मंगलवार, 25 अगस्त 2015

ଅଦାଲତୀ ପଞ୍ଚାୟତର ପୃଷ୍ଠଭୂମି

ଅଦାଲତୀ ପଞ୍ଚାୟତ ସମ୍ପର୍କରେ ଆଲୋଚନା କଲା ବେଳେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ଏକ ଉକ୍ତି ଅତ୍ୟନ୍ତ ପ୍ରାସଙ୍ଗିକ ତଥା ତାତ୍ପର୍ଯ୍ୟପୂର୍ଣ ମନେହୁଏ । ‘‘କେବଳ ବିଧାନସଭାଗୁଡ଼ିକ ଜରିଆରେ କ୍ଷମତା ଆସେ ବୋଲି ଭାବିବାରେ ଆମେ ଦୀର୍ଘ କାଳ ଧରି ଅଭ୍ୟସ୍ତ ହୋଇ ପଡ଼ିଛୁ । ଏହି ବିଶ୍ୱାସକୁ ମୁଁ ସାଂଘାତିକ ଭୁଲ୍ ବୋଲି ମନେକରେ  । ଆମର ଜଡ଼ତା ଓ ମୋହ ଯୋଗୁ ଆମର ଏହି ଭୁଲ୍ ବିଶ୍ୱାସ ସୃଷ୍ଟି ହୋଇଛି । ବିଲାତର ଇତିହାସକୁ ଉପରଠାଉରିଆ ଭାବରେ ଅଧ୍ୟୟନ କରିବା ଦ୍ୱାରା ଆମର ଧାରଣା ହୋଇଛି ଯେ ପାର୍ଲିଆମେଣ୍ଟମାନଙ୍କରୁ ଲୋକମାନଙ୍କ ନିକଟକୁ କ୍ଷମତା ଝରି ଆସେ । ପ୍ରକୃକ କଥା ହେଉଛି, କ୍ଷମତା ଲୋକମାନଙ୍କ ହାତରେ ଥାଏ ଏବଂ ଯେଉଁମାନଙ୍କୁ ନିଜର ପ୍ରତିନିଧି ବୋଲି ବାଛନ୍ତି, ସେହିମାନଙ୍କ ହାତରେ ସେହି ନିର୍ଦ୍ଧିଷ୍ଟ ସମୟ ପାଇଁ କ୍ଷମତା ଦିଆଯାଇଥାଏ  । ପାର୍ଲିଆମେଣ୍ଟର କୋଣସି କ୍ଷମତା ନାହିଁ କି ଜନସାଧାରଣଙ୍କୁ ଛାଡ଼ି ତା'ର ସ୍ୱାଧୀନ ସ୍ଥିତି ମଧ୍ୟ ନାହିଁ ।’’
ଗାନ୍ଧିଜୀଙ୍କର ଏହି ଉକ୍ତିର ଏକ ତାତ୍ତ୍ୱିକ ବିଶ୍ଳେଷଣ କଲେ, ତାଙ୍କର ରାମରାଜ୍ୟ ପରିକଳ୍ପନା ଏବଂ ଗ୍ରାମ ସ୍ୱରାଜ୍ୟ କଥା ଆମ ଦୃଷ୍ଟିକୁ ଆସେ। ଗାନ୍ଧିଜୀ ଚାହୁଁଥିଲେ ସ୍ୱାଧୀନ ଭାରତରେ ପ୍ରକୃତ ଶାସନ କ୍ଷମତା ପାର୍ଲାମେଣ୍ଟଣ୍ଟବା ବିଧାନସଭା ପରିବର୍ତେ ଗ୍ରାମରେ କେନ୍ଦ୍ରୀଭୂତ ହେଉ । କାରଣ ଗାନ୍ଧିଜୀ ଭଲରୂପେ ଜାଣିଥିଲେ ଯେ ଭାରତ ଏକ ଗ୍ରାମବହୁଳ ରାଜ୍ୟ ଏବଂ ଭାରତର ଅସଂଖ୍ୟ ଜନସାଧାରଣ ଯେଉଁମାନେ କି ଦରିଦ୍ର, ସେମାନେ ସମସ୍ତେ ଗ୍ରାମରେ ବାସ କରନ୍ତି । ତେଣୁ ସେ ସ୍ପଷ୍ଟ ଭାବରେ ଜନସାଧାରଣ ତଥା ଦେଶର ଶାସକ ବର୍ଗକୁ ଚେତାଇ ଦେଇ କହିଥିଲେ ଯେ India lives in her villages, ଅର୍ଥାତ୍ ଭାରତୀୟ ଜନଜୀବନର ଏକ ନିଚ୍ଛକ ପ୍ରତିଛବି କେବଳ ତାହାର ଗ୍ରାମ୍ୟଜୀବନରୁ ହିଁ ମିଳିପାରିବ । ଭାରତୀୟ ଗ୍ରାମ୍ୟଜୀବନକୁ ସମୃଦ୍ଧ ଓ ପରିପୁଷ୍ଟ କରିବା ପାଇଁ ସ୍ୱତନ୍ତ୍ର ତଥା ବିଶେଷ ଭାବେ ଗାନ୍ଧିଜୀଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଚିନ୍ତାଧାର ତଥା ଦର୍ଶନ ଥିଲା । ଏହା ସହ ଗାଁର ଲୋକମାନଙ୍କ ମଧ୍ୟରେ ସର୍ବଦା ଶାନ୍ତି ଓ ସୌହାର୍ଦ୍ୟ ବଜାୟ ରହିବା ଉଦ୍ଦେଶ୍ୟରେ ଗାଁର କଜିଆ ଗାଁରେ ତୁଟୁ ଉପରେ ଗାନ୍ଧିଜୀ ବିଶେଷ ଗୁରୁତ୍ୱ ଆରୋପ କରୁଥିଲେ । ଗାନ୍ଧିଜୀ ଅନ୍ତରର ସହ ଚାହୁଁଥିଲେ ଯେ, ଗ୍ରାମ ଲୋକମାନେ ସେମାନଙ୍କ ମଧ୍ୟରେ ଉପୁଜୁଥିବା ବିଭିନ୍ନ ବିବାଦର ପ୍ରତିକାର ପାଇଁ ଇଂରେଜୀ ଢାଞ୍ଚାରେ ପ୍ରତିଷ୍ଠିତ କୋର୍ଟ କଚେରୀକୁ ବାରମ୍ବାର ଧାଁଦଉଡ଼ କରି ଅଯଥା ଖର୍ଚ୍ଚାନ୍ତ ବା ସର୍ବସ୍ୱାନ୍ତ ନ ହୁଅନ୍ତୁ । ତେଣୁ ସ୍ୱାଧୀନ ଭାରତରେ ଗ୍ରାମମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରାମପଞ୍ଚାୟତକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷମତା ଦିଆଯିବା ସହ ଏହାକୁ ନ୍ୟାୟିକ (Judicial) କ୍ଷମତା ଅର୍ପଣ କରାଯିବା ପାଇଁ, ଏହାର ଉପାଦେୟତା ସମ୍ପର୍କରେ ଗାନ୍ଧିଜୀ ବିଶେଷ ଭାବେ ଆଲୋକପାତ କରିଥିଲେ । 

ଗାନ୍ଧିଜୀଙ୍କର ଉପରୋକ୍ତ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ସମ୍ବିଧାନପ୍ରଣେତାମାନେ ସମ୍ବିଧାନରେ ରାଷ୍ଟ୍ରର ନିର୍ଦେଶାତ୍ମକ ନୀତି (Directive Principles of State Policy)ରେ ପଞ୍ଚାୟତିରାଜ ସମ୍ପର୍କରେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନ ପ୍ରଚଳନର ୪୦ ବର୍ଷ ପରେ, ପୁନଶ୍ଚ ଆମ ଦେଶର ମାନ୍ୟବର ପାର୍ଲାମେଣ୍ଟ ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ ଓ ଫଳପ୍ରଦ କରାଇବା ନିମିତ୍ତ ୧୯୯୩ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଜରିଆରେ ସମ୍ବିଧାନର ନବମ ଭାଗରେ ପଞ୍ଚାୟତିରାଜ ସମ୍ପର୍କରେ ଏକ ସ୍ଥାୟୀ ବ୍ୟବସ୍ଥା ସନ୍ନିବେଶିତ କରିଛନ୍ତି । ପଞ୍ଚାୟତ ସମ୍ପର୍କରେ ସମ୍ବିଧାନର ଏହି ନୂତନ ବ୍ୟବସ୍ଥା ଆମ ପାଇଁ ତଥା ଭାରତୀୟ ଜନସାଧାରଣଙ୍କ ପାଇଁ ଯୁଗପତ୍ ଆନନ୍ଦ ତଥା ବିଷାଦର ଏକ ବିଷୟବସ୍ତୁ ରୂପେ ବିବେଚନା କରାଗଲେ ଏହାକୁ ଏକ ତ୍ରୁଟିପୂର୍ଣ୍ଣ ଯୁକ୍ତି (fallacious argument) ରୂପେ ଗ୍ରହଣ କରାଯାଇ ପାରିବ ନାହିଁ  । ନୂତନ ସମ୍ବିଧାନ ସଂଶୋଧନଟି, ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦ ତଥା ଶୁଭଙ୍କର ବିଷୟ ଅଟେ, ଯେହେତୁ ଏହା ପ୍ରଥମଥର ପାଇଁ ଅଥଚ ଅତ୍ୟନ୍ତ ସୀମିତ ସ୍ତରରେ ନିର୍ଦିିଷ୍ଟ ଭାବେ କେବଳ ଅନୁସୂଚିତ କ୍ଷେତ୍ରର ପଞ୍ଚାୟତମାନଙ୍କୁ ନ୍ୟାୟିକା କ୍ଷମତାର ପ୍ରୟୋଗ ପାଇଁ ହକ୍ଦାର କରୁଛି ଏବଂ ସେହେତୁ, କଥିତ ସମ୍ବିଧାନ ସଂଶୋଧନ ଆମ ମନରେ ଅବଶୋଷ, ବିଷାଦ ଓ ଅନୁଶୋଚନାର ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ସେପର୍ଯ୍ୟନ୍ତ ଆମର ବିଚାରବନ୍ତ ଓ ସୁଯୋଗ୍ୟ ପାର୍ଲାମେଣ୍ଟାରିଆନମାନେ ଆମ ଦେଶର ପଞ୍ଚାୟତ ବ୍ୟବସ୍ଥାକୁ ସାମଗ୍ରିକ ଭାବେ ନ୍ୟାୟିକା କ୍ଷମତା (Judicial Power) ଅର୍ପିତ କରିବା ପାଇଁ ଉପଯୁକ୍ତ ସାମ୍ବିଧାନିକ ବ୍ୟବସ୍ଥାର ପ୍ରବର୍ତନ ନ କରିଛନ୍ତି ।
ଅଦାଲତୀ ପଞ୍ଚାୟତ ବା ନ୍ୟାୟ ପଞ୍ଚାୟତ ବ୍ୟବସ୍ଥା ଆମ ଭାରତୀୟ ସମାଜ ପାଇଁ କିଛି ନୂଆ କଥା ନୁହେଁ । ଏହା ଆମର ପ୍ରାଚୀନ ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଉପରେ ପର୍ଯ୍ୟବସିିତ । ଆମର ପ୍ରାଚୀନ ଶାସନ ବ୍ୟବସ୍ଥାରେ ଏପରି ନ୍ୟାୟଦାନ ବ୍ୟବସ୍ଥା ପ୍ରଚଳିତ ଥିଲା ଏବଂ ଜନସାଧାରଣ ଏହା ଦ୍ୱାରା ଉପକୃତ ହେଉଥିଲେ । ଇଂରେଜମାନଙ୍କର ଭାରତକୁ ଆଗମନ ପୂର୍ବରୁ, ନିର୍ଦିଷ୍ଟ ଭାବେ ଓଡ଼ିଶାରେ ଭାଗବତ ଟୁଙ୍ଗି ବ୍ୟବସ୍ଥା ପ୍ରଚଳିତ ଥିଲା, ଯାହାକୁ ବର୍ତମାନ ସମୟର ଅଦାଲତୀ ପଞ୍ଚାୟତି ବା ନ୍ୟାୟ ପଞ୍ଚାୟତ ସହିତ ତୁଳନା କରାଯାଇପାରେ  ।
ବର୍ତମାନର ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅନେକ ସମସ୍ୟାର ସମ୍ମୁଖୀନ । ମାମଲାଗୁଡ଼ିକର ବୃଦ୍ଧି ହେତୁ ଏହା ଅତ୍ୟନ୍ତ ଭାରାକ୍ରାନ୍ତ । ଏଥି ସଙ୍ଗେ ପ୍ରଚଳିତ ନ୍ୟାୟଦାନ ବ୍ୟବସ୍ଥା ଅତ୍ୟନ୍ତ ଖର୍ଚ୍ଚବହୁଳ ଏବଂ ସମୟସାପେକ୍ଷ  । ନ୍ୟାୟ ପ୍ରାପ୍ତିରେ ଅଯଥା ବିଳମ୍ବ ଏହାର ଏକ ଗୁରୁତର ବ୍ୟାଧି। ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବା ଓ ନୂଆ କୋର୍ଟମାନ ପ୍ରତିଷ୍ଠା କରିବା ପାଇଁ ରାଷ୍ଟ୍ର ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ, ଯେହେତୁ ଏହା ଅନେକ ସମସ୍ୟା ଜର୍ଜରିତ  । ନ୍ୟାୟଦାନର ଏହି ବିବିଧ ସମସ୍ୟା - ନ୍ୟାୟାଧୀଶ, ନେତୃବୃନ୍ଦ ତଥା ପ୍ରଶାସକମାନଙ୍କ ପାଇଁ ଏକ ବିରାଟ ଚିନ୍ତାର କାରଣ । ତେଣୁ ନ୍ୟାୟଦାନର ଏପରି ତ୍ରୁଟି ଦୂରୀକରଣ ତଥା ମୂଳୋତ୍ପାଟନ ପାଇଁ ସାରା ବିଶ୍ୱ ସ୍ତରରେ ପ୍ରଚଳିତ ନ୍ୟାୟଦାନର ବିକଳ୍ପ ପଦ୍ଧତି ପାଇଁ ପରିକଳ୍ପନା ତଥା ମାଧ୍ୟମରେ ଚିନ୍ତା କରାଗଲା ଯାହାକି ଇଂରାଜୀ ଭାଷାରେ - Alternative Dispute Resolution Mechanism ବା ସଂକ୍ଷେପରେ ADR ନାମରେ ଖ୍ୟାତ  । ଲୋକ ଅଦାଲତୀ, ମଧ୍ୟସ୍ଥତା ଆଇନ ଓ ଅଦାଲତୀ ପଞ୍ଚାୟତ ଇତ୍ୟାଦି ଏହି ADRର ଏକ ମାଧ୍ୟମ ।
Custom or usage having in the territory of India the force of law - ଲୋକାଚାର ବା ପ୍ରଥା ଓ ଚଳଣି ଯାହା ଭାରତବର୍ଷର ଭୂଭାଗରେ ବିଧିବଦ୍ଧ ରହିଛି ସେସବୁକୁ ଆଇନର ମାନ୍ୟତା ଦିଆଯାଏ  । ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ଅଧ୍ୟାୟରେ ଏହି ବ୍ୟବସ୍ଥାଟି ଥିବାରୁ ଏହାକୁ ଏକ ମୌଳିକ ଅଧିକାର ବୋଲି କୁହାଯିବ  । ତେଣୁ ସମ୍ବିଧାନର ୧୩ ଧାରା ଅନୁସାରେ ମୌଳିକ ଅଧିକାର ସହ ଅପ୍ରାସଙ୍ଗିକ ବା ତାହାର ବିପରୀତ ବ୍ୟବସ୍ଥା ସବୁକୁ ଅଣସାମ୍ବିଧାନିକ ବୋଲି ଅଦାଲତ ଘୋଷଣା କରିପାରିବେ । ଏ ବିଷୟରେ ଦେଶର ନାଗରିକ ସମାଜ(ସିଭିଲ୍ ସୋସାଇଟି) ନିଜର ମତାମତ ପ୍ରକାଶ କରିବା ଉଚିତ ।

ଆମ ଭାରତର ସମ୍ବିଧାନ ଗୃହୀତ ହେବା ପୂର୍ବରୁ ଗ୍ରାମପଞ୍ଚାୟତ ଆଇନ ୧୯୪୮ ପ୍ରବର୍ତିତ ହୋଇସାରିଥିଲା । ସେ ସମୟରେ ଡ. ହରେକୃଷ୍ଣ ମହତାବ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ (ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରୂପେ ବିବେଚନା କରାଯାଉଥିଲା) ତେଣୁ ପଞ୍ଚାୟତ ସ୍ତରରେ ସ୍ୱରାଜ୍ୟର କଳ୍ପନାକୁ ସାକାର କରିବା ପାଇଁ ସେହି ଆଇନରେ ଅଦାଲତୀ ପଞ୍ଚାୟତ ପ୍ରତିଷ୍ଠା ନିମନ୍ତେ ବ୍ୟବସ୍ଥା କରିଥିଲେ। ନିୟମାବଳୀର ୭ମ ଅଧ୍ୟାୟରେ ଅଦାଲତୀ ପଞ୍ଚାୟତ କିପରି ଗଠିତ ହେବ ଓ କେଉଁ କେଉଁ ବିଷୟରେ ଅଦାଲତୀ ପଞ୍ଚାୟତର କ୍ଷମତା ବିସ୍ତାର ଲାଭ କରିବ ତାହାର ସଂପୂର୍ଣ ଚିତ୍ର ସେହି ଆଇନରେ ପ୍ରଦାନ କରାଯାଇଥିଲା । କିନ୍ତୁ ଅଳ୍ପ କୋତେଟି ସ୍ଥାନରେ ଏହି ଆଇନ କାର୍ଯ୍ୟାରମ୍ଭ କରିବାର ସୁଯୋଗ ପାଇଲା। ଅନ୍ୟାନ୍ୟ ଜିଲ୍ଲାରେ ଧୀରେ ଧୀରେ ତାହା ପ୍ରସାରିତ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଫଳରେ ଯେଉଁ ଜିଲ୍ଲାରେ ଏହା ଆରମ୍ଭ ହୋଇଥିଲା ସେଠି ମଧ୍ୟ ଏହି ଅଦାଲତୀ ପଞ୍ଚାୟତ କ୍ରମାଗତ ଭାବେ ବନ୍ଦ ହୋଇଗଲା।
ସମ୍ବିଧାନ ଗୃହୀତ ହେଲା ପରେ ୨୬ ଜାନୁଆରୀ ୧୯୫୦ରୁ ତାହା କାର୍ଯ୍ୟକାରୀ ହେଲା । ତହିଁର ୨୪୬ଧାରା ଅନୁସାରେ ୭ମ ପରିଶିଷ୍ଟରେ ୩ଟି ତାଲିକା କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକା ରୂପେ ସନ୍ନିବିଷ୍ଟ ହେଲା । ରାଜ୍ୟ ତାଲିକାରେ ୫ଦଫା (Item No.5)ରେ ଗ୍ରାମ୍ୟ ଶାସନ ଓ ସ୍ଥାନୀୟ ସ୍ୱାୟତ୍ତଶାସନ ପାଇଁ ଆଇନ କରିବାର ଅଧିକାର ରାଜ୍ୟ ହସ୍ତରେ ନ୍ୟସ୍ତ କରାଗଲା । ତଦନୁଯାୟୀ ଗ୍ରାମପଞ୍ଚାୟତ ଆଇନ ଓ ତା'ର ନିୟମାବଳୀ ଥିଲା ରାଜ୍ୟର ବିଷୟବସ୍ତୁ । ଅତଏବ ଅଦାଲତୀ ପଞ୍ଚାୟତର କଳ୍ପନା ଓ ତାହାକୁ ଦିଆଯାଇଥିବା କ୍ଷମତାବଳୀ ରାଜ୍ୟର ଅଧିକାର ପରିସରଭୁକ୍ତ ଥିଲା  ।
ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତା ଉଠାଇ ଦିଆଯାଇଥିବାରୁ ଧୀରେ ଧୀରେ ଦେଖାଗଲା ଯେ ରାଜ୍ୟର ପ୍ରଶାସନ ଏଭଳି ପଞ୍ଚାୟତରେ ଉଚ୍ଚଜାତିର ଲୋକମାନଙ୍କ ଆଇନ ଭଙ୍ଗର ସୁଯୋଗ ଦେବ ବୋଲି ଆଶଙ୍କାକରି ଏହି ଆଇନକୁ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟକାରୀ କରାଗଲା ନାହିଁ । ବିଷୟଟି ପୁନର୍ବାର ଉଜ୍ଜୀବିତ ହେଲା ଯେତେବେଳେ ୭୩ତମ ସାଂବିଧାନିକ ସଂଶୋଧନ ଅଧିନିୟମ ଦ୍ୱାରା ୨୪.୦୪.୧୯୯୩ରେ ପଞ୍ଚାୟତକୁ ଏକ ସ୍ୱତନ୍ତ୍ର ଅଧ୍ୟାୟ ରୂପେ ସମ୍ବିଧାନରେ ସଂଯୁକ୍ତ କରାଗଲା । ଏହି ନବୀନ ସଂସ୍କରଣ ପାଇଁ ୨୪୩-ଗ(୪)(ଭ) ଧାରାରେ ବ୍ୟବସ୍ଥା ରହିଲା ଯେ, ଆଇନ ଦ୍ୱାରା ପାର୍ଲାମେଣ୍ଟ ଏହି ଭାଗକୁ ଅନୁସୂଚୀତ ଅଞ୍ଚଳ ଏବଂ ଜନଜାତି ଅଞ୍ଚଳକୁ ପ୍ରସାରିତ କରିପାରିବେ  ।
ତେଣୁ ଗୋଟିଏ ନୂତନ ଆନ୍ଦୋଳନ ମୁଣ୍ଡ ଟେକିଲା। ବହୁ ସ୍ୱେଚ୍ଛାସେବୀ ସଂସ୍ଥା ଏଥିରେ ଭାଗ ନେଲେ। ଓଡ଼ିଶାରେ ମଧ୍ୟ ଏ ଆନେ୍ଦାଳନ ପ୍ରତି ଗଭୀର ଶ୍ରଦ୍ଧା ଓ ସହଯୋଗ କରାଯାଇଥିଲା । ଭାରତ ଜନଆନ୍ଦୋଳନ ରୂପେ ପରିଚିତ ଏହି ସିଭିଲ ସୋସାଇଟିର ଉଦ୍ୟମ ରୂପରେଖ ନେଇ ୧୯୯୬ରେ ୪୦ ନମ୍ବର ଆଇନ୍ରେ ଅନୁସୂଚୀତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଆଇନ ରୂପେ ପ୍ରସାରିତ ହେଲା । ୨୪.୧୨.୧୯୯୬ରେ ଏହି ସମ୍ପ୍ରସାରିତ ଆଇନ୍ ରାଜପତ୍ରିତ ହୋଇ ଲାଗୁ ହେଲା । ପୁଣି ସୁଯୋଗ ମିଳିଲା ସମ୍ବିଧାନର ୧୩ ଧାରାକୁ ଏକ ଆଇନ ଆକାରରେ ରୂପରେଖ ଦେବା ବିଷୟରେ ।
ସମସ୍ତଙ୍କ ଅବଗତି ନିମନ୍ତେ ଏହି ଆଇନ୍ର ୪ର୍ଥ ଧାରାର (ଘ) ଉପଧାରା ଏଠାରେ ଅନୁଦିତ ହେଲା:- ""ପ୍ରତ୍ୟେକ ଗ୍ରାମସଭା ଲୋକମାନଙ୍କ ପ୍ରଥା, ପରମ୍ପରା, ସେମାନଙ୍କ ସଂସ୍କୃତି ପରିଚୟ (Culture Identity) ଗୋଷ୍ଠୀ ସମ୍ବଳ, ପ୍ରଥା, ଚଳଣି ଓ ଲୋକାଚା ଭିତ୍ତିକ ବିବାଦ ସମାଧାନ ଆଦିକୁ ସଂରକ୍ଷଣ ଓ ସୁରକ୍ଷା ଦେବା ପାଇଁ କ୍ଷମତାପନ୍ନ ହେବେ ।''
୧୯୯୭ ଡ଼ିସେମ୍ବରରେ ଓଡ଼ିଶାର ପଞ୍ଚାୟତ ଆଇନର ସଂଶୋଧନ କରାଯାଇ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୫ର ବିଭିନ୍ନ ଧାରାରେ ଅନ୍ତର୍ଭୁକ୍ତ କରାଗଲା । ଏଥିରେ ଓଡ଼ିଶାର ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ଅବଦାନ ଥିଲା ବ୍ୟାପକ ଓ ଗଭୀର।
ଏଥର ଗ୍ରାମସଭା ବିଷୟରେ ଆଲୋଚନା କରାଯାଉ। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ୍ ୧୯୬୫ର ପଞ୍ଚମ ଧାରାରେ ଗ୍ରାମସଭା ଏବଂ ତାହାର କୃତ୍ୟ (function) ବର୍ଣ୍ଣନା କରାଯାଇଛି। ୨୨.୧୨.୧୯୯୭ରେ ଏହି ପଞ୍ଚମ ଧାରାରେ ୩ୟ, ୪ର୍ଥ, ୫ମ ଓ ୬ଷ୍ଠ ଉପଧାରା ନୂଆକରି ସଂଯୁକ୍ତ କରାଯାଇ ଗ୍ରାମ ଶାସନର କାର୍ଯ୍ୟ କ'ଣ ତାହା ବର୍ଣ୍ଣନା କରାଯାଇଛି  । ୬ଷ୍ଠ ଉପଧାରାରେ ବର୍ଣିତ ରହିଛି ଯେ - ‘‘ପ୍ରତ୍ୟେକ ଗ୍ରାମସଭା ଲୋକମାନଙ୍କ ପ୍ରଥା, ପରମ୍ପରା, ସେମାନଙ୍କ ସଂସ୍କୃତି ପରିଚୟ(Culture Identity), ଗୋଷ୍ଠୀ ସମ୍ବଳ, ପ୍ରଥା, ଚଳଣି ଓ ଲୋକାଚାର ଭିତ୍ତିକ ବିବାଦ ସମାଧାନ ଆଦିକୁ ସଂରକ୍ଷଣ ଓ ସୁରକ୍ଷା ଦେବା ପାଇଁ କ୍ଷମତାପନ୍ନ ହେବ ।’’ ଏହି ରୂପେ ଉପରୋକ୍ତ ମନ୍ତବ୍ୟ ସମ୍ବିଧାନ ଓ ପଞ୍ଚାୟତ ଆଇନଗୁଡ଼ିକରେ ଲେଖାଯାଇଛି  ।

ଏହି ଗ୍ରାମ ପଞ୍ଚାୟତ ଆଇନରେ ଗ୍ରାମଶାସନର ସଂଜ୍ଞା ଦିଆଯାଇଛି । ଗ୍ରାମସଭାର ସଂଜ୍ଞା ଦିଆଯାଇନାହିଁ । ତଥାପି ୧୯୯୭ର ସଂଶୋଧନ ସମୟକୁ ଦେଖାଗଲା ଯେ ଗ୍ରାମଶାସନ ଯାହା ଗ୍ରାମସଭା ମଧ୍ୟ ତାହା । ଏଥିପାଇଁ ୫ମ ଧାରାର ୨ୟ ଉପଧାରା ତାତ୍ପର୍ଯ୍ୟପୂର୍ଣ। ସେଥିରେ ଗ୍ରାମସଭାର କୋରମ୍ ମୋଟ ସଭ୍ୟସଂଖ୍ୟାର ଏକ ଦଶମାଂଶ ରହିବ ବୋଲି ଉଲ୍ଲେଖ କରାଯାଇଛି ।

ଗ୍ରାମଶାସନ (Village administration)ର ଉଲ୍ଲେଖ ରାଜ୍ୟ ତାଲିକାରେ ରହିଛି ବୋଲି ଏହି ପ୍ରବନ୍ଧରେ ପୂର୍ବରୁ ଦର୍ଶାଯାଇଛି । ତେଣୁ ସରକାରଙ୍କ ଦୃଷ୍ଟିୁର ଗ୍ରାମଶାସନର ଅନ୍ୟନାମ ହେଲା ଗ୍ରାମସଭା । କିନ୍ତୁ ୫ମ ଧାରାରେ ୬ଷ୍ଠ ଉପଧାରା ପାଇଁ ଏ ପର୍ଯ୍ୟନ୍ତ ନିୟମାବଳୀ ହୁଏତ ତିଆରି କରାଯାଇ ନାହିଁ ବା ଲାଗୁ କରାଯାଇ ନାହିଁ । ଫଳସ୍ୱରୂପ ଆମ ପାଖରେ ସୂଚନାର ଅଭାବ ରହିଛି ଯେ ଗ୍ରାମସଭା ଅଦାଲତୀ ପଞ୍ଚାୟତକୁ ବା ନ୍ୟାୟ ପଞ୍ଚାୟତକୁ କିପରି ଭାବେ କାର୍ଯ୍ୟକାରୀ କରିବ  ।

ଉପରେ ଯାହା ଉଲ୍ଲେଖ କରାଗଲା ତହିଁରୁ ଜଣାପଡ଼େ ଆଇନକୁ ଆମର ଅମଲାତନ୍ତ୍ର ଓ ନିର୍ବାଚିତ ପ୍ରତିନିଧିମାନେ କେଉଁ ଉପାୟରେ ମୋଡ଼ିମାଡ଼ି ଅକାମୀ କରିଦେଇ ପାରନ୍ତି । ଏବେ ସୂଚନା ଅଧିକାର ଏକ ଆଇନ ହେବା ସତ୍ତ୍ୱେ ତାହାର ମଧ୍ୟ କେନ୍ଦ୍ରୀୟ ନିୟମାବଳୀ ତିଆରି ହୋଇନାହିଁ । ଫଳ ସ୍ୱରୂପ ଅଦାଲତୀ ପଞ୍ଚାୟତ ବା ନ୍ୟାୟ ପଞ୍ଚାୟତ ପ୍ରତିଷ୍ଠା କରିବା ପାଇଁ ଥିବା ବାଧା କିପରି ଦୂର କରାଯିବ ଓ ଗ୍ରାମ ସ୍ୱରାଜର ପଥ ପ୍ରଶସ୍ତ କରାଯିବ ତାହା ସ୍ପଷ୍ଟ ଜାଣିହେଉ ନାହିଁ ।
ଅନ୍ୟ ଏକ ଉଦାହରଣ ମଧ୍ୟ ବିଚାରକୁ ନିଆଯାଇପାରେ । ଓଡ଼ିଶା ଭୂ-ଦାନ ଗ୍ରାମଦାନ ଆଇନ, ୧୯୭୦ ତାହାର ସଂଜ୍ଞା ପ୍ରକରଣରେ ଗ୍ରାମଦାନଗ୍ରାମ ପରିଷଦର ଅର୍ଥ ପ୍ରଦାନ କରିଛି  । କିନ୍ତୁ ଗାଁରେ ବାସ କରୁଥିବା ସମସ୍ତ ମତଦାତାମାନଙ୍କୁ ନେଇ ଗ୍ରାମପରିଷଦ ଗଠିତ ହେବ ବୋଲି ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଗ୍ରାମସଭା ପଲ୍ଲୀସଭା ସଙ୍ଗେ ଏହି ଗ୍ରାମପରିଷଦର ସମ୍ପର୍କ କ'ଣ ତାହା ଏହି ଉଭୟ ଆଇନରୁ ଜଣାପଡ଼ି ନାହିଁ । ପରିଣାମ ସ୍ୱରୂପ ନ୍ୟାୟ ପଞ୍ଚାୟତ ବା ଅଦାଲତୀ ପଞ୍ଚାୟତ କେଉଁ ଆଇନର ଅନ୍ତର୍ଗତ ହେଲେ ଅଧିକ କାର୍ଯ୍ୟକ୍ଷମ ହେବ ତାହାକୁ ଅସ୍ପଷ୍ଟ କରି ଦିଆଯାଇଛି । ଏଥିରେ ଆମେ ଅଦାଲତୀ ପଞ୍ଚାୟତ ସମ୍ପର୍କୀୟ ସମସ୍ତ ଆଇନଗୁଡ଼ିକୁ ଓଡ଼ିଶାରେ ଭାଷାନ୍ତର କରି ଆଲୋଚନା କରିଅଛୁ  । ଆଶା କରାଯାଏ ଯେ, ଏହି ତଥ୍ୟକୁ ଆଧାରକରି ଅଦାଲତୀ ପଞ୍ଚାୟତ ଉପରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇ ଏହା କାର୍ଯ୍ୟକାରୀ ହେବ ।

- ଭ୍ରଷ୍ଟାଚାର ବିରୋଧୀ ଅଭିଯାନ

कोई टिप्पणी नहीं:

एक टिप्पणी भेजें