯୁକ୍ତ ହେଲେ। ୮ ଏପ୍ରିଲ୍‌ ୨୦୧୬ ଦିନ ଖାଦ୍ୟ କମିସନଙ୍କ ଚେୟାରମ୍ୟାନ ଓ ୨ ଦୁଇଜଣ ସଭ୍ୟ ପଦ ପୂରଣ ପାଇଁ ଇସ୍ତାହାର ଖବରକାଗଜରେ ଦିଆଗଲା। ଯାହାର ଦରଖାସ୍ତ ଗ୍ରହଣର ଶେଷ ତାରିଖ ୨୮ ଏପ୍ରିଲ୍‌ ୨୦୧୬ । ତା ପରେ ଚୟନ ପ୍ରକ୍ରିୟା । ସେ ପର୍ଯ୍ୟନ୍ତ, ଅର୍ଥାତ୍ ୬ ମାସରୁ ଅଧିକ କାଳ ନାମକୁମାତ୍ର ଖାଦ୍ୟ କମିସନ।

୨୦୧୬ ଜାନୁୟାରୀ ୨୫ ତାରିଖରେ ଓଡିଶା ଗେଜେଟରେ ଖାଦ୍ୟ ସୁରକ୍ଷା ଆଇନର  ଚିଠା ନିୟମାବଳୀ ସହିତ ସର୍ବସାଧାରଣଙ୍କ ପାଇଁ ଏକ ଇସ୍ତାହାର ପ୍ରକାଶ କଲେ। ସେହି ଇସ୍ତାହାରରେ ଉକ୍ତ ଚିଠା ନିୟମାବଳୀ ଉପରେ ସର୍ବସାଧାରଣଙ୍କ ପ୍ରସ୍ତାବ ବା ଆପତ୍ତି ଆଦି ମାଗିଲେ। ଏହି ଆପତ୍ତି ବା ପ୍ରସ୍ତାବ  ୧୫ ଦିନ ମଧ୍ୟରେ ଅର୍ଥାତ୍‌ ଫେବୃୟାରୀ ୯ ତାରିଖ ମଧ୍ୟରେ ଦାଖଲ କରିବାକୁ କୁହାଯାଇଥିଲା। କେତେ ଜଣ କି କି ପ୍ରସ୍ତାବ ବା ଆପତ୍ତି ଦାଖଲ କଲେ ଓ ସେଗୁଡିକ ଉପରେ କଣ କରଗଲା, ତାହା ସରକାର ଗୋପନୀୟ ରଖିଲେ । ଏବେ ଦେଖିଲା ବେଳକୁ ଗତ ମାର୍ଚ୍ଚ ୧୫ ତାରିଖରେ ଇସ୍ତାହାର ସଂଖ୍ୟା ୫୭୨୫ରେ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉକ୍ତ ଚିଠା ନିୟମାବଳୀକୁ ପୂର୍ଣାଙ୍ଗ ରୂପରେଖ ଦେଇ ସାରିଛନ୍ତି। ତାହା ଓଡିଶା ରାଜ୍ୟ ଖାଦ୍ୟ କମିଶନ ନିୟମାବଳୀ ୨୦୧୬ ନାମରେ ନାମିତ ଏବଂ ଓଡିଶା ଗେଜେଟରେ ପ୍ରକାଶ ପାଇବା ଦିନଠାରୁ କାର୍ଯ୍ୟକାରି ହେବ। ସେଥିରେ ଗୋଟିଏ ଧାଡି ଲେଖାଅଛି ଯେ ସର୍ବସାଧାରଣଙ୍କଠାରୁ ମିଳିଥିବା ଆପତ୍ତି ବା ପ୍ରସ୍ତାବ ଗୁଡିକୁ ବିଚାରକୁ ନିଆଯାଇ ନିୟମାବଳୀ ତିଆରି କରାଗଲା। ମାତ୍ର ଚିଠା ନିୟମାବଳୀ ଯାହା ଥିଲା ତାହାହିଁ ରହିଛି । କେବଳ କେତେକ ମାମୁଲି ପରିବର୍ତନ କରାଯାଇଛି । ଯଥା (୧) ଚେୟାରପର୍ସନ ୨ ମାସ ଆଗୁଆ ନୋଟିସ ଦେଇ ଇସ୍ତଫା ଦେଇପାରିବେ,(୨) ଚେୟାରପର୍ସନ ଓ ସଭ୍ୟ ମାନଙ୍କ ନିଯୁକ୍ତି ପାଇଁ ସର୍ବାଧିକ ପ୍ରସାରିତ ଦୁଇଟି ଓଡିଆ ଓ ଦୁଇଟି ଇଂରାଜୀ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବ, (୩) ଚେୟାରପର୍ସନ ଓ ସଭ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ ବର୍ଷ ରହିବ ଏବଂ ଆଉ ଏକବର୍ଷ ପୁନଃନିଯୁକ୍ତି ପାଇଁ ଉପଯୁକ୍ତ ହେବେ। ମାତ୍ର ଅନେକ ଗୁରୁତ୍ୱପୂର୍ଣ ବ୍ୟବସ୍ଥା ନିୟମରେ ସ୍ଥାନ ପାଇ ନାହିଁ । ସରକାରୀ ରେକର୍ଡ ଅନୁଯାୟୀ ୧୩ ଜଣ ଆପତ୍ତି ଓ ପ୍ରସ୍ତାବମାନ ଦେଇଥିଲେ। ସେଗୁଡିକ ସବୁ କାଟ ଖାଇଗଲା। ସେହି ୧୩ ଜଣଙ୍କର ଆପତ୍ତି ଓ ପ୍ରସ୍ତାବ ମାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା ନାହିଁ । କେବଳ ସରକାରଙ୍କୁ ସୁହାଇଲା ଭଳି ଉପରୋକ୍ତ ମାମୁଲି ପ୍ରସ୍ତାବ ଗ୍ରହଣ କରି ନିୟମ ପ୍ରଣୟନ କରିଦେଲେ ।  କେହି ପ୍ରସ୍ତାବ ଦେଉ ବା ନଦେଉ ଆଇନରେ ଯେଉଁ ଯେଉଁ ଧାରା ଉପରେ ନିୟମ ପ୍ରଣୟନ କରିବା କଥା ତାହା ସରକାର କଲେ ନାହିଁ । ଯାହା ନକରିବା କଥା ତାହା କଲେ । ନିମ୍ନରେ ଦିଆଯାଇଥିବା ଉଦାହରଣଗୁଡିକରୁ ପାଠକେ ବୁଝିପାରିବେ କିଭଳି ନିୟମ ଆମ ସରକାର କରିଛନ୍ତି:-

ଉକ୍ତ ନିୟମାବଳୀରେ ଖାଦ୍ୟ ଆଇନର ଅନେକ ବିରୋଧଭାଷ ରହିଛି। ଖାଦ୍ୟ ଆଇନର ଧାରା ୪୦ ଉପଧାରା ୨ ଅନୁଯାୟୀ, ଅଗ୍ରାଧିକାରଭୁକ୍ତ ପରିବାର କେଉଁମାନେ, ଆଭ୍ୟନ୍ତରୀଣ ନିରୀକ୍ଷଣ ବ୍ୟବସ୍ଥା, ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀଙ୍କ ଯୋଗ୍ୟତା,  ଲକ୍ଷ୍ୟଯୁକ୍ତ ସାଧାରଣ ବଂଟନ ବ୍ୟବସ୍ଥା ସଂକ୍ରାନ୍ତ ଦଲିଲ ସର୍ବସାଧାରଣରେ ସ୍ଥାନିତ କରିବା ଏବଂ ସର୍ବସାଧାରଣ ତନଖି କରିବାର ସୁବିଧା ଦେବା,  ରାଜ୍ୟ, ଜିଲ୍ଲା, ବ୍ଲକ୍‌ ତଥା ସୁଲଭ ମୂଲ୍ୟ ଦୋକାନ ସ୍ତରୀୟ ଭିଜିଲାନ୍ସ କମିଟି ଗଠନ ଏବଂ ତଦାରଖ ପ୍ରଣାଳୀ, ଅଭିଯୋଗ ଶୁଣାଣି ଅଧିକାରୀ ତଥା କମିଶନଙ୍କ ସଭ୍ୟମାନଙ୍କ କେନ୍ଦ୍ର ବା ରାଜ୍ୟର ଅନ୍ୟାନ୍ୟ ଯୋଜନାରେ ନିୟୋଜନ ଇତ୍ୟାଦି ବିଷୟରେ ନିୟମ ପ୍ରସ୍ତୁତ କରିବା ପାଇଁ ଆଇନରେ ଥିଲେ ମଧ୍ୟ ତାହା ହୋଇନାହିଁ।

ସବୁ ସ୍ତରର ଭିଜିଲାନ୍ସ କମିଟି ଗଠନ ଓ ସେମାନଙ୍କର କାର୍ଯ୍ୟ ଉପରେ ଆଇନର ଧାରା ୨୯ରେ ଗୁରୁତ୍ୱ ଦିଆଯାଇଅଛି । ତାହା ଉପରେ କୌଣସି ନିୟମ ପ୍ରଣୟନ କରାଯାଇନାହିଁ ।

ଜିଲ୍ଲା ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତି ପାଇଁ ଯୋଗ୍ୟତା, ନିଯୁକ୍ତି ପ୍ରଣାଳୀ, ଦରମା ଇତ୍ୟାଦି ବିଷୟରେ ଆଇନର ଧାରା ୧୫ରେ ନିୟମାବଳୀ ପ୍ରସ୍ତୁତ ପାଇଁ ନିର୍ଦେଶ ଥିବା ସତ୍ତ୍ୱେ ତାହା ହୋଇନାହିଁ । 

ଏହି ନିୟମର ଧାରା ୧୦ରେ ଅଭିଯୋଗ ଶୁଣାଣିର ପ୍ରଣାଳୀ ଏବଂ ସମୟ ନିର୍ଘଣ୍ଟ ତଥା ଅପିଲ ବିଷୟରେ  ଲେଖାଯାଇଅଛି ଯେ କୌଣସି ନାଗରିକ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିଷ୍ପତ୍ତିରେ ଦୁଃଖିତ ହେଲେ ରାଜ୍ୟ କମିସନଙ୍କୁ ୩୦ ଦିନ ମଧ୍ୟରେ ଅପିଲ କରିବେ ଏବଂ ଏହି ଅପିଲ ସହିତ ଘଟଣାବଳିର ସତ୍ୟାସତ୍ୟ ଆଫିଡେଭିଟ କରି ଯଥେଷ୍ଟ କାରଣ ସହ ପଠାଇବେ। ତାହା ୩ କିତା ନକଲ ହେବା ଆବଶ୍ୟକ । ଏ ସବୁ ଦାଖଲ କଲେ ରାଜ୍ୟ ଖାଦ୍ୟ କମିସନ ତାଙ୍କ ବେଞ୍ଚରେ ଶୁଣାଣି କରି ୬୦ ଦିନରେ ନିଷ୍ପତ୍ତି ନେବେ । ବାଃ ସରକାର। ଗରିବ ଲୋକଟିଏ ଯେ କି ପଡିକାର୍ଡରେ ଚାଉଳ ନେଲେ ଖାଇବ, ତାକୁ ଏ ସବୁ କରିବାକୁ କେତେ ସମୟ ଓ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ନିୟମ ପ୍ରଣୟନକାରୀ ବାବୁମାନେ ଜାଣିଥିବେ ନିଶ୍ଚୟ। ତେଣୁ ଏଭଳି ଅସୁବିଧା ସୃଷ୍ଟିକାରୀ ନିୟମପ୍ରଣୟନର ଉଦ୍ଦେଶ୍ୟ, ଅଭିଯୋଗକୁ ଯଥାସମ୍ଭବ ପ୍ରତିହତ କରିବା ଏବଂ କିଛି ଅଭିଯୋଗ ଆସିଲେ ରିପୋର୍ଟ ବାହାର କରିବେ ଯେ ଖାଦ୍ୟ ସୁରକ୍ଷା ଆଇନ ଖୁବ ଭଲ ଭାବରେ କାର୍ଯ୍ୟକାରୀ ହେଉଛି ଏବଂ କୌଣସି ଅଭିଯୋଗ ନାହିଁ । ଏଭଳି ଛଳନାମୟ ନିୟମ ପ୍ରବର୍ତନ କାହିଁକି? 

ଆପତ୍ତି ଥିଲା ଯେଉଁ କମିଟି ଖାଦ୍ୟ କମିଶନ ଓ ସଭ୍ୟ ମାନଙ୍କୁ ବାଛିବ, ତାହା ୩ ଜଣ ସରକାରୀ ଅଫିସର ଯଥା ମୁଖ୍ୟ ଶାସନସଚିବ, ଉନ୍ନୟନ କମିଶନର ଓ ଖାଦ୍ୟ ଶାସନସଚିବଙ୍କ ସହିତ ଆଉ ୩ ଜଣ ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କୁ ନେବା ଉଚିତ। କାରଣ ଏହି ଉଚ୍ଚ ଅଫିସରମାନେ ଥାଇ ମଧ୍ୟ ହିତାଧିକାରୀ ଚିହ୍ନଟ, ରେସନ କାର୍ଡ ବଣ୍ଟନ ଆଦିରେ ଦୁର୍ନୀତି ହୋଇଥିବା ଦେଖାଗଲେ ସୁଦ୍ଧା ଏଥିପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ ପ୍ରକଟ କଲେ ନାହିଁ । ଏଭଳି ପ୍ରସ୍ତାବ କାହିଁକି କାଟ ଖାଇଲା ତାହାର ଉତ୍ତର ଦେଉନାହାନ୍ତି ସରକାର।

ଖାଦ୍ୟ କମିଶନ ଚେୟାରମ୍ୟାନ ଓ ସଭ୍ୟ ମାନଙ୍କ ଅବଧି ୫ ବର୍ଷ ଏବଂ ସେମାନଙ୍କର ପୁନଃନିଯୁକ୍ତି ହୋଇପାରିବା କଥା ଆଇନର ଧାରା  ୧୬ (୪)ରେ ଥିବାବେଳେ ଖାଦ୍ୟ ବିଭାଗ ତାହାକୁ ୩ ବର୍ଷରେ ସୀମିତ ରଖିଛି ଏବଂ ପୁନଃନିଯୁକ୍ତି ୧ ବର୍ଷ ରଖିଛନ୍ତି। କାହିଁକି ଏପରି ଆଇନରୁ ଓହରି ଗଲେ ସେଥିପାଇଁ କୌଣସି ଯୁକ୍ତିଯୁକ୍ତ ମତାମତ ସର୍ବସାଧାରଣରେ ରଖିଲେ ନାହିଁ।

ଆଇନର ଧାରା ୧୬(୬) ଅନୁଯାୟୀ ଖାଦ୍ୟ କମିଶନ ସ୍ୱତଃପ୍ରବୃତ୍ତ ଭାବରେ ଖାଦ୍ୟ ଆଇନର ପରିଚାଳନାଗତ ତ୍ରୁଟି ଉପରେ ହସ୍ତକ୍ଷେପ କରି ଉଚିତ ସୁଧାର ଆଣିବା ବିଷୟରେ ନିୟମରେ ଲେଖାନାହିଁ ।

ପ୍ରଣୀତ ନିୟମରେ ଲେଖାଅଛି, କମିଶନ ଆଂଚଳିକ କ୍ୟାମ୍ପ କରି ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନର ସୁଫଳ ବିଷୟରେ ସଚେତନ କରିବେ । ଏହା ସମ୍ଭବ କି ? ତାହା କାହିଁକି ନିମ୍ନ ସ୍ତରର ନୋଡାଲ ଅଧିକାରୀମାନଙ୍କ ଦ୍ୱାରା କରାଇପାରିବେ ନାହିଁ? ଅତି ଜରୁରୀ ମାମଲା ଗୁଡିକ ୭ ଦିନ ଭିତରେ ଫଇସଲା ହେବାପାଇଁ ପ୍ରସ୍ତାବ ଥିବା ସତ୍ତ୍ୱେ ତାହା ନିୟମରେ ରଖାଗଲା ନାହିଁ ।

ଆଇନ ସହିତ ଖାପ ଖୁଆଇ ନିୟମ ତିଆରି ହେବା କଥା। ଉପରୋକ୍ତ ବ୍ୟତିକ୍ରମ କେବଳ ଉଦାହରଣ ମାତ୍ର । ଆଇନ ଅନୁଯାୟୀ ଅନେକ କିଛି ବ୍ୟତିକ୍ରମ କରି ନିୟମ ପ୍ରଣୟନ କରୁଛନ୍ତି ସରକାର ।  ଯେଉଁ ନିୟମ ତିଆରି ହୋଇଛି ତାହା ଲୋକମାନଙ୍କର ସ୍ୱାର୍ଥ ପାଇଁ ନୁହେଁ ।

ଯଦି ଏପରି କରିବାର ଥିଲା ଇସ୍ତାହାର ବାହାର କରି ଲୋକମାନଙ୍କ ପରାମର୍ଶନେବା ନାଟକ କାହିଁକି କରୁଥିଲେ ସରକାର? ସତେ ଯେପରି ଲୋକମାନଙ୍କ କଥା ଶୁଣିବେ !

ବିଶ୍ଳେଷଣ ଓ ରଚନା: ଭବାନୀ ଶଙ୍କର ନନ୍ଦ, ଭୁବନେଶ୍ଵର

कोई टिप्पणी नहीं:

एक टिप्पणी भेजें