मंगलवार, 2 जून 2015

ସୂଚନା ଅଧିକାର ଆଇନର ସାତବର୍ଷ ପୂର୍ତ୍ତି ଓ ଓଡ଼ିଶା

ପ୍ରଶାସନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷା ସହିତ ଜନସାଧାରଣଙ୍କୁ ବିଭିନ୍ନ ଜନକର୍ତୃପକ୍ଷଙ୍କ ଦପ୍ତରରୁ ସୂଚନା ପାଇବାର ଅଧିକାର ଦେଇଥିବା ସୂଚନା ଅଧିକାର ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରି ଗଲାଣି । ଆଇନର ସଫଳତା ଓ ବିଫଳତାକୁ ନେଇ ସମଗ୍ର ଦେଶରେ ବିତର୍କ ଚାଲିଛି । ସୂଚନା ଅଧିକାର ଆଇନ କେତେଦୂର ସାଧାରଣ ଲୋକଙ୍କୁ ସାହାଯ୍ୟ କରିପାରିଛି ବା ପ୍ରାଶାସନିକ ବ୍ୟବସ୍ଥାରେ କି ପରିବର୍ତନ ହୋଇଛି ଏ ସମ୍ପର୍କରେ କେନ୍ଦ୍ର ସରକାର ଇତିମଧ୍ୟରେ ଏକ ଅଧ୍ୟୟନ ଆରମ୍ଭ କରିଛନ୍ତି । ସାମଗ୍ରିକ ଭାବେ ଦେଖିଲେ, ଜାତୀୟସ୍ତରରେ ସୂଚନା ଅଧିକାର ଆଇନ, ଶାସନ ବ୍ୟବସ୍ଥାରେ ବା ଜନମାନସରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଆଇନର ଜୟଯାତ୍ରା (ଓଡ଼ିଶାକୁ ଛାଡ଼ି) ଚାଲୁ ରହିଛି । ଶାସନ ବ୍ୟବସ୍ଥାରେ ବିଭିନ୍ନ କାର୍ଯ୍ୟକ୍ରମ, ଅର୍ଥ ବ୍ୟବସ୍ଥା, ଖର୍ଚ୍ଚ ହିସାବ, ସରକାରୀ ଅଧିକାରୀଙ୍କ ବ୍ୟୟବହୁଳ ଖର୍ଚ୍ଚର ବିବରଣୀ, ରାଜନେତାଙ୍କ ବିଦେଶଗସ୍ତ ଖର୍ଚ୍ଚ, ଅର୍ଥ ଅପବ୍ୟୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ହେଉଥିବା ଖର୍ଚ୍ଚ ଏବଂ ଏଥିରେ ହୋଇଥିବା ବ୍ୟାପକ ଦୁର୍ନୀତି ସଂକ୍ରାନ୍ତ ତଥ୍ୟ ଲୋକଲୋଚନକୁ ଆସିପାରିଛି । 

ସାଧାରଣ ଲୋକ ନିଜ ସମସ୍ୟାର ସମାଧାନ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ପେନସନ ଜଡ଼ିତ ସମସ୍ୟାର ସମାଧାନ ପାଇଁ ସୂଚନା ଆଇନକୁ ବ୍ୟାପକ ଭାବେ ବ୍ୟବହାର କରୁଥିବାର ଦେଖଯାଇଛି । ଏହି ଆଇନ ଦ୍ୱାରା ବହୁ ବଡ଼ ବଡ଼ ଦୁର୍ନୀତି ଯଥା: ସି.ଡ଼ବ୍ଲୁ.ଜି. ସ୍କାମ୍‍, ଆଦର୍ଶଗୃହ ନିର୍ମାଣ ସ୍କାମ୍‍, ଜମି ଦୁର୍ନୀତି, ମହାରାଷ୍ଟ୍ରର ଜଳସେଚନ ଦୁର୍ନୀତି, ବିହାରର କିରୋସିନ ସ୍କାମ୍‍, ୨ଜି ସ୍ପେକ୍ଟ୍ରମ ସ୍କାମ୍‍ ଇତ୍ୟାଦି ଲୋକଲୋଚନକୁ ଆସିପାରିଛି । ସୂଚନା ଆଇନ ମାଧ୍ୟମରେ ଦୁର୍ନୀତିର ପର୍ଦାଫାଶ କରିବାକୁ ଯାଇ ସମଗ୍ର ଦେଶରେ ପ୍ରାୟ ୫୦ ଜଣ ସୂଚନାଧିକାର କର୍ମୀ ହତ୍ୟାର ଶିକାର ହୋଇଛନ୍ତି। ଆଇନ୍‌ର ତର୍ଜମା ଓ ପ୍ରୟୋଗକୁ ନେଇ ଅନେକ କେସ୍ ବିଭିନ୍ନ ରାଜ୍ୟରେ ଉଚ୍ଚନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟରେ ହୋଇଛି । ବିଚାରପତିଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣରେ ପ୍ରକଟନ ଏବଂ ସେମାନଙ୍କର ନିଯୁକ୍ତି ପ୍ରକ୍ରିୟା ଜଡ଼ିତ ସୂଚନାର ପ୍ରକାଶନ ସଂକ୍ରାନ୍ତ ମକଦ୍ଦମା ଏବେ ବି ସୁପ୍ରିମ୍ କୋର୍ଟରେ ବିଚାରାଧୀନ ରହିଛି । ସରକାରୀ ଅଧିକାରୀ ବା ବ୍ୟକ୍ତିଗତ ସୂଚନା, ବିଭିନ୍ନ ସମ୍ପତ୍ତି ତାଲିକା, ସରକାରୀ, ଅର୍ଦ୍ଧସରକାରୀ ଅନୁଷ୍ଠାନ ସମ୍ପର୍କିତ ବିବରଣୀ, ପି.ପି.ପି. (ପବ୍ଲିକ-ପ୍ରାଇଭେଟ୍-ପାର୍ଟନରସିପ୍) ସମ୍ପର୍କିତ ସୂଚନା ନାଗରିକମାନଙ୍କୁ ପ୍ରଦାନ କରାଯାଇ ପାରିବ କି ନାହିଁ,  ଏହା ଉପରେ ବିତର୍କ ଚାଲୁ ରହିଛି ।

କିନ୍ତୁ ଆମ ରାଜ୍ୟରେ ସୂଚନା ଅଧିକାର ଆଇନର ସ୍ଥିତି ଏବଂ ଏହାର ବ୍ୟବହାରର ଫଳାଫଳ ସଂପୂୂର୍ଣ ଭିନ୍ନ । ଜାତୀୟସ୍ତରରେ ବଡ଼ ବଡ଼ ଦୁର୍ନୀତିର ପର୍ଦାଫାଶ ହୋଇଥିଲେ ମଧ୍ୟ ଆମ ରାଜ୍ୟରେ ବହୁ ବଡ଼ବଡ଼ ଦୁର୍ନୀତି ସଂକ୍ରାନ୍ତ ତଥ୍ୟ, ଆଇନ ମାଧ୍ୟମରେ ଲୋକଲୋଚନକୁ ଆସିପାରି ନାହିଁ । କାରଣ ହେଉଛି, ସୂଚନା କମିଶନ ରାଜ୍ୟ ସରକାରଙ୍କ ଏକ ହାତବାରିସି ଭଳି କାମ କରୁଛି । ସୂଚନା କମିଶନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଅଲିଖିତ ଚୁକ୍ତିର କୁପରିଣାମ ହେଉଛି ଦୁର୍ନୀତି ସଂପର୍କିତ ସୂଚନା ପଦାକୁ ନଆସିବା । ଏସବୁ ସତ୍ତ୍ୱେ ରାଜ୍ୟରେ ଦେଖା ଦେଇଥିବା ପ୍ରମୁଖ ଖଣି ଦୁର୍ନୀତି, ପାଣି ଦୁର୍ନୀତି, ଜମି ଦୁର୍ନୀତି ଇତ୍ୟାଦିର ପର୍ଦ୍ଧାଫାଶ ପାଇଁ ସଚେତନ ନାଗରିକ ଓ ସୂଚନାଧିକାର କର୍ମୀମାନଙ୍କର ପ୍ରୟାସ ଜାରି ରହିଛି । ଏନ୍.ଆର.ଇ.ଜି.ଏ. କାମ, ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ଣ ଭୋଜନ କାର୍ଯ୍ୟକ୍ରମ, ଆଇ.ସି.ଡ଼ି.ଏସ୍.ର କାର୍ଯ୍ୟକାରିତାରେ ହେଉଥିବା ର୍ଦୁନୀତି, କମ୍ପାନୀ ମାନଙ୍କ ଦ୍ୱାରା ଟିକସ ପଇଠ ନ ହେବା, ସରକାରୀ କ୍ୱାର୍ଟର ଜବରଦଖଲ, ଶାଗମାଛ ଦରରେ ଭୁବନେଶ୍ୱରରେ ବଡ଼ବଡ଼ କମ୍ପାନୀ, ଅନୁଷ୍ଠାନମାନଙ୍କୁ ବିକିଦେବା ଇତ୍ୟାଦି ତଥ୍ୟ ଆଇନ ମାଧ୍ୟମରେ ଲୋକଲୋଚନକୁ ଆସିପାରୁଛି । ରାଜ୍ୟରେ ସୂଚନା ଆଇନ ପ୍ରତି ପ୍ରାଶାସନିକ ଅଧିକାରୀମାନେ ଅତ୍ୟନ୍ତ ସଚେତନ ଓ ସୂଚନା ପାଇଁ ଆବେଦିତ ଦରଖାସ୍ତଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରୁଥିବାର ଦେଖାଯାଉଛି। ସେଥିପାଇଁ ଦରଖାସ୍ତ ବା ଫାଇଲ୍ ଉପରେ ଇଂରାଜୀ ଲିଖିତ Most Urgentର ମୋହର ଲାଗିଥାଏ । 

ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସୂଚନା ଅଧିକାର ନିୟମାବଳୀ ୨୦୦୫, ଓଡ଼ିଶା ସୂଚନା ଅଧିକାର (ସଂଶୋଧନ) ନିୟମାବଳୀ ୨୦୦୬, ଓଡ଼ିଶା ସୂଚନା କମିଶନ ଅପିଲ୍ ଶୁଣାଣି ପ୍ରକ୍ରିୟା ୨୦୦୬ ପ୍ରଣୟନ କରିବା ସହ ଅନେକ ସରକାରୀ ନିର୍ଦେଶନାମା ଜାରି ରଖିଛନ୍ତି ଏବଂ ଲୋକ ସୂଚନା ନାମରେ ଏକ ୱେବ୍‌ସାଇଟ୍ ମଧ୍ୟ ଖୋଲିଛନ୍ତି। ଏହି ୱେବ୍‌ସାଇଟ୍ ପାଇଁ ଜାତୀୟସ୍ତରରେ ଭାରତ ସରକାରଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରସ୍କୃତ ହୋଇଛି। ସୂଚନା କମିଶନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ଦକ୍ଷ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ସରକାର ସୁଚାଇଛନ୍ତି । ରାଜ୍ୟ ସରକାର ଆଇନ ଉପରେ ଜନ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୫୦ରୁ ୬୦ ଲକ୍ଷ ଅର୍ଥ ଖର୍ଚ୍ଚ କରୁଛନ୍ତି। ସୂଚନା କମିଶନଙ୍କ ତରଫରୁ ଆଇନ ଉପରେ ପୁସ୍ତକ, ପ୍ରଚାରପତ୍ର ପ୍ରକାଶନ ଏବଂ ବିଭିନ୍ନ ଆଦିବାସୀ ଭାଷାରେ ପ୍ରକାଶ ପାଇଥିବା ପୁସ୍ତକ ହେଉଛି ସଫଳତାର ମାପକାଠି ବୋଲି ସୂଚନା କମିଶନରମାନେ ସର୍ବସାଧାରଣରେ ବକ୍ତବ୍ୟ ରଖନ୍ତି।

ରାଜ୍ୟ ସରକାର ଓ ସୂଚନା କମିଶନଙ୍କ ଉପର ଲିଖିତ କାର୍ଯ୍ୟକ୍ରମ ସଂପୂର୍ଣ ଉପରଠାଉରିଆ ଓ ଲୋକଦେଖାଣିଆ ବୋଲି ଆଇନ୍‌ର ସାତ ବର୍ଷର କାର୍ଯ୍ୟକାରିତାରୁ ଜଣାପଡ଼ିଛି । ରାଜ୍ୟରେ ସଂଖ୍ୟାଧିକ ଲୋକ ଏବେ ବି ଆଇନ ସଂପର୍କରେ ସଚେତନ ନୁହନ୍ତି । ସୂଚନା କମିଶନଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ୨୦୦୯-୧୦ରେ ଏହି ସଂଖ୍ୟା ଖସି ଆସି ୩୫,୦୦୦ରେ ସୀମିତ ରହିଛି । ଆଇନ୍‌ର କାର୍ଯ୍ୟକାରିତାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି ଅବାଞ୍ଛିତ ଓ ବାଧ୍ୟତାମୂଳକ ଆବେଦନ ଫର୍ମ- କ ବ୍ୟବସ୍ଥା। ଓଡ଼ିଆ ନିୟମାବଳୀ ଅନୁଯାୟୀ ସୂଚନା ପାଇଁ ଆବେଦନ କଲା ବେଳେ ଜଣେ ନାଗରିକ ଏକ ନିର୍ଦିିଷ୍ଟ ଫର୍ମ-‘କ’ରେ ଆବେଦନ କରିବାକୁ ପଡ଼ିବ। ଏହି ଫର୍ମର ରୂପରେଖ ଏପରି ହୋଇଛି ଯେ ଜଣେ ସାଧାରଣଲୋକ ଏହାକୁ ପୂରଣ କରିପାରିବ ନାହିଁ। ଲେଖକଙ୍କର ଅନୁଭୂତି ହୋଇଛି, ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ଆଇନ ସଂପର୍କରେ ସଚେତନ ଥିଲେ ମଧ୍ୟ ସେମାନେ ଫର୍ମ-‘କ’ଟିକୁ ପୂରଣ କରିପାରୁ ନଥିବାରୁ ସୂଚନା ପାଇଁ ଆବେଦନ କରୁନାହାନ୍ତି । ପୁଣି ଓଡ଼ିଶା ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ଯେ, ଫର୍ମ ପୂରଣରେ ଯଦି କିଛି ଭୁଲ୍ ତ୍ରୁଟି ଥାଏ, ତେବେ ଦରଖାସ୍ତଟି ଜନସୂଚନା ଅଧିକାରୀଙ୍କ ଦ୍ୱାରା ଖାରଜ ହୋଇଯିବ, ଯାହାକି ଆଇନ ବିରୋଧୀ। କାରଣ ସୂଚନା ଅଧିକାର ଆଇନରେ ଏପରି ବ୍ୟବସ୍ଥା ନାହିଁ । କେବଳ ସାଧାରଣ ଲୋକ କିପରି ସୂଚନା ମାଗି ନପାରିବେ, ସେମାନଙ୍କୁ ହଇରାଣ କରିବା ପାଇଁ ସରକାର ଏଭଳି ଚକ୍ରାନ୍ତ କରିଛନ୍ତି । 

ଏହି ଅବାଞ୍ଛିତ ଫର୍ମର ପ୍ରତ୍ୟାହାର ପାଇଁ ୨୦୦୫ ମସିହାରୁ ସିିଭିଲ୍ ସୋସାଇଟି ସଂଗଠନମାନଙ୍କ ତରଫରୁ ଦାବି ହୋଇ ଆସୁଥିଲେ ମଧ୍ୟ, ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଆଇନ ମୁତାବକ ସୂଚନା ପାଇଁ ଆବେଦନ କରିବାକୁ କୌଣସି ଫର୍ମ ବ୍ୟବସ୍ଥା ନାହିଁ। ବହୁ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଇତ୍ୟାଦି କେବଳ ଏକ ଫର୍ମାଟ୍‌ ବ୍ୟବସ୍ଥା କରିଛନ୍ତି। ସେହିପରି ଆଇନରେ ସୂଚନା ପାଇଁ ଆବେଦନ କରିବା ନାଗରିକତ୍ୱ ପ୍ରମାଣପତ୍ର ଦାଖଲର ବ୍ୟବସ୍ଥା ନଥିଲା ବେଳେ, ରାଜ୍ୟ ସରକାର ଏପରି ବ୍ୟବସ୍ଥା କରି ସମସ୍ତଙ୍କ ଠାରୁ ବାଧ୍ୟତାମୂଳକ ଭାବେ ଭୋଟର ପରିଚୟ ପତ୍ର, ପାସପୋର୍ଟର କପି ଆଦାୟ କରୁଛନ୍ତି । ଏହି ବ୍ୟବସ୍ଥା ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ପର୍ଦାଫାଶ କରିବାକୁ ଚାହୁଁଥିବା ବହୁ ଆବେଦନକାରୀଙ୍କୁ ଦୁର୍ନୀତିରେ ସମ୍ପୃକ୍ତ ସରକାରୀ ଅଧିକାରୀ, ଠିକାଦାର, ଗୁଣ୍ଡାମାନେ ସେମାନଙ୍କୁ ପ୍ରଲୋଭିତ କରିବା, ନଶୁଣିଲେ ମରଣାନ୍ତକ ଆକ୍ରମଣ କରିବା, ମିଥ୍ୟା କେସ୍ ଦେଇ ଜେଲ୍ ପଠାଇବା ଇତ୍ୟାଦି ଦେଖାଯାଉଛି । ରାଜ୍ୟରେ ପ୍ରାୟ ୨୦ରୁ ବେଶି ସୂଚନାଧିକାର କର୍ମୀ ସର୍ବସାଧାରଣରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଜେଲ୍ ମଧ୍ୟ ଯାଇଛନ୍ତି । ଏବେ ବି ସେମାନଙ୍କର କେସ୍ ରାଜ୍ୟ ମାନବାଧିକାର ଆୟୋଗ ଓ ଅଦାଲତରେ ବିଚାରଧୀନ ଅଛି । କିନ୍ତୁ ସୂଚନା କମିଶନ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରିଥିବାର ନଜିର୍‌ ନାହିଁ ।

ସୂଚନା ଅଧିକାର ଆଇନର ଧାରା ୭(୫) ଅନୁଯାୟୀ, ବିପିଏଲ୍ ବ୍ୟକ୍ତିମାନଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ଥିବା ବେଳେ, ରାଜ୍ୟ ସରକାର ସେମାନଙ୍କଠାରୁ ଫିସ୍ ଆଦାୟ କରି ଚାଲିଛନ୍ତି । ଫଳରେ ବହୁ ଗରିବ ଲୋକ ଅର୍ଥାଭାବରୁ ସୂଚନା ପାଇଁ ଆବେଦନ କରିପାରୁ ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ରାଜ୍ୟର ସୂଚନା କମିଶନରମାନେ ବିପିଏଲ୍ ବ୍ୟକ୍ତିମାନଙ୍କଠାରୁ ସୂଚନା ପାଇଁ ଫିସ୍ ଆଦାୟ କରିବାକୁ ନିର୍ଦେଶ ଦେଇ ଚାଲିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କେନ୍ଦ୍ରୀୟ ସୂଚନା ଅଧିକାର ନିୟମାବଳୀ, ୨୦୧୨ରେ ବିପିଏଲ ପରିବାରର ସଦସ୍ୟଙ୍କ ଠାରୁ କୌଣସି ଫିସ୍ ଆଦାୟ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଅନେକ ରାଜ୍ୟ ସରକାର ମଧ୍ୟ ବିପିଏଲ୍ ପରିବାରର ବ୍ୟକ୍ତିମାନଙ୍କ ଠାରୁ ଫିସ୍ ଆଦାୟ କରୁନାହାନ୍ତି ।

ରାଜ୍ୟର ଜନସାଧାରଣଙ୍କ ନିକଟରେ ସୂଚନା ଉପଲବ୍ଧ କରାଇବା ପାଇଁ ସରକାର ଲୋକ ସୂଚନା ନାମରେ ଏକ ୱେବ୍ସାଇଟ୍ ଖୋଲିଛନ୍ତି । ଏହି ୱେବ୍‌ସାଇଟ୍ ବିଭିନ୍ନ ସରକାରୀ ଦପ୍ତର ଗୁଡ଼ିକ ତରଫରୁ ଆଇନର ଧାରା ୪(୧ବି) ଅନୁଯାୟୀ କରାଯାଇଥିବା ସ୍ୱୟଂ ପ୍ରକଟନୀୟ ସୂଚନାଗୁଡ଼ିକ ଅବସ୍ଥାପିତ କରାଯାଇଛି । କିନ୍ତୁ ଏହି ସବୁ ସୂଚନା ଇଂରାଜୀରେ ଅଛି ଯାହାକୁ ରାଜ୍ୟର ୯୦ଭାଗ ଲୋକ ପଢ଼ିପାରିବେ ନାହିଁ କି ବୁଝିପାରିବେ ନାହିଁ। ପୁଣି ଏଥିରେ ବହୁ ତଥ୍ୟ ନାହିଁ ଏବଂ ଯାହାଅଛି ସେଗୁଡ଼ିକ ପୁରୁଣା, ଅଧପନ୍ତରିଆ ଅଥବା ବହୁଦିନ ଧରି ନବୀକରଣ ହୋଇ ନାହିଁ । ଏହିଭଳି ଏକ ଚକାଚକ୍‍ ୱେବ୍‌ସାଇଟ୍‌ ଦେଖାଇ ରାଜ୍ୟ ସରକାର ଜାତୀୟସ୍ତରର ପୁରସ୍କାର ହାତେଇବାରେ ସଫଳ ହୋଇଛନ୍ତି । 

ଅପର ପକ୍ଷରେ ସୂଚନା ଆଇନ୍ର ଧାରା ୬(୧) ଅନୁଯାୟୀ ନାଗରିକମାନେ ଇ-ମେଲ୍‌ ସୂଚନା ମାଗିପାରିବେ, କିନ୍ତୁ ଆମ ରାଜ୍ୟରେ କୌଣସି ଜନସୂଚନା ଅଧିକାରୀଙ୍କ ଇ-ମେଲ୍ ନାହିଁ । ପୁଣି ଏହି ଲୋକ ସୂଚନା ୱେବ୍‌ସାଇଟ୍‌ ଇ-ମେଲ୍‌ରେ ସୂଚନା ମାଗିବା ପାଇଁ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଥିଲେ ବି ତାହା ବସ୍ତୁତଃ ଅକାମୀ ହୋଇ ରହିଛି । ଆଇନ୍ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ସୂଚନା ଆଇନ ସମ୍ପର୍କରେ ଲେଖା, ବୋର୍ଡ଼ରେ ପ୍ରଦର୍ଶିତ ହେବ ଏବଂ ପ୍ରଥମ ଅପିଲ୍ କର୍ତୃପକ୍ଷଙ୍କ ନାମ ଫଳକ ପ୍ରଦର୍ଶିତ ହେବ । ଏହା ଏବେବି ସଂଖ୍ୟାଧିକ କାର୍ଯ୍ୟାଳୟ ତଥା ଭୁବନେଶ୍ୱରରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗ, ପୋଲିସ୍ ଥାନାଗୁଡ଼ିକରେ ଦେଖିବାକୁ ମିଳୁ ନାହିଁ ।

ରାୟଗଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ଓ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଆଇନର କାର୍ଯ୍ୟକାରିତା ଏକ ଅରାଜକତା ମଧ୍ୟରେ ପଡ଼ିରହିଛି । ସୂଚନା ପାଇଁ ଆବେଦନ କରିବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ସରକାରୀ ଅଧିକାରୀମାନେ ନିରୁତ୍ସାହିତ କରିବା, ଖରାପ ବ୍ୟବହାର କରିବା, ମିଥ୍ୟା ମକଦ୍ଦମା ଦାଏର କରିବା, ସୂଚନା ନଦେଇ ଅର୍ଡ଼ିନାରୀ ପୋଷ୍ଟରେ ସୂଚନା ଦିଆଯାଇଛି ବୋଲି ଯୁକ୍ତି ବାଢିବା, ଧର୍ଷଣ ଅଭିଯୋଗ କରିବା, ଆବେଦନକାରୀଙ୍କୁ ଦେଖି ଅଫିସ୍ ଚୌକିରୁ ଉଠି ପଳାଇବା ଇତ୍ୟାଦି ନିତିଦିନିଆ ଘଟଣା ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଘଟୁଛି । 

ସେହିପରି ସୂଚନା କମିଶନଙ୍କ କାର୍ଯ୍ୟକଳାପ ରାଜ୍ୟ ସରକାରଙ୍କ ଠାରୁ ଆହୁରି କଦର୍ଯ୍ୟ ଏବଂ ପ୍ରତିକ୍ରିୟାଶୀଳ । ରାଜ୍ୟରେ ସୂଚନା କମିଶନର ମାନଙ୍କର ଅଯୋଗ୍ୟତା ପ୍ରତିଟି କ୍ଷେତ୍ରରେ ପ୍ରତିଫଳିତ ହେବାରେ ଲାଗିଛି । ଆମ ରାଜ୍ୟରେ ୭ବର୍ଷ ମଧ୍ୟରେ ଯେତୋଟି ସୂଚନା କମିଶନର ନିଯୁକ୍ତି ପାଇଛନ୍ତି, ସେମାନଙ୍କର ନିଯୁକ୍ତିର ବୈଧତାକୁ ସର୍ବସାଧାରଣରେ ଏବଂ ଉଚ୍ଚନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଛି । ସ୍ୱଚ୍ଛତାର ସହିତ ଚୟନ କରାଯାଇ ଦକ୍ଷତା ନପାଇ ନିଜର କିଛି ଗୋଡ଼ାଣିଆ ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ସୂଚନା କମିଶନ ପଦବୀରେ ନିଯୁକ୍ତ କରିଛନ୍ତି ବୋଲି ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ, ସଚେତନ ନାଗରିକ,  ରାଜନୈତିକ ଦଳମାନେ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସୂଚନା କମିଶନ ପଦବୀଗୁଡ଼ିକରେ ଯେ ଅନଭିଜ୍ଞ ଏବଂ ଅଯୋଗ୍ୟ ବ୍ୟକ୍ତିମାନେ ନିଯୁକ୍ତି ପାଉଛନ୍ତି, ଏହି କଥା ମାନ୍ୟବର ସୁପ୍ରିମକୋର୍ଟ ଅମିତ୍ ଶର୍ମା ବନାମ କେନ୍ଦ୍ର ସରକାରଙ୍କ ଜନସ୍ୱାର୍ଥ ମାମଲାର ରାୟରେ ଏହା ସ୍ପଷ୍ଟ କରିଛନ୍ତି ।

ସୂଚନା କମିଶନଙ୍କ ଆଇନ ବିରୋଧୀ କାର୍ଯ୍ୟର କେତେଗୁଡ଼ିଏ ଦୃଷ୍ଟାନ୍ତ ଏଠାରେ ଦିଆଯାଇପାରେ । ସୂଚନା ଅଧିକାର ଆଇନର ଧାରା-୨୬କୁ ବେଖାତିର କରି ରାଜ୍ୟ ଅମଲାଙ୍କ ସହିତ ସଲାସୁତରାରେ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ନେଇ ଆଇନ ସଚେତନତା ନାମରେ ମନଇଚ୍ଛା ଅପବ୍ୟୟ କରିବା, କେସ୍‌ଗୁଡ଼ିକର ଶୁଣାଣି ନକରି ୭୦୦୦ରୁ ବେଶି କେସ୍‌କୁ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇ ବନ୍ଦ କରିଦେବା, ଶୁଣାଣି ସମୟରେ ଅଭିଯୋଗକାରୀ ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଏବଂ ପୋଲିସ୍ ଡ଼ାକି ଗିରଫ କରିବାର ଧମକ ଦେବା, କେସ୍ ନିଷ୍ପତ୍ତିଗୁଡ଼ିକୁ ଅପାଠୁଆ, ନିରକ୍ଷର ଆଦିବାସୀମାନଙ୍କୁ ଇଂଲିଶ୍‌ରେ ଲେଖି ପଠାଇବା, ସରକାରଙ୍କ ଆଇନ ବିରୋଧୀ କାର୍ଯ୍ୟକୁ ସର୍ବସାଧାରଣରେ ପ୍ରଶଂସା କରିବା, ଆଇନ ଉଲଂଘନକାରୀ ଜନସୂଚନା ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ ନକରିବା ବା ନାମକୁ ମାତ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରି ଚୁପ୍ ରହିବା, ଆଇନ ବିରୋଧରେ ଯାଇ ବିପିଏଲ୍ ବ୍ୟକ୍ତିମାନଙ୍କ ଠାରୁ ଫିସ୍ ଆଦାୟ କରିବା, ସର୍ବସାଧାରଣରେ ମିଛକଥା କହିବା, ସମାଲୋଚନା କଲେ ପ୍ରତିଶୋଧ ପରାୟଣ ହୋଇ ସୂଚନାଧିକାର କର୍ମୀମାନଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା କରିବା, ମାସକୁ ଟ.୧,୭୦,୦୦୦/- ଟଙ୍କା ଦରମା ନେଇ ଦିନକୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କେସ୍ ଶୁଣାଣି ସୀମିତ ରଖିବା ଏବଂ ମାତ୍ର ୧୦ଟି କେସ୍ ଶୁଣାଣି କରିବା, ବହୁ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ସମ୍ପର୍କିତ ସୂଚନା ପ୍ରକଟନ ପାଇଁ ଅନୁମତି ନଦେବା, ନଚେତ କେବଳ ନାମକୁ ମାତ୍ର ନିର୍ଦେଶ ଦେଇ କେସ୍‌କୁ ବନ୍ଦ କରିଦେବା, ଅମଲାମାନଙ୍କର ସମ୍ପତ୍ତି ତାଲିକା ସର୍ବସାଧାଣରେ ପ୍ରକାଶନକୁ ମନା କରିବା ଇତ୍ୟାଦି ଅବାଞ୍ଛିତ କାର୍ଯ୍ୟ ସୂଚନା କମିଶନ ରାଜ୍ୟରେ କରି ଚାଲିଛନ୍ତି ।

ଗତ ୭ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ସୂଚନା କମିଶନଙ୍କ ଆଇନ ବିରୋଧୀ କାର୍ଯ୍ୟକୁ ରାଜ୍ୟର ମୁଷ୍ଟିମେୟ ସିଭିଲ୍ ସୋସାଇଟି ସଂଗଠନ ଏବ ସୂଚନାଧିକାର କର୍ମୀମାନେ ଲଗାତର ବିରୋଧ କରି ଚାଲିଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ କର୍ମଶାଳା, ସଭାସମିତି, ସଚେତନତା ଶିବିର ଆୟୋଜନ କରି ସୂଚନା କମିଶନ ଏବଂ ରାଜ୍ୟ ସରକାରଙ୍କ ଆଇନ ବିରୋଧୀ କାର୍ଯ୍ୟ ଉପରେ ଜନସଚେତନତା ସୃଷ୍ଟି କରାଇବାରେ ସକ୍ଷମ ହୋଇଛନ୍ତି । ସୂଚନା କମିଶନଙ୍କ ଆଇନ ବିରୋଧୀ କାର୍ଯ୍ୟ, ଅଯୋଗ୍ୟତା, ନୈତିକ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟପାଳଙ୍କ ନିକଟରେ ୬୦ରୁ ବେଶି କେସ୍ ଦାଏର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରାଯାଇଛି । କମିଶନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟପାଳ ଗୁରୁତ୍ୱର ସହ ବିଚାର କରୁଥିବାର ଜଣାପଡ଼ିଛି। ଆଇନ ଉପରେ ସଚେତନତା ସୃଷ୍ଟି ନାମରେ ବ୍ୟାପକ ଆର୍ଥିକ ଅନିୟମିତତା କରିଥିବା ସମସ୍ତ ସୂଚନା କମିଶନରମାନଙ୍କ ନାମରେ ଉଚ୍ଚନ୍ୟାୟାଳୟରେ କେସ୍ ଦାଏର ହୋଇଛି । ମାନ୍ୟବର ଅଦାଲତ ଜବାବ ଦାଖଲ ପାଇଁ ନୋଟିସ୍ ମଧ୍ୟ କରିଛନ୍ତି । ସେହିପରି ସୂଚନାଧିକାର କର୍ମୀ ବିଶ୍ୱମୋହନ ମହାନ୍ତି ସୂଚନା କମିଶନଙ୍କ ନିକଟରୁ ନ୍ୟାୟ ନପାଇ ସୂଚନା କମିଶନର ଜଗଦାନନ୍ଦଙ୍କ ବହିଷ୍କାର ପାଇଁ ଉଚ୍ଚନ୍ୟାୟାଳୟରେ କେସ୍ କରିଛନ୍ତି । 

ବିପିଏଲ୍ ପରିବାରର ବ୍ୟକ୍ତିଙ୍କ ଠାରୁ ଫିସ୍ ଆଦାୟ ବେଆଇନ ଦର୍ଶାଇ କୁଞ୍ଜବିହାରୀ ପାତ୍ର ଉଚ୍ଚନ୍ୟାୟାଳୟରେ କେସ୍ କରିଛନ୍ତି, ଯାହାକି ବିଚାରାଧୀନ ଅଛି । ସୂଚନା କମିଶନଙ୍କ ଉତ୍ତରଦାୟିତ୍ୱ ଏବଂ ସେମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସିଭିଲ୍ ସୋସାଇଟି ତରଫରୁ ଦାବି କରାଯାଇଛି। ଏହା ସହିତ ଓଡ଼ିଆ ଭାଷାରେ କେସ୍ ନିଷ୍ପତ୍ତିଗୁଡ଼ିକୁ ଲେଖିବା, ଦିନକୁ ଅନ୍ୟୂନ ୩୦ରୁ ୪୦ଟି କେସ୍ ଶୁଣାଣି କରିବା, ବିପିଏଲ୍ ପରିବାର ସଦସ୍ୟଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବା ପାଇଁ ନିର୍ଦେଶ ଦେବା ଭଳି ଦାବି ସୂଚନା କମିଶନଙ୍କ ନିକଟରେ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସୂଚନାଧିକାର କର୍ମୀମାନଙ୍କର ଲଗାତାର ବିରୋଧ ଯୋଗୁଁ ସୂଚନା କମିଶନ ସଚେତନତା କାର୍ଯ୍ୟରୁ ଓହରି ଯାଇଛନ୍ତି । ସେହିପରି ଓଡ଼ିଶା ନିୟମାବଳୀରେ ଥିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା, ଓଡ଼ିଆ ଭାଷାରେ ସ୍ୱୟଂ ପ୍ରକଟନୀୟ ସୂଚନାର ପ୍ରକାଶନ, ଆବେଦନ ସମୟରେ ନାଗରିକ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥାର ପ୍ରତ୍ୟାହାର ଏବଂ ତଥାକଥିତ ଆବେଦନ ଫର୍ମର ସଂପୂର୍ଣ ପ୍ରତ୍ୟାହାର ଦାବିରେ ସୂଚନାଧିକାର କର୍ମୀମାନଙ୍କର କାର୍ଯ୍ୟକ୍ରମ ରାଜ୍ୟରେ ଏବେ ବି ଅବ୍ୟାହତ ରହିଛି ।

ପ୍ରଦୀପ ପ୍ରଧାନ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ଭ୍ରାମ୍ୟଭାଷ: ୯୯୩୭୮୪୩୪୮୨

कोई टिप्पणी नहीं:

एक टिप्पणी भेजें